ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ସମାରୋହ: ଓଡ଼ିଆ ଭାଷା ଆମ ଅସ୍ମିତାର ପରିଚୟ ବୋଲି କହିଲେ ଧର୍ମେନ୍ଦ୍ର

ପ୍ରୟୋଗ ନ ହେଲେ ଭାଷା ମରିଯାଏ: ପ୍ରତିଭା ରାୟ

ଭୁବନେଶ୍ବର : ଓଡ଼ିଆ ଭାଷା ଆମ ଅସ୍ମିତାର ପରିଚୟ। ଅଭିଲେଖ, ପୋଥିଠାରୁ ଆରମ୍ଭ କରି ସାରଳା ଦାସ, ଜଗନ୍ନାଥ ଦାସ ଓ ଉପେନ୍ଦ୍ର ଭଞ୍ଜ ପ୍ରମୁଖଙ୍କ ଅବଦାନ ଆମ ପାଇଁ ସମ୍ପଦ। ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ସମାରୋହ ଅବସରରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ପକ୍ଷରୁ ଆୟୋଜିତ ସମାରୋହରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଓଡ଼ିଆ ଭାଷାର ବିକାଶ, ପ୍ରସାର ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ। ଜାତୀୟ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ ବେଳୁ ମାତୃଭାଷାକୁ ପ୍ରାଥମିକତା ଦିଆଯାଉଛି।

ବିଶିଷ୍ଟ ଭାଷା ବିଜ୍ଞାନୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାରତୀୟ ଭାଷା ସଂସ୍ଥାନ, ମହୀଶୂରର ନିର୍ଦ୍ଦେଶକ ପ୍ରଫେସର୍‌ ଶୈଳେନ୍ଦ୍ର ମୋହନ ଉଦ୍‌ଘାଟନ କରିଥିଲେ। ଏଥିରେ ଜ୍ଞାନପୀଠ ବିଜୟିନୀ ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟ ଯୋଗ ଦେଇ କହିଥିଲେ, ସଂସ୍କୃତିର ନାଭିପଦ୍ମ ହେଉଛି ସାହିତ୍ୟ। ଦୈନନ୍ଦିନ ଜୀବନରେ ପ୍ରୟୋଗ ନହେଲେ ଭାଷାର ମୃତ୍ୟୁ ହୋଇଯାଏ। ସମୟ ଥିଲା, ଓଡ଼ିଆ ଭାଷା ଅନ୍ୟ ଭାଷା ଦ୍ବାରା ନିର୍ଯାତିତ ହେଉଥିଲା। କିନ୍ତୁ ଏବେ ଓଡ଼ିଆଙ୍କ ଦ୍ବାରା ଓଡ଼ିଆ ଭାଷା ନିର୍ଯାତିତ ହେଉଛି। ଆଦିବାସୀମାନଙ୍କ ମଧ୍ୟରେ ଲୋକକଥା, ଲୋକଭାଷାରେ ଅନେକ ଦର୍ଶନ ରହିଛି। ମାତ୍ର ଏ ସମ୍ପର୍କରେ କେହି ଜାଣୁନାହିଁ। ଆଦିବାସୀ, ଲୋକସଂସ୍କୃତି, ଲୋକଭାଷାକୁ ଡକ୍ୟୁମେଣ୍ଟ କରି ରଖିବାକୁ ଡ. ରାୟ ପରାମର୍ଶ ଦେଇଥିଲେ।

ଭାରତୀୟ ଭାଷା ସଂସ୍ଥାନ, ମହୀଶୂରର ନିର୍ଦ୍ଦେଶକ ପ୍ରଫେସର୍‌ ଶୈଳେନ୍ଦ୍ର ମୋହନ କହିଥିଲେ, ଐତିହ୍ୟ ଓ ପରମ୍ପରା ସମୃଦ୍ଧ ଓଡ଼ିଆ ଭାଷା ପୂର୍ବ ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ବାସ୍ତବରେ ବଡ଼ ଭଉଣୀ ବୋଲି ଏକଦା କହିଥିବା ପ୍ରଫେସର ସୁନୀତି କୁମାର ଚାଟାର୍ଜୀଙ୍କ ମତ ଯଥାର୍ଥ। ଶାସ୍ତ୍ରୀୟ ଓଡ଼ିଆ ଭାଷାର ପ୍ରସାର ପାଇଁ ଭାରତୀୟ ଭାଷା ସଂସ୍ଥାନ ପକ୍ଷରୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। କେନ୍ଦ୍ର ପକ୍ଷରୁ ପାଠାଗାର ପ୍ରତିଷ୍ଠା ସହ ସଙ୍ଗୀତ, ସାହିତ୍ୟ, ଅଭିଲେଖ ଓ ପ୍ରତ୍ନତତ୍ତ୍ବ ବିଷୟକ ଗବେଷଣା ସହ ଶାସ୍ତ୍ରୀୟ ଗ୍ରନ୍ଥଗୁଡ଼ିକର ଅନୁବାଦ ଉପରେ ଗୁରୁତ୍ବ ଦେଇଥିଲେ।

ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମାରୋହରେ ପ୍ରଫେସର୍‌ ଉଦୟ ନାରାୟଣ ସିଂହ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଶାସ୍ତ୍ରୀୟ ଭାଷା ଶିକ୍ଷା ଉପରେ ଗୁରୁତ୍ବାରୋପ କରି ଭାଷା ପାଇଁ ଉଭୟ ଲୌକିକ ଓ ଶାସ୍ତ୍ରୀୟ ପରମ୍ପରାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଇ.ଆଇ.ଟି. କାନପୁରର ଅବସରପ୍ରାପ୍ତ ପ୍ରଫେସର୍‌ ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ଓଡ଼ିଆ ଭାଷାର ବହୁଳ ବ୍ୟବହାର ଉପରେ ଗୁରୁତ୍ବ ଦେଇଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଜି.ଏଲ.ଏ. ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ପଞ୍ଚାନନ ମହାନ୍ତି କହିଥିଲେ ଯେ ଓଡ଼ିଆ ଭାଷା ଦକ୍ଷିଣ ଓ ଉତ୍ତର ଭାରତ ଏବଂ ଭାରତୀୟ ଆର୍ଯ୍ୟ ଓ ଦ୍ରାବିଡ ତଥା ମୁଣ୍ଡାଭାଷାର ସମନ୍ବିତ ରୂପ।

ପ୍ରାରମ୍ଭରେ ଭାରତୀୟ ଭାଷା ସଂସ୍ଥାନର ଶାସ୍ତ୍ରୀୟ ଭାଷା ସମୂହର ମୁଖ୍ୟ ପ୍ରଫେସର୍‌ ଶିବରାମକୃଷ୍ଣ ସ୍ବାଗତ ଭାଷଣ ଦେଇଥିଲେ। ବରିଷ୍ଠ ଗବେଷକ ଦେବାଶିଷ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ପକ୍ଷରୁ ଡ. ଗୋବିନ୍ଦ ଚନ୍ଦ୍ର ପେଣ୍ଠୋଇ, ଡ. ଅମ୍ବରୀଶ ଶତପଥୀ, ଡ. ମନସା ଶ୍ରୀଚନ୍ଦନ ଓ ଡ. ମିତାଲି ମଧୁସ୍ମିତା ମହାନ୍ତି ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର