ହତ୍ୟା ଅଭିଯୋଗରେ ପ୍ରେମିକା ଗିରଫ, ଅନ୍ୟ ଅଭିଯୁକ୍ତ ଫେରାର

ନିଖୋଜ ଶିକ୍ଷକଙ୍କ ଦରପୋଡ଼ା ଶବ ଉଦ୍ଧାର ଘଟଣା

ତୁଷୁରା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଘଣ୍ଟାପଡ଼ା ଫାଣ୍ଡି ଉଡ଼େର ଗାଁର ଶିକ୍ଷକ ବାସୁଦେବ ଭୋଇ (୨୫) ହତ୍ୟା ମାମଲାରେ ପୁଲିସ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ବିରାମୁଣ୍ତା ପଞ୍ଚାୟତ କର୍ଲାଖମନ ଗାଁର ତାଙ୍କ ପ୍ରେମିକା (୨୨)କୁ ଗିରଫ କରିଛି। ଏହି ମାମଲାର ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ୧୨ତାରିଖରୁ ଉଡ଼େର ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ବାସୁଦେବ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି କରି ନପାଇବାରୁ ବାସୁଦେବଙ୍କ ବିଧବା ମା’ ଏନେଇ କଣ୍ଟାମାଳ ଥାନାରେ ଅଭିଯୋଗ କରିଥିଲେ। ନିଖୋଜର ୧୦ ଦିନ ପରେ ତୁଷୁରା ଥାନା କର୍ଲାଖମନ ଗାଁ ମୁଣ୍ତ ରାହୁଲ ନଦୀକୂଳରୁ ବାସୁଦେବଙ୍କ ଦରପୋଡ଼ା ଶବ ଉଦ୍ଧାର କରାଯାଇଥିଲା। ତୁଷୁରା ଥାନା ପୁଲିସ କର୍ଲାଖମନ ଗାଁର ସଂପୃକ୍ତ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପୁଲିସ ତଦନ୍ତରୁ ଜାଣି ପାରିଥିଲା ଯେ ଗତ ୪ ବର୍ଷ ହେଲା କର୍ଲାଖମନ ଗାଁର ଉକ୍ତ ଯୁବତୀ ଓ ବାସୁଦେବଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ଇତିମଧ୍ୟରେ ବାସୁଦେବଙ୍କ ବାହାଘର ମଧ୍ୟ ଠିକ ହୋଇଥିଲା। ଏହା ଯୁବତୀ ଜାଣିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଯୋଜନା ମୁତାବକ ଯୁବତୀ ଜଣକ ବାସୁଦେବଙ୍କୁ ନିଜ ଘରକୁ ଡାକି ହତ୍ୟା କରିବା ପରେ ଗାଁ ମୁଣ୍ତରେ ଥିବା ଏକ ନାଳାରେ ପୋଡ଼ି ଦେଇଥିବା ସ୍ବୀକାର କରିଥିଲା। କୁଆଡ଼େ ବାସୁଦେବ ଉକ୍ତ ଯୁବତୀଙ୍କୁ ବ୍ଲାକମେଲିଂ କରୁଥିବାରୁ ସେ ହତ୍ୟା କରିଥିବା ପୁଲିସକୁ କହିଥିଲା। ଶବ ପୋଡ଼ିବା ପାଇଁ କିରୋସିନ ଓ ପୁଆଳ ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଗୋଟିଏ ଶାବଳ, ପୋଡ଼ି ଯାଇଥିବା ୬ଖଣ୍ତ ଚୁଡ଼ି, ଗୋଟିଏ ପ୍ୟାକେଟ ସିନ୍ଦୂର ଓ ପୋଡ଼ିଯାଇଥିବା ମୋବାଇଲର କିଛି ଅଂଶ ଜବତ କରାଯାଇଛି।

ଏହି ଘଟଣାର ତଦନ୍ତରେ ବଲାଙ୍ଗୀର ଏସ୍‌ଡିପିଓ ତୋଫାନ ବାଗଙ୍କ ନେତୃତ୍ବରେ ତୁଷୁରା ଥାନାଧିକାରୀ ସଂଜୀବ ପଧାନ, ପୁଇଁତଲା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ ପ୍ରମୁଖ ସାମିଲ ଥିଲେ। ଏ ନେଇ ତୁଷୁରା ଥାନାରେ ନଂ. ୨୯/୨୨ରେ ଏକ ମାମଲା ରୁଜୁ କରାଯାଇ ଶୁକ୍ରବାର ଉକ୍ତ ଯୁବତୀକୁ ବଲାଙ୍ଗୀର କୋର୍ଟକୁ ଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଶୀଘ୍ର ଧରାଯିବ ବୋଲି ତୁଷୁରା ଥାନାଧିକାରୀ ଶ୍ରୀ ପଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର