ଏସ୍‌ସିବିରେ ଗ୍ୟାସ୍‌ ଲିକ୍‌

୪୭ ଅସୁସ୍ଥ, କାଳ ହେଲା କଳଙ୍କି ଲଗା ସିଲିଣ୍ଡର

କଟକ : କଟକ ବଡ଼ ମେଡିକାଲ୍‌ ପରିସରରେ ଆଜି ଅପରାହ୍ନରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ପିଏଚ୍‌ଡି ପମ୍ପ ହାଉସ୍‌ରେ ଥିବା ଏକ କଳଙ୍କି ଲଗା କ୍ଲୋରିନ୍‌ ଗ୍ୟାସ୍‌ ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ହୋଇ ୪୭ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏଥିରେ ଏସ୍‌ସିବିର ପ୍ରଶାସନିକ ଅଧିକାରୀ ପ୍ରତାପ ମିଶ୍ରଙ୍କ ସମେତ କେତେକ ମେଡିକାଲ୍‌ ଛାତ୍ର, ୮ ଜଣ ଅଗ୍ନିଶମ କର୍ମଚାରୀ ବି ଅସୁସ୍ଥ ହୋଇପଡିଥିଲେ। ଏହି ଘଟଣାକୁ ନେଇ ମେଡିକାଲ୍‌ କ୍ୟାମ୍ପସ୍‌ରେ ପାଖାପାଖି ୫ ଘଣ୍ଟା କାଳ ପରିବେଶ ଦୂଷିତ ହୋଇଯାଇଥିଲା । ନିଶ୍ୱାସ ନେବାରେ ସମସ୍ୟା ହେବାରୁ ରୋଗୀ ସଂପର୍କୀୟମାନେ ଆତଙ୍କିତ ହୋଇ କ୍ୟାମ୍ପସ୍‌ରେ ଦୌଡ଼ାଦୌଡ଼ି କରିଥିବା ଦେଖିବାକୁ ମିଳିଥିଲା। ଗ୍ୟାସ୍‌ ସିଲିଣ୍ଡରକୁ ଜଗତପୁର ମହାନଦୀପଠାକୁ ନିଆଯିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଅନ୍ୟପଟେ ଏସ୍‌ସିବିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଓ୍ଵାର୍ଡ ବିଶେଷକରି ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ୍ଵାର୍ଡର ଖୁବ୍‌ ନିକଟରେ ଥିବା ପିଏଚ୍‌ଡି ଅଫିସରୁ ଏଭଳି ଗ୍ୟାସ୍‌ ଲିକ୍‌ ହୋଇଥିବା ବେଳେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ପିଏଚ୍‌ଡି ବିଭାଗ କିଭଳି ଏସ୍‌ସିବି ଭଳି ଏକ ସମ୍ବେଦନଶୀଳ ସ୍ଥାନରେ କଳଙ୍କି ଲଗା ସିଲିଣ୍ଡରରେ ଗ୍ୟାସ୍‌ ରଖୁଥିଲା ତାହାକୁ ନେଇ ପ୍ରଶ୍ନ ଉଠୁଛି।

ସୂଚନା ଅନୁଯାୟୀ, ବଡ଼ ମେଡିକାଲ୍‌ରେ ଆଜି ଅପରାହ୍ନ ପ୍ରାୟ ୪ଟା ୩୦ ବେଳେ ପିଏଚ୍‌ଡି ପମ୍ପ ହାଉସ୍‌ରେ ଥିବା ଦୁଇଟି କ୍ଲୋରିନ୍‌ ସିଲିଣ୍ଡର ମଧ୍ୟରୁ ଗୋଟିଏ ଲିକ୍‌ ହୋଇଯାଇଥିଲା । ସିଲିଣ୍ଡରରୁ ଗ୍ୟାସ୍‌ ବାହାରି କ୍ୟାମ୍ପସ୍‌ ଭିତରେ ବ୍ୟାପିଯିବାରୁ ଲୋକେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଆଖି, ନାକ ପୋଡିଥିଲା। ଘଟଣା ସମ୍ପର୍କରେ ଖବର ପାଇ ବକ୍ସିବଜାର ଅଗ୍ନିଶମ ବିଭାଗର ଦମକଳ ଗାଡ଼ି ପହଞ୍ଚି ଗ୍ୟାସକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ସେହି ସମୟରେ ଚାରି ଜଣ ଅଗ୍ନିଶମ କର୍ମଚାରୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ । ଲିକ୍‌ ହୋଇଥିବା ଗ୍ୟାସ୍‌ ସିଲିଣ୍ଡରକୁ ଦମକଳ ଗାଡ଼ିରେ ଜଗତପୁର ପଟକୁ ନେଇ ମହାନଦୀ ପଠାରେ ରଖା ଯାଇଥିଲା।

ଅସୁସ୍ଥଙ୍କ ମଧ୍ୟରେ ଅଗ୍ନିଶମ ବିଭାଗର କର୍ମଚାରୀ ଲକ୍ଷ୍ମୀଧର ପ୍ରଧାନ, ଅକ୍ଷୟ ପ୍ରଧାନ, ମାନସ ଚାନ୍ଦ, ଶ୍ରୀକାନ୍ତ ଦଳେଇ, କାର୍ତ୍ତିକ ବେହେରା, ବିଶ୍ୱରଂଜନ ରାଉଳ, ପ୍ରଦୀପ୍ତ ସ୍ୱାଇଁଙ୍କ ସମେତ ଇଶାନ ମିଶ୍ର(୧୯), ଶ୍ରୀକାନ୍ତ ଦଳାଇ(୨୮), ପ୍ରତିକ ଗୌରବ (୨୫), ଦିଲ୍ଲୀପ କୁମାର ନାୟକ(୨୦), ମୁକେଶ ନାୟକ(୩୨), ସୁରଜ ପ୍ରଧାନ(୨୧), ସୌରଭ ରଞ୍ଜନ ଗୁରୁ(୨୧), କାଳନ୍ଦୀ ମହାଳିକ(୪୫), ହରିନନ୍ଦନ ସାହୁ(୨୨), ଟୁଟନ ସାହୁ(୪୮), ଭୀଷ୍ମ ରଞ୍ଜନ ରାଉତ(୨୬), ପବନ ଅଗ୍ରଓ୍ଵାଲ୍‌(୧୯), ଅମ୍ଲାନ୍‌ ମିଶ୍ର(୧୯), ଅଭୟ ଟୁଡୁ(୨୦), ଜ୍ୟୋତି ନାରାୟଣ ଦାସ(୨୦), ପ୍ରଭାସ ରଞ୍ଜନ ଲେଙ୍କା, ଏସ୍‌ଡି ଫଜଲୁଦ୍ଦିନ, ବାବୁ ସ୍ୱାଇଁ(୩୦), ଆଶିଷ ଗୁପ୍ତା(୨୦), ରଶ୍ମି ରଞ୍ଜନ ବେହେରା(୧୮), ସଞ୍ଜୟ ନାୟକ, ଲକ୍ଷ୍ମୀ ନାୟକ, ବାବୁଲି ନାୟକ, ଅନିଲ କୁମାର ସାହୁ(୨୫), ହରିମୋହନ ସାହୁ, ସୁରଜ ପ୍ରଧାନ, ଲୋକନାଥ ଷଢ଼ଙ୍ଗୀ, କାର୍ତ୍ତିକ ବେହେରା(୫୦), ସୂର୍ଯ୍ୟକାନ୍ତ ବାରିକ(୩୦), ରୋନକ ଜେନା, ଅକ୍ଷୟ ପ୍ରଧାନ, ଲକ୍ଷ୍ମୀଧର ପ୍ରଧାନ, ମାନସ ରଞ୍ଜନ ଚାନ୍ଦ, ଦେବୀ ପ୍ରଦାସ ରଥ, ଅଭିଲାଷା ବେହେରା, ଅଶ୍ୱୀନି ଦାସ, ରାଜା ରେଡ୍ଡି, ନିଶା ଦେଓ ପ୍ରମୁଖ ରହିଥିବା ଜଣାପଡିଛି। ମେଡିକାଲ୍‌ରେ ଅଗ୍ନିଶମ ଡିଜି ବିଜୟ ଶର୍ମାଙ୍କ ସମେତ ଅଗ୍ନିଶମ ବିଭାଗର କେନ୍ଦ୍ରୀୟ ରେଞ୍ଜ ଅଧିକାରୀ ଭାବଗ୍ରାହୀ ଘଡ଼େଇ, ସହରାଞ୍ଚଳ ବିକାଶ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ହସ୍‌ପିଟାଲ୍‌ରେ ପହଞ୍ଚି ଅସୁସ୍ଥଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରିଥିଲେ ।

ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର କହିବା ଅନୁଯାୟୀ ଗ୍ୟାସ୍‌ ଲିକ୍‌ ଫଳରେ ୪୭ ଜଣ ଅସୁସ୍ଥଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରେ ୨୭ ଜଣଙ୍କୁ ଚିକିତ୍ସା ପରେ ଡିସ୍‌ଚାର୍ଜ କରାଯାଇଛି। ଆସିଷ୍ଟାଣ୍ଟ ଫାୟାର ଅଫିସର ପ୍ରଦୀପ ରାଉତ କହିବା ଅନୁଯାୟୀ ସିଲିଣ୍ଡରରେ କଳଙ୍କି ଲାଗିଥିବାରୁ କ୍ଲୋରିନ୍‌ ଗ୍ୟାସ୍‌ କ୍ୟାମ୍ପସ୍‌ରେ ବ୍ୟାପିଯାଇଥିବା ସନ୍ଦେହ କରାଯାଉଛି।

ଅଘଟଣ ସଂପର୍କରେ ସଫେଇ ଦେଇ ପିଏଚ୍‌ଡି ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡ଼େଇ କହିଛନ୍ତି ଯେ ସିଲିଣ୍ଡର ଫିଲିଂ ଓ ଡିସ୍ପୋଜାଲ୍‌ ଦାୟିତ୍ୱ ଗଂଜାମର ଜୟଶ୍ରୀ କେମିକାଲ ନେଇଛି। ୩ଟି ସିଲିଣ୍ଡର ମଧ୍ୟରୁ ଗୋଟିଏ ସିଲିଣ୍ଡର କଳଙ୍କି ଲାଗି ଥିବା ବେଳେ ତାହାକୁ ଡିସ୍ପୋଜ୍‌ କରିବା ପାଇଁ ବିଭାଗ ପକ୍ଷରୁ ସଂପୃକ୍ତ ସଂସ୍ଥାକୁ ୧୨ ଦିନ ପୂର୍ବରୁ ଚିଠି ଲେଖାଯାଇଥିଲା। ସଂପୃକ୍ତ ସଂସ୍ଥା ଆଜି ପହଞ୍ଚି ଅନ୍ୟ ସିଲିଣ୍ଡରକୁ ଯାଞ୍ଚ କରି ଡିସ୍ପୋଜ୍‌ କରିବେ ବୋଲି ଶ୍ରୀ ଘଡେଇ କହିଛନ୍ତି।

ସମ୍ବନ୍ଧିତ ଖବର