ପଛୁଆବର୍ଗ ଗଣନା କଥା ଭୁଲିଗଲେ, କରୋନା ପାଇଁ ସ୍ଥଗିତ ଥିଲା ଗଣନା

କେନ୍ଦ୍ରକୁ ଏ ଯାଏ ଚିଠି ଲେଖିନାହାନ୍ତି କମିସନ୍‌
କମିସନ୍‌ଙ୍କ ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି ସରକାର

ଭୁବନେଶ୍ୱର : କରେନା ଦ୍ୱିତୀୟ ଲହର ପାଇଁ ରାଜ୍ୟରେ ପଛୁଆ ବର୍ଗ ଗଣନାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଏବେ ଦ୍ବିତୀୟ ଲହର ପ୍ରକୋପ କମିଛି। ଏହା ମଧ୍ୟରେ ଗୋଟିଏ ବିଧାନସଭା ଉପନିର୍ବାଚନ ହୋଇସାରିଲାଣି। ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଚାଲିଛି। ରାଜନୈତିକ ଓ ସରକାରୀ ସମାବେଶ ହେଉଛି। କିନ୍ତୁ ଆଉ ପଛୁଆ ବର୍ଗ ଗଣନାର ନାଁ ଧରୁ ନାହାନ୍ତି ସରକାର। ଏହି ଗଣନା କେବେ ହେବ ନା ସମ୍ପୂର୍ଣ୍ଣ ହେବ ନାହିଁ, ତାହାର ଉତ୍ତର କାହା ପାଖରେ ନାହିଁ। ସରକାର ପ୍ରକ୍ରିୟା ଆରମ୍ଭ କରୁ ନ ଥିବାରୁ ଓବିସି କମିସନ୍ ବି ହାତ ବାନ୍ଧି ବସିବାକୁ ବାଧ୍ୟ ହୋଇଛନ୍ତି।

ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପଛୁଆ ବର୍ଗ ଗଣନା ପାଇଁ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ପ୍ରକ୍ରିୟା ଆରମ୍ଭ କରିଥିଲା। ଏଥିପାଇଁ ଆଇନରେ ଆବଶ୍ୟକ ସଂଶୋଧନ ପରେ କମିସନ୍ ତାରିଖ ସ୍ଥିର କରିଥିଲେ। ମେ’ ୧ରୁ ଏହି ଗଣନା ଆରମ୍ଭ ହୋଇଥା’ନ୍ତା। ଯେହେତୁ ଓଡ଼ିଶାର ଜନସଂଖ୍ୟାର ୫୪ ପ୍ରତିଶତ ପଛୁଆ ବର୍ଗର, ତେଣୁ ଗଣନା ଦ୍ବାରା ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ସମ୍ପର୍କରେ ସରକାର ଜାଣିପାରିଥା’ନ୍ତେ। ସେହି ଅନୁଯାୟୀ ସେମାନଙ୍କର ଅଧିକ ବିକାଶ ପାଇଁ କି ପଦକ୍ଷେପ ନିଆଯିବ, ତାହା ଉପରେ ବିଚାର ବିମର୍ଶ ହୋଇଥା’ନ୍ତା। ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ୨୦୨୧ ଜନଗଣନା ବେଳେ ଜାତି ଭିତ୍ତିକ ଗଣନା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପକ୍ଷରୁ ଅନୁରୋଧ କରାଯାଇଥିଲା। କିନ୍ତୁ କେନ୍ଦ୍ର ସରକାର ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେଥିପାଇଁ ଓଡ଼ିଶା ସରକାର ଏହି ଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା।

Deccan Herald

ପଛୁଆ ବର୍ଗ ଗଣନା ପାଇଁ ସବୁ ପ୍ରସ୍ତୁତି ଚାଲିଥିଲା ବେଳେ କରୋନାର ଦ୍ବିତୀୟ ଲହର ଆସିଲା। ଫଳରେ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଗଲା। କିନ୍ତୁ ତାହା ପରେ ଏହି ଗଣନାକୁ ସରକାର ଏକ ପ୍ରକାର ଭୁଲିଗଲେଣି। ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦% ଭିତରେ ସଂରକ୍ଷଣ ସୀମିତ ରଖିବାକୁ ଆଇନରେ ସଂଶୋଧନ କଲା ପରେ ଆଉ ପଛୁଆ ବର୍ଗଙ୍କ ଗଣନା ଯେପରି ସରକାରଙ୍କ ପାଖରେ ଗୁରୁତ୍ବ ରଖୁନି। ଯଦିଓ ଏହି ସଂଶୋଧନ ଦ୍ବାରା ସରକାର ଚତୁରତାର ସହ ୨୭% ପର୍ଯ୍ୟନ୍ତ ପଛୁଆ ବର୍ଗ ପାଇଁ ସଂରକ୍ଷଣ କରାଯାଇପାରିବ ବୋଲି ଉଲ୍ଲେଖ କରିଛନ୍ତି, କିନ୍ତୁ ବାସ୍ତବରେ ୨୭% ତ ଦୂରର କଥା ୨୦% ମଧ୍ୟ ସଂରକ୍ଷଣ ଛୁଇଁବା ସମ୍ଭବ ନୁହେଁ। ରାଜ୍ୟରେ ପଛୁଆ ବର୍ଗ ଗଣନା ହେଲେ ହିଁ ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଅଧିକ ସଂରକ୍ଷଣ ରଖିବାକୁ ସରକାରଙ୍କ ପାଖରେ ବଳିଷ୍ଠ ଯୁକ୍ତି ରୁହନ୍ତା। କୋର୍ଟରେ ମଧ୍ୟ ଏହି ଯୁକ୍ତି ଦେଖାଇ ସରକାର ସଂରକ୍ଷଣରେ ୫୦% ସୀମାକୁ ହଟାଇବା ପାଇଁ ଉଦ୍ୟମ କରିପାରନ୍ତେ। କିନ୍ତୁ ସରକାର ଆଉ ଏ ଦିଗ ପ୍ରତି ଗୁରୁତ୍ବ ଦେଉ ନ ଥିବା ଦେଖାଯାଉଛି। ଫଳରେ ପଛୁଆ ବର୍ଗ ସେମାନଙ୍କ ହକ୍‌ରୁ ବଞ୍ଚିତ ହେଉଛନ୍ତି। ପଛୁଆ ବର୍ଗଙ୍କୁ ନେଇ କେବଳ ରାଜନୀତି ସିନା ହେଉଛି, କିନ୍ତୁ ସେମାନଙ୍କ ପାଇଁ ଆନ୍ତରିକତା କେତେ ତାହା ଧରାପଡ଼ିଯାଉଛି। ସରକାର ଗଣନା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଆଉ ବିରୋଧୀ ଏ କଥା ଭୁଲିଯାଇଛନ୍ତି। ବିରୋଧୀଙ୍କ ଅନାଗ୍ରହ ସରକାରଙ୍କୁ ବି ବେଶ୍ ସୁହାଉଛି।

Business Standard

କେବଳ ପଛୁଆ ବର୍ଗ ଗଣନାକୁ ଯେ ଟାଳି ଦିଆଯାଇଛି ତାହା ନୁହେଁ। ବିଧାନସଭାରେ ଏକ ସଂକଳ୍ପ ପାରିତ ହେଲା ପରେ ଏ ଯାଏ ରାଜ୍ୟ ଓବିସି କମିସନ୍ କେନ୍ଦ୍ରକୁ ଚିଠି ଲେଖି ନାହାନ୍ତି। ସେପ୍ଟେମ୍ବର ମାସ ୯ ତାରିଖରେ ବିଧାନସଭାରେ ପଛୁଆ ବର୍ଗ ଗଣନା ସମ୍ପର୍କିତ ଏକ ସଂକଳ୍ପ ପାରିତ ହୋଇଥିଲା। ଏଥିରେ ରାଜ୍ୟ ଓବିସି କମିସନ୍‌ଙ୍କୁ କୁହାଯାଇଥିଲା ଯେ ଜାତିଭିତ୍ତିକ ସଂରକ୍ଷଣରେ ଧାର୍ଯ୍ୟ ସ‌ର୍ବୋଚ୍ଚ ସୀମା ୫୦ ପ୍ରତିଶତରୁ ଅଧିକ କରିବା ପାଇଁ ତଥା ଓବିସିଙ୍କ ଠିକ୍ ସଂଖ୍ୟା ଜାଣିବା ନିମନ୍ତେ ସେମାନଙ୍କର ଜାତିଭିତ୍ତିକ ଗଣନା କରାଯିବାକୁ ଭାରତ ସରକାରଙ୍କୁ କମିସନ୍ ପତ୍ର ଲେଖିବେ। ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ ଓଡ଼ିଶାର ମୋଟ୍‌ ଜନସଂଖ୍ୟାରେ ଓବିସିଙ୍କ ଆନୁପାତିକ ସଂଖ୍ୟାକୁ ବିଚାର କଲେ ତାହା ସଂରକ୍ଷଣ ନୀତିରେ ସେମାନଙ୍କ ପ୍ରତିନିଧିତ୍ବର ଯଥାର୍ଥତା ପ୍ରଦାନ କରୁ ନାହିଁ। ଓବିସି ବର୍ଗର ସଂରକ୍ଷଣ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଣୀତ ବିଭିନ୍ନ ସଂକଳ୍ପ ଓ ଆଇନ କୋର୍ଟ‌ରେ ରଦ୍ଦ ହୋଇଯାଇଛି। କାରଣ ଏହି ବର୍ଗର ଠିକ୍ ଜନସଂଖ୍ୟାର ପରିସଂଖ୍ୟାନ ନାହିଁ। ୨୦୨୧ ଜନଗଣନା ବେଳେ ଏହି ବର୍ଗର ସାମାଜିକ, ଅର୍ଥନୈତିକ ଓ ଶୈକ୍ଷିକ ଅବସ୍ଥା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ଓବିସି କମିସନ୍‌ ଭାରତ ସରକାରଙ୍କୁ ଚିଠି ଲେଖି ଏ ସମ୍ପର୍କରେ ନିଜ ଆଭିମୁଖ୍ୟ ଉପସ୍ଥାପନ କରନ୍ତୁ। ରାଜ୍ୟର ଓବିସି ବର୍ଗର ଲୋକଙ୍କୁ ଠିକ୍ ନ୍ୟାୟ ପ୍ରଦାନ ନିମନ୍ତେ ଓ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଏହି ସଂକଳ୍ପ ଅଣାଯାଇଛି। ବିରୋଧୀ ଦଳ ଅନୁପସ୍ଥିତିରେ ଏହି ସଂକଳ୍ପ ପାରିତ ହୋଇଥିଲା। ପାରିତ ହେବାର କିଛି ଦିନ ପରେ ସଂକଳ୍ପଟିକୁ କମିସନ୍ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। କମିସନ୍ ଅଧ୍ୟକ୍ଷ ସରକାରଙ୍କ ଠାରୁ ଜାଣିବାକୁ ଚାହିଁଛନ୍ତି ଯେ ଏମିତି କିଛି ଅନୁରୋଧ ପୂର୍ବରୁ କେନ୍ଦ୍ରକୁ ଯାଇଥିଲା କି ନାହିଁ? ଯଦି ଯାଇଛି, ତେବେ ତାହାର ପୂର୍ଣ୍ଣାଙ୍ଗ ବିବରଣୀ ଦିଆଯାଉ। ସେହି ଅନୁଯାୟୀ କମିସନ୍ କେନ୍ଦ୍ରକୁ ଚିଠି ଲେଖିବେ। କିନ୍ତୁ ଅଧ୍ୟକ୍ଷଙ୍କ ଏହି ପ୍ରଶ୍ନର ଉତ୍ତର ସରକାର ଦେଉ ନାହାନ୍ତି। ଫଳରେ ସଂକଳ୍ପ ପାରିତ ହେବାର ପାଖାପାଖି ୪୦ ଦିନ ହୋଇଯାଇଥିଲେ ବି କେନ୍ଦ୍ରକୁ ଚିଠି ଲେଖାଯାଇପାରିଲା ନାହିଁ। ତେଣୁ ପଛୁଆ ବର୍ଗଙ୍କୁ ନେଇ କେବଳ ଉପର ଠାଉରିଆ କାମ ହେଉଥିବା ସ୍ପଷ୍ଟ ହେଉଛି। ଏ ଦିଗରେ କୌଣସି ସ୍ତରରେ ଆଦୌ ତତ୍ପରତା ପ୍ରକାଶ ପାଉ ନାହିଁ।

ଏ ସମ୍ପର୍କରେ ଓବିସି କମିସନ୍ ଅଧ୍ୟକ୍ଷ ଜଷ୍ଟିସ୍ ରଘୁନାଥ ବିଶ୍ବାଳଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ ଜାତିଭିତ୍ତିକ ଗଣନା କେବେ ହେବ, କରୋନା ସ୍ଥିତିକୁ ଦେଖି ସରକାର ନିଷ୍ପତ୍ତି ନେଲା ପରେ କମିସନ୍ ପ୍ରକ୍ରିୟା ଆରମ୍ଭ କରିବେ। ବିଧାନସଭାର ସଂକଳ୍ପ ମୋର ହସ୍ତଗତ ହୋଇଛି। କିନ୍ତୁ ସେ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ମୁଁ ସଦସ୍ୟ ସଚିବଙ୍କୁ ଲିଖିତ ଭାବେ ଦେଇଛି। ଏ ଯାଏ ଉତ୍ତର ମିଳି ନାହିଁ। ସରକାରଙ୍କ ଠାରୁ ଉତ୍ତର ମିଳିଲା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର