ରାଜଗାଙ୍ଗପୁରରେ ସହପାଠିନୀଙ୍କୁ ଦୁଷ୍କର୍ମ

୬ ଦିନ ମଧ୍ୟରେ ସୁନ୍ଦରଗଡ଼ରେ ୫ମ ଘଟଣା

ରାଜଗାଙ୍ଗପୁର : ଲାପ୍‌ଟପ୍ ସଜାଡ଼ିବା ପାଇଁ ଘରକୁ ଡାକି କୁତ୍ରା ଥାନା ଅଞ୍ଚଳର ଜଣେ ଯୁବକ ନିଜର ସହପାଠିନୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ରାଜଗାଙ୍ଗପୁର ପୁଲିସ ଭାରତୀୟ ପିଙ୍ଗଳ କୋଡ ଧାରା ୩୭୬, ୪୨୭, ୩୨୩ରେ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ କୋର୍ଟଚାଲାଣ କରିଛି। ଗତ ୬ ଦିନ ବ୍ୟବଧାନରେ ରାଜଗାଙ୍ଗପୁର ଥାନାରେ ଏହା ଦ୍ବିତୀୟ ମାମଲା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୫ମ ମାମଲା ବୋଲି ଜଣାପଡ଼ିଛି।

କୁତ୍ରା ଥାନା ଅନ୍ତର୍ଗତ ବୁଡ଼ାକଟା ଗ୍ରାମର ଅଶ୍ବନୀ ଲାକଡ଼ା ଓ ରାଜଗାଙ୍ଗପୁର ମାଲିଡିହି ଗ୍ରାମପଞ୍ଚାୟତ ଭଗତଟୋଲା ଅଞ୍ଚଳର ଜଣେ ଯୁବତୀ ଗୋଟିଏ ଅନୁଷ୍ଠାନରେ ପାଠ ପଢୁଛନ୍ତି। ଯୁବତୀଙ୍କ ଲାପ୍‌ଟପ୍‌ଟି ଖରାପ ହେବାରୁ କେଉଁଠି ସଜାଡ଼ିବା ବୋଲି ଅଶ୍ବିନୀକୁ କହିଥିଲେ। ଲାପ୍‌ଟପ୍‌ ଧରି ତାଙ୍କ ଘରକୁ ଆସିବାକୁ ସେ ଯୁବତୀଙ୍କୁ ପରାମର୍ଶ ଦେଇଥିଲା। ଜୁଲାଇ ୨୪ ତାରିଖ ଦିନ ଯୁବତୀଜଣକ ନିଜର ଲାପ୍‌ଟପ୍‌ ଧରି ଗଡ଼ପୋଷ ଛକରେ ପହଞ୍ଚିବା ପରେ ସେଠାରେ ଅପେକ୍ଷା କରିଥିବା ଅଶ୍ବନୀ ତାଙ୍କୁ ଘରକୁ ନେଇ ୩ ଘଣ୍ଟା ଅଟକ ରଖି ଦୁଷ୍କର୍ମ କରିଥିଲା। ପରେ ତାଙ୍କୁ ଧମକ ଚମକ ଦେଇ ନିଜ ସାଇକେଲରେ ନେଇ ବସ୍‌ଷ୍ଟାଣ୍ଡରେ ଛାଡ଼ିଥିଲା। ରାଜଗାଙ୍ଗପୁର ଥାନାରେ ଅଭିଯୋଗ ହେବା ପରେ ଥାନା ଅଧିକାରୀ ଗୋକୁଳା ନନ୍ଦ ସାହୁ ଏବଂ ମହିଳା ସବ୍ ଇନ୍‌ସପେକ୍ଟର ସୁଶ୍ରୀ ବାଙ୍ଗି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଗତ ୬ ଦିନ ମଧ୍ୟରେ ଜିଲ୍ଲାରେ ଏହା ୫ମ ଦୁଷ୍କର୍ମ ମାମଲା। ହେମଗିରରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା, ରାଜଗାଙ୍ଗପୁରରେ ସିଲେଇ ଶିକ୍ଷା ସାରି ଫେରୁଥିବା ନାବାଳିକାଙ୍କୁ ଦୁଷ୍କର୍ମ, କୁଆରମୁଣ୍ଡା ଅଞ୍ଚଳରେ ଏକ ବିବାହ ଉତ୍ସବରୁ ଟେକି ନେଇ ଜଣେ ନାବାଳିକାଙ୍କୁ ୧୦ ଜଣଙ୍କ ଦୁଷ୍କର୍ମ ଏବଂ କେନ୍ଦୁଘାଟି ଜଙ୍ଗଲରେ ଜଣେ ଅଜଣା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। କ୍ରମାଗତ ଦୁଷ୍କର୍ମ ମାମଲାରେ ଜିଲ୍ଲାରେ ମହିଳାଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର