ପକ୍କା ରାସ୍ତା ସହ ବିଜୁଳି ନମିଳିଲେ ପ୍ରଶାସନକୁ ଜବାବ ଦିଆଯିବ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ନିରୀହ ଆଦିବାସୀଙ୍କୁ ବିକାଶର ପ୍ରତିଶ୍ରୁତି ଦେଇ ନେତା ଠକିବାରେ ଲାଗିଛନ୍ତି। ଉପାନ୍ତ ଇଲାକାର ଗ୍ରାମଗୁଡିକରେ ବର୍ତ୍ତମାନ ସୁଦ୍ଧା ମୌଳିକା ସେବା ପହଞ୍ଚିନାହିଁ। ରାସ୍ତାଠାରୁ ଆରମ୍ଭ କରି ବିଜୁଳି ଓ ଶିକ୍ଷା, ଚିକିତ୍ସା ସେବା ଆଦି ସେମାନଙ୍କ ପାଇଁ ସାତସପନ ପାଲଟିଛି। ତେଣୁ ରାସ୍ତା ସହ ବିଜୁଳି ନମିଳିଲେ ରାସ୍ତାରୋକ କରି ପ୍ରଶାସନକୁ ଜବାବ ଦିଆଯିବ ବୋଲି ସଦର ବ୍ଲକ ବୀରଲକ୍ଷ୍ମଣପୁର ପଞ୍ଚାୟତର ଗୁଡୁମପଦର ଗ୍ରାମବାସୀ ବୁଧବାର ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି।

ପ୍ରତିଶ୍ରୁତି ଦେଇ ଠକୁଛନ୍ତି ନେତା

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ଗ୍ରାମରୁ ଗତନଗୁଡା ଏବଂ ମେଟାପଦର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ବାରମ୍ବାର ଗ୍ରାମବାସୀ ରାଜନେତାଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ ମଧ୍ୟ କେହି ସହଯୋ କରୁନାହାନ୍ତି। ଏହି ଗ୍ରାମଗୁଡିକ ପାହାଡ ତଳେ ରହିଛି।

ଏହି ଗ୍ରାମକୁ ନା ପଞ୍ଚାୟତ, ନା ବ୍ଲକ ପ୍ରଶାସନ କାହାର ହେଲେ ନଜର ପଡୁନି। ଗୁହାରି କଲେ ବି ସୁଫଳ ମିଳୁନି। ପ୍ରତି ୫ ବର୍ଷକୁ ଥରେ ରାଜନେତାମାନେ ଗ୍ରାମକୁ ଆସି ଭୋଟ ଭିକ୍ଷା କରିଥାନ୍ତି। କିନ୍ତୁ ସେମାନଙ୍କୁ ରାସ୍ତା ସଂପର୍କରେ ଅବଗତ କରାଇଲେ ଭୋଟ ସରିବା ପରେ ନିଶ୍ଚିତ ଭାବେ କାମ କରିବୁ ବୋଲି ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି। ଏଥର ମଧ୍ୟ ଗ୍ରାମକୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆସି ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ପୂର୍ବଭଳି ଏମାନେ ବି ଭୁଲିଯିବେ। ରାସ୍ତା ନଥିବାରୁ ବିଶେଷକରି ବର୍ଷାଦିନେ ବହୁ ହଇରାଣ ହେବାକୁ ପଡୁଛି।

ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବାକୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଛି। ଏହି ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ରାଜନେତାମାନଙ୍କ ପ୍ରତିଶ୍ରୁତି ପରେ ପୁଣି ଭୋଟ ଦେଇଛନ୍ତି। କେବଳ ଏତିକିରେ ଦୁଃଖ ସରିନାହିଁ। ଗ୍ରାମଟି ଜଂଗଲ ନିକଟରେ ରହିଥିବାରୁ ଜଂଗଲରୁ ପ୍ରତିଦିନ ଜଂଗଲିଜନ୍ତୁ ଗାଁରେ ପଶି ଉତ୍ପାତ ମଚାଉଛନ୍ତି। ତେଣୁ ଗ୍ରାମରେ ବିଦ୍ୟୁତ ଲାଇଟର ବ୍ୟବସ୍ଥା କରିବା ପାଇଁ ମଧ୍ୟ ଦାବି କରିଆସୁଥିଲେ। ରାତିରେ ଗ୍ରାମରେ ଅନ୍ଧକାର ଛାଇଯାଉଥିବାରୁ କେଉଁ ଜାଗାରେ ଜନ୍ତୁ ଲୁଚି ରହିଛନ୍ତି ଜଣାପଡୁନାହିଁ। ତେଣୁ ରାତିରେ ଘରୁ ପଦାକୁ ବାହାରିବା ଏକ ପ୍ରକାର ବିପଦପୂର୍ଣ୍ଣ। ପ୍ରଶାସନ ତରଫରୁ ଯଦି ଏଥର ପକ୍କା ରାସ୍ତାକୁ ସହ ଗ୍ରାମରେ ବିଦ୍ୟୁତ ସଂଯୋଗ କରାନଯାଏ ତେବେ ଆଗାମୀ ଦିନରେ ରାସ୍ତା ରୋକ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବେ ବୋଲି ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର