ୱେବସାଇଟ୍‌ରେ ଉପନ୍ୟାସ : ସୃଜନିକା ନାଁରେ ମାମଲା କଲେ ପ୍ରତିଭା ରାୟ

ଖଣ୍ଡଗିରି : ଜ୍ଞାନପୀଠ ଓ ମୂର୍ତିଦେବୀ ପୁରସ୍କାର ବିଜୟିନୀ ଲେଖିକା ପ୍ରତିଭା ରାୟଙ୍କ ଉପନ୍ୟାସଗୁଡ଼ିକୁ ତାଙ୍କ ବିନା ଅନୁମତିରେ ୱେବସାଇଟ୍‌ରେ ଅପଲୋଡ୍‌ କରାଯାଇଛି। ଖଣ୍ଡଗିରି ଜାଗମରାସ୍ଥିତ ଓଡ଼ିଆ ବିଭବ ନାମକ ଏକ ସଂସ୍ଥା ସୃଜନିକା ୱେବସାଇଟ୍‌ରେ ଶ୍ରୀମତୀ ରାୟଙ୍କ ଉପନ୍ୟାସଗୁଡ଼ିକୁ ଅପଲୋଡ୍‌ କରିଛି। କପି ରାଇଟ୍ ନିୟମକୁ ଅନୁସରଣ ନ କରି ଓଡ଼ିଆ ବିଭବ ସଂସ୍ଥା ଶ୍ରୀମତୀ ରାୟଙ୍କ ପୁସ୍ତକଗୁଡ଼ିକର ଡିଜିଟାଇଜେସନ୍ କରିଥିବାରୁ ପୁସ୍ତକଗୁଡ଼ିକର ମୂଳ ପ୍ରକାଶନୀ ସଂସ୍ଥା ବିପୁଳ କ୍ଷତି ସହିଛି। ତେଣୁ ରବିବାର ଏ ନେଇ ଖଣ୍ଡଗିରି ଥାନାରେ ଶ୍ରୀମତୀ ରାୟ ଅଭିଯୋଗ କରିଛନ୍ତି ଓ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଶ୍ରୀମତୀ ରାୟ ଖଣ୍ଡଗିରି ଥାନାରେ କରିଥିବା ଅଭିଯୋଗ ଅନୁସାରେ, ଜାଗମରାସ୍ଥିତ ଓଡ଼ିଆ ବିଭବ ସଂସ୍ଥାର ମାଲିକ ନିଖିଳ ମୋହନ ପଟ୍ଟନାୟକ ଏହି ଡିଜିଟାଇଜେସନ୍ କରିଛନ୍ତି। ୨୦୧୨ ମସିହାରୁ ସେ ସୃଜନିକା ୱେବସାଇଟ୍‌ରେ ତାଙ୍କର ବହୁ ପୁସ୍ତକକୁ ଅପଲୋଡ୍‌ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଯାଜ୍ଞସେନୀ, ଆଦିଭୂମି, ମୋହମୋହ, ମହାରାଣୀପୁତ୍ର ଭଳି ବିଶିଷ୍ଟ ପୁରସ୍କାରପ୍ରାପ୍ତ ଉପନ୍ୟାସ ରହିଛି। ସେହିଭଳି ବହୁ ଭ୍ରମଣ କାହାଣୀ, କ୍ଷୁଦ୍ରଗଳ୍ପ ମଧ୍ୟ ସୃଜନିକାରେ ଅପଲୋଡ୍‌ କରାଯାଇଛି। କପି ରାଇଟ୍ ନିୟମ ଅନୁସାରେ ନିଖିଳ ମୋହନ ତାଙ୍କଠାରୁ କୌଣସି ପ୍ରକାର ଅନୁମତି ଆଣିନଥିବା ସେ ଅଭିଯୋଗ କରିଛନ୍ତିି। ଫଳରେ ୨୦୧୨ ମସିହାରୁ ତାଙ୍କ ଉପନ୍ୟାସ ଓ ବହୁଗୁଡ଼ିକରୁ ବିକ୍ରି ବହୁ ପରିମାଣରେ ହ୍ରାସ ପାଇଛି ଓ ଏଥିପାଇଁ ତାଙ୍କ ବହିଗୁଡ଼ିକର ପ୍ରକାଶନୀ ସଂସ୍ଥା ‘ଆଦି ପ୍ରକାଶନୀ’ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର କ୍ଷତି ସହିଛି ବୋଲି ଶ୍ରୀମତୀ ରାୟ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ୩ତାରିଖରେ ଶ୍ରୀମତୀ ରାୟ ନିଖିଳ ମୋହନଙ୍କ ନିକଟକୁ ଏକ ଓକିଲ ନୋଟିସ୍ ପଠାଇଥିଲେ। ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀଙ୍କ ବିନି ମିଶ୍ରଙ୍କ ଜରିଆରେ ସେ ନିଖିଳ ମୋହନଙ୍କୁ ନୋଟିସ୍ କରି ଜବାବ ମାଗିଥିଲେ। କିନ୍ତୁ କୌଣସି ଜବାବ ନ ପାଇବା ପରେ ସେ ଆଜି ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ଖଣ୍ଡଗିରି ଥାନା ଆଇଆଇସି ହିମାଂଶୁ ଭୂଷଣ ସ୍ୱାଇଁଙ୍କ କହିବା କଥା କପି ରାଇଟ୍ ଆକ୍ଟରେ ମାମଲା କରାଯାଇଛି ଓ କାର୍ଯ୍ୟାନୁଷ୍ଠାନ ପାଇଁ ତଦନ୍ତ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର