ରାଜ୍ୟସ୍ତରୀୟ ସିଙ୍ଗିଲ୍ ଓ୍ୱିଣ୍ଡୋ କ୍ଲିଅରାନ୍ସ କମିଟି ବୈଠକ : ୯୨୨ କୋଟିର ପୁଞ୍ଜିନିବେଶ ଓ ୨୬୫୦ ନିଯୁକ୍ତି ଆଶା

ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଓ ସ୍ପଞ୍ଜ ଆଇରନ କ୍ଷେତ୍ରରେ ୫ଟି ପ୍ରକଳ୍ପ
ଖୋର୍ଦ୍ଧାରେ ପିସିବି କାରଖାନା, ଡେରାସରେ ସି ଫୁଡ୍ ପାର୍କ,
ଭୁବନେଶ୍ୱରରେ ଆଉ ଏକ ୪ ତାରକା ହୋଟେଲକୁ ଅନୁମୋଦନ
କେନ୍ଦୁଝରର ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟ ଇସ୍ପାତ କାରଖାନା ହେବ
ଜଳ ଆବଣ୍ଟନକୁ ଅଧିକ ବାସ୍ତବବାଦୀ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : କେନ୍ଦୁଝରରେ ଥିବା ସ୍ପଞ୍ଜ ଆଇରନ କାରଖାନାର ସଂପ୍ରସାରଣ ହୋଇ ସମନ୍ବିତ ଇସ୍ପାତ କାରଖାନା ହେବ। ଖୋର୍ଦ୍ଧାର ଡେରାସରେ ସି ଫୁଡ୍‌ ପାର୍କ୍‌ ଓ ଭୁବନେଶ୍ବରରେ ନିର୍ମାଣ ହେବ ଆଉ ଗୋଟିଏ ଚାରି ତରକା ହୋଟେଲ। ପର୍ଯ୍ୟଟନ, ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ୯୨୨ କୋଟି ଟଙ୍କାର ପୁଞ୍ଜିନିବେଶକୁ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିଅରାନ୍ସ କମିଟି ଅନୁମୋଦନ କରିଛି। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲା ପାଇଁ ୫ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏସବୁ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ମୋଟ ୨୬୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି। ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଯେପରି ଶୀଘ୍ର କାର୍ଯ୍ୟକ୍ଷମ ହେବ ସେଥିପାଇଁ ପଦକ୍ଷେପ ନେବାକୁ ଶିଳ୍ପ ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ନିଷ୍ପତ୍ତି ଅନୁଯାୟୀ, ଖୋର୍ଦ୍ଧା ଇନଫୋଭ୍ୟାଲି ସ୍ଥିତ ଇଲେକ୍ଟ୍ରୋନିକ୍ସ୍‌ ସିଷ୍ଟମ୍‌ ଡିଜାଇନ୍ ଆଣ୍ଡ୍ ମାନ୍ୟୁଫାକଚରିଂ (ଇଏସ୍‌ଡିଏମ୍‌) ପାର୍କଠାରେ ୧ ଲକ୍ଷ ୪୪ ହଜାର ବର୍ଗ ମିଟର କ୍ଷମତା ବିଶିଷ୍ଟ ପ୍ରିଣ୍ଟେଡ଼୍‌ ସର୍କିଟ୍‌ ବୋର୍ଡ଼୍‌ (ପିସିବି) ନିର୍ମାଣ ପାଇଁ ପ୍ଲାଣ୍ଟ୍‌ ପ୍ରତିଷ୍ଠା କରାଯିବ। ମୋଟ୍ ୯୬ କୋଟି ୮୦ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି ପ୍ଲାଣ୍ଟ୍‌ ପ୍ରତିଷ୍ଠା ହେଲେ ୪୨୫ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଆକଳନ କରାଯାଇଛି। ସେହିପରି ଡେରାସରେ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ରେ ଅତିରିକ୍ତ ନିବେଶ କରାଯିବ। ୮୫ କୋଟି ୯୪ ଲକ୍ଷ ଟଙ୍କାର ପ୍ରସ୍ତାବିତ ସି ଫୁଡ୍ ପାର୍କକୁ କମିଟି ବୈଠକରେ ଅନୁମୋଦନ ମିଳିଛି। ଏହି ପାର୍କ୍ ପ୍ରତିଷ୍ଠା ହେଲେ ୫୮୦ ଜଣ ନିଯୁକ୍ତି ପାଇବେ। ସେହିପରି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଏକ ଅବସର ବିନୋଦନ ପାର୍କ ପ୍ରତିଷ୍ଠା ଲାଗି ଆସିଥିବା ପ୍ରସ୍ତାବକୁ ସିଙ୍ଗିଲ୍ ​​​ଵିଣ୍ଡୋ କମିଟି ମଞ୍ଜୁର କରିଛି। ୧୦୭ କୋଟି ୧୦ ଲକ୍ଷ ଟଙ୍କା ବିନିଯୋଗରେ ପ୍ରସ୍ତାବିତ ଏହି ପାର୍କରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ୫୦୦ ଲୋକ ନିଯୁକ୍ତି ପାଇବେ ବୋଲି ଲକ୍ଷ୍ୟ ରଖାଯାଇଛି। ପର୍ଯ୍ୟଟକଙ୍କ ପାଇଁ ରାଜଧାନୀ ଭୁବନେଶ୍ବରରେ ଆଉ ଗୋଟିଏ ୪ ତାରକା ବିଶିଷ୍ଟ ହୋଟେଲ ନିର୍ମାଣ ହେବ। ହୋଟେଲ ନିର୍ମାଣ ପାଇଁ ୫୯ କୋଟି ୮ ଲକ୍ଷ ଟଙ୍କା ବିନିଯୋଗ ହେବ। ଆଉ ଏଥିରେ ୧୬୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କେନ୍ଦୁଝରରେ ୦.୦୫ ଏମଟିପିଏ କ୍ଷମତା ବିଶିଷ୍ଟ ଇସ୍ପାତ ପ୍ରକଳ୍ପକୁ ୦.୨୮୨ ଏମଟିପିଏ କ୍ଷମତା ବିଶିଷ୍ଟ କରିବାକୁ ଆସିଥିବା ସଂପ୍ରସାରଣ ଓ ଆଧୁନିକୀକରଣ ପ୍ରସ୍ତାବକୁ ବି ମଞ୍ଜୁରି ମିଳିଛି। ଏହି ସଂପ୍ରସାରଣ ପ୍ଲାଣ୍ଟ୍ ପାଇଁ ୫୭୩ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ ହେବ ଏବଂ ଏଥିରେ ୯୭୮ ଜଣ ନିଯୁକ୍ତି ସୁଯୋଗ ପାଇବେ।

ଏସବୁ ଅନୁମୋଦିତ ଶିଳ୍ପ ପାଇଁ ଆବଶ୍ୟକତା ଅନୁଯାୟୀ ଯେପରି ଜଳ ଯୋଗାଣ ହେବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ଗୁରୁତ୍ବ ଦିଆଯାଇଛି। ଏହାସହିତ ଯେଉଁ ଶିଳ୍ପମାନେ ଆବଣ୍ଟିତ ଜଳ ବ୍ୟବହାର କରୁନାହାନ୍ତି ତୁରନ୍ତ ସେମାନଙ୍କ ଆବଣ୍ଟନକୁ ଫେରସ୍ତ କରି ପୁନଃଆବଣ୍ଟନ ପାଇଁ ପଦକ୍ଷେପ ନେବାକୁ ଶିଳ୍ପ ଓ ଜଳ ସମ୍ପଦ ବିଭାଗ ସଚିବମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍କଗୁଡ଼ିକ ପାଇଁ ଇଡ୍‌କୋ ମାଧ୍ୟମରେ ଜମି ଯୋଗାଇ ଦିଆଯିବ। ଏଥିପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ୍ ମ୍ୟାନେଜର ଇଡ୍‌କୋ ତରଫରୁ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ ବୋଲି ବୈଠକଲେ ସ୍ଥିର କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲରୁ ସେପ୍ଟେମ୍ବର ଭିତରେ ପୁଞ୍ଜିନିବେଶ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ୧୮% ନିବେଶ ହୋଇପାରିଛି ବୋଲି ବୈଠକରୁ ଜଣାପଡ଼ିଛି। ବୈଠକରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର