୮୫ ଦିନରେ ରାଜ୍ୟରେ ୩ ହଜାରରୁ ଅଧିକ ପଜିଟିଭ୍‌ ଚିହ୍ନଟ

ଦିନକରେ ୧୯୦ ଆକ୍ରାନ୍ତ, ୯୯ ସୁସ୍ଥ
୧ରୁ ୧୦୦ ପାଇଁ ଲାଗିଥିଲା ୪୧ଦିନ
୧୦୧ରୁ ୩୦୦୦ ଟପିଲା ୪୪ ଦିନରେ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୩ ହଜାର ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୦ ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୪୬ରେ ପହଞ୍ଚିଛି। ଏପରିକି ରାଜ୍ୟର ୧୦ଟି ଜିଲ୍ଲାରେ ଏବେ ଶହେରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ଗଞ୍ଜାମରେ ଏହା ୬ଶହ ପାର୍ ହୋଇଯାଇଛି। ଅପରପକ୍ଷରେ ଆଜି ୯୯ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୯୯୩ରେ ପହଞ୍ଚିଛି।

ତେବେ ରାଜ୍ୟରେ ଏବେ କରୋନାର ଯେଉଁ ପ୍ରକାର ଧାରା ବା ଟ୍ରେଣ୍ଡ ଦେଖିବାକୁ ମିଳିଛି, ଯଦି ତାହା ଆଉ କିଛି ଦିନ ଲାଗି ରହେ, ତାହାଲେ ରାଜ୍ୟରେ ସ୍ଥିତି ବିଗିଡ଼ି ଯାଇପାରେ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟର ପ୍ରଥମ କରୋନା ପଜିଟିଭ୍‌ ମାର୍ଚ ୧୫ ତାରିଖରେ ଚିହ୍ନଟ ହୋଇଥିଲେ। ପରବର୍ତ୍ତୀ ସମୟରେ ଏକାଧିକ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ହେଁ ଏହାର ଗତି ଅତ୍ୟନ୍ତ ମନ୍ଥର ରହିଥିଲା। ସଂଖ୍ୟା ୧୦୦ ଛୁଇଁବା ପାଇଁ ୪୧ଦିନ ସମୟ ଲାଗିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଏହା ପରେ ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଆସିବାରୁ ଓଡ଼ିଶାର କରୋନା ଗଣିତ ବିଗିଡ଼ି ଯାଇଥିଲା। ସେବେଠାରୁ ଦ୍ରୁତ ଗତିରେ କରୋନା ସଂଖ୍ୟା ରାଜ୍ୟରେ ବଢ଼ି ଚାଲିଛି। ସଂକ୍ରମିତ ସଂଖ୍ୟା ୧୦୧ରୁ ୩ ହଜାରରେ ପହଞ୍ଚିବା ଲାଗି ମାତ୍ର ୪୪ ଦିନ ସମୟ ଲାଗିଛି। ୮୫ ଦିନରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ପାର୍‌ କରିଛି।

DW

ରାଜ୍ୟ ସରକାର ଜୁନ୍ ମାସକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି। ଚଳିତ ମାସରେ ମୌସୁମୀ ଆସିବାକୁ ଥିବା ବେଳେ ଯେଉଁ ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି, ସେମାନଙ୍କ ପ୍ରଭାବରେ ଆସନ୍ତା ୧୫ଦିନ ଭିତରେ ସ୍ଥିତି ସ୍ପଷ୍ଟ ହେବ ବୋଲି ସରକାର କହୁଛନ୍ତି। ଯଦି ରାଜ୍ୟ ସରକାର ଏହି ଆଶଙ୍କା ସତ ହୁଏ, ତାହାଲେ ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଆହୁରି ବଢ଼ିବ। ଏପରିକି ଜୁନ୍‌ ଶେଷ ସୁଦ୍ଧା ରାଜ୍ୟରେ ୧୦ହଜାର କରୋନା ମାମଲା ହେବ ବୋଲି ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର(ବୈଷୟିକ) ଡା. ଜୟନ୍ତ ପଣ୍ଡା କିଛିଦିନ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ଅପରପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଅନ୍ୟ ରୋଗରେ ପ୍ରାଣ ହରାଇଥିବା ସରକାର ଘୋଷଣା କରିଛନ୍ତି। ତେଣୁ ପଜିଟିଭ୍‌ ସଂଖ୍ୟାରେ ବୃଦ୍ଧି ଘ‌ଟିଲେ, କରୋନା ଜନିତ ମୃତ୍ୟୁକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଫଳରେ ଆଗକୁ ରାଜ୍ୟରେ କରୋନାଜନିତ ଆହୁରି ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଆଜି ରାଜ୍ୟର ୧୮ଟି ଜିଲ୍ଲାର ଯେଉଁ ୧୯୦ ଜଣଙ୍କୁ ଚିହ୍ନଟ କରାଯାଇଛି ଏଥିରେ ସର୍ବାଧିକ ୬୭ ଜଣ ରହିଛନ୍ତି। ସକାଳେ ପ୍ରଥମେ କଟକ ଜିଲ୍ଲାରେ ୧୫ ଜଣ ସଂକ୍ରମିତ ହୋଇଥିବା ସୂଚନା ‌ଦିଆଯାଇଥିବା ବେଳେ ସନ୍ଧ୍ୟାରେ ଆଉ ୫୨ ଜଣ ପଜିଟିଭ୍‌ ଆସିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ସେହିପରି ଗଞ୍ଜାମ ଜିଲ୍ଲାର ୩୩, ଖୋର୍ଧା ୧୩, ସୁନ୍ଦରଗଡ଼ ୧୨, ଭଦ୍ରକ ୧୧, କେନ୍ଦୁଝର ଓ କନ୍ଧମାଳ ୧୦ ଲେଖାଏଁ, ପୁରୀ ୭, ଯାଜପୁର ଓ ମୟୂରଭଞ୍ଜରୁ ୬ଜଣ ଲେଖାଏଁ, ନୟାଗଡ଼, ନୂଆପଡ଼ା ଓ ଢେଙ୍କାନାଳରୁ ୩ଜଣ ଲେଖାଏଁ, କଳାହାଣ୍ଡିରୁ ୨ଜଣ, କେନ୍ଦ୍ରାପଡ଼ା, ବଲାଙ୍ଗୀର, ସମ୍ବଲପୁର ଓ ରାୟଗଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ୧୩୮ ପଜିଟିଭ୍‌ ମଧ୍ୟରୁ ୧୨୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୩ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟର ୧୦ଟି ଜିଲ୍ଲାରେ ଶହେରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତହିଁରୁ ୭ଟି ଉପକୂଳ ଜିଲ୍ଲା ରହିଛି। ଏହି ଜିଲ୍ଲା ଗୁଡ଼ିକରୁ ୧୬୯୧ ପଜିଟିଭ୍ ଚିହ୍ନଟ କରାଯାଇଛି। ଯାହାକି ସମୁଦାୟ ଆକ୍ରାନ୍ତ ସଂଖ୍ୟାର ୫୬ ପ୍ରତିଶତ। ଏଯାଏ ଗଞ୍ଜାମରେ ୬୩୧, ଯାଜପୁର ୩୨୫, ଖୋର୍ଧା ୨୫୭, କଟକ ୨୩୬, ବାଲେଶ୍ବର ୧୯୦, କେନ୍ଦ୍ରାପଡ଼ା ୧୬୭, ଭଦ୍ରକ ୧୫୧, ବଲାଙ୍ଗୀର ୧୨୨, ସୁନ୍ଦରଗଡ଼ ୧୧୧, ପୁରୀରେ ୧୦୮ ପଜିଟିଭ୍ ବାହାରିଛନ୍ତି। ଏହାବାଦ୍ ନୟାଗଡ଼ ୯୦, ଜଗତସିଂହପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ରହିଛି।

ଅପରପକ୍ଷରେ ଆଜି ୯୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାଜପୁରରେ ୧୬, ଖୋର୍ଧା ୧୩, କେନ୍ଦ୍ରାପଡ଼ା ୧୧, ୯ ଗଞ୍ଜାମ, ୮ ଦେବଗଡ଼, କଟକ ଓ ଜଗତସିଂହପୁର ୭ଜଣ ଲେଖାଏଁ, ବାଲେଶ୍ବର, ବରଗଡ଼, ବଲାଙ୍ଗୀରରୁ ୬ଜଣ ଲେଖାଏଁ, କେନ୍ଦୁଝର ୪, ନୟାଗଡ଼ ୩, କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏବେ ୧୯୯୩ଜଣ ରୋଗୀ ସୁସ୍ଥ ହୋଇସାରିଲେଣି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୬୬.୫୬‌ ରହିଛି। ରାଜ୍ୟରେ ଏବେ ୯୯୦ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି। ଅପରପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧ଲକ୍ଷ ୭୯ହଜାର ୪୧୫ କୋଭିଡ ନମୁନା ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର