କୋଭିଡ୍‌ କଟକଣାକୁ ଫୁ; ପୁଅ ବାହାଘରରେ ବିରାଟ ପଟୁଆର : ବର ସମେତ ୫ ବନ୍ଧା‌ ହେଲେ

୫୦ ହଜାର ଜରିମାନା; ଦୁଇ ଦାମୀ କାର୍‌ ଜବତ, ସାତ ଦିନ ପାଇଁ ହୋଟେଲ ମେ’ଫେୟାର ସିଲ୍

ବ୍ରହ୍ମପୁର/ଗୋପାଳପୁର : ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସାଂଘାତିକ ସ୍ଥିତିରେ ଥିବାବେଳେ ସବୁ କଟକଣା ଓ ନିୟମକୁ ଫୁ କରିଦେଲେ ବ୍ରହ୍ମପୁର ସହରର ଏକ ପ୍ରତିଷ୍ଠିତ ହୋଟେଲ୍‌ର ମାଲିକ। ନିଜ ପୁଅ ବାହାଘର ପାଇଁ କୋଭିଡ୍‌ ନିୟମ ଅନୁସାରେ ପ୍ରଶାସନଠାରୁ ଅନୁମତି ଆଣିଥିଲେ। କିନ୍ତୁ ବାସ୍ତବରେ କ‌ଲେ ଓଲଟା। ସବୁ ନିୟମକୁ ଜଳାଞ୍ଜଳି ଦେଇଦେଲେ। ରୋଷଣି, ଡିଜେ, ନାଚଗୀତ ଭିତରେ ବିଶାଳ ପଟୁଆ‌ରରେ ଶହ ଶହ ବରଯାତ୍ରୀ ବିଶାଳ ପଟୁଆ‌ରରେ ବିଚ୍‌ରାସ୍ତାରେ ତାରକା ହୋଟେଲକୁ ଗଲେ। ଆଉ ପ୍ରାୟ ୧ ହଜାର ଅତିଥିଙ୍କ ଗହଣରେ ବାହାଘର ଉତ୍ସବ ଧୁମ୍‌ଧାମ୍‌ରେ ହେଲା। ଦୁଇଦିନ ପରେ ଆଜି ଏହାର ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ସଂକ୍ରାନ୍ତରେ ଗୋପାଳପୁର ଥାନାରେ ମାମଲା ରୁଜୁ ହୋଇଛି। ପ୍ରାଥମିକ ତଦନ୍ତ ପରେ କୋଭିଡ଼୍‌ ନିୟମର ଉଲ୍ଲଂଘନ ଆଧାରରେ ମାମଲା ରୁଜୁ କରାଯିବା ସହ ବର ସମେତ ୫ ଜଣଙ୍କୁ ଗିରଫ କରା ଯାଇଛି। କେବଳ ସେତିକି ନୁହେଁ, କରୋନା କଟକଣା ଉଲ୍ଲଂଘନ କରିଥିବାରୁ ଗୋପାଳପୁରର ହୋଟେଲ ମେ ଫେୟ‌ାରକୁ ମଧ୍ୟ ୭ଦିନ ପାଇଁ ସିଲ୍ କରି ଦିଆଯାଇଛି। ହୋଟେଲ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ ତାଙ୍କଠାରୁ ୫୦,୦୦୦ ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି।

ଗତ ୨ତାରିଖରେ ବ୍ରହ୍ମପୁର ସହର ମିଲିଟାରିଲାଇନର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ଦୀପକ ରଞ୍ଜନଙ୍କ ବିବାହ ଉତ୍ସବ ଗୋପାଳପୁର ସ୍ଥିତ ହୋଟେଲ ମେ ଫେୟାରରେ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ସହରରେ କୃଷ୍ଣଙ୍କ ପରିବାରର ‘ନନ୍ଦନ’ ନାମରେ ଏକ ହୋଟେଲ ରହିଛି। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କଠାରୁ କୃ‌ଷ୍ଣ ଅନୁମତି ନେଇଥିଲେ। କିନ୍ତୁ ଅନୁମତିରେ ଥିବା ସର୍ତ୍ତ ଉଲ୍ଲଂଘନ କରି ହୋଟେଲରେ ମହାଆଡ଼ମ୍ବରରେ ବାହାଘର ଉତ୍ସବ ହୋଇଥିଲା। ଆଜି ସକାଳେ ଏହି ବାହାଘର ଉତ୍ସବ ଓ ବରଯାତ୍ରୀ ଶୋଭାଯାତ୍ରାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଶତାଧିକ ବରଯାତ୍ରୀ ବିନା ମାସ୍କ୍‌ରେ ସାମାଜିକ ଦୂରତ୍ୱ ନ ରଖି ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଡି‌ଜେର ତାଳେ ତାଳେ ହାତକୁ ହାତ ଛନ୍ଦି ନାଚୁଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ଖୋଲା କାର୍‌ରେ ବର ନିଜେ ମଧ୍ୟ ନୃତ୍ୟ କରୁଥିଲେ। ଭିଡ଼ିଓରୁ ଏହି ବାହାଘରରେ କୋଭିଡ଼୍‌ର ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ ହୋଇଥିଲା। କରୋନା ସଂକଟ ବେଳେ ସାଧାରଣତଃ ଲୋକଙ୍କୁ ବିବାହ ପାଇଁ ଅନୁମତି ମିଳୁ ନ ଥିବା ବେଳେ ଏଠି ଏକ ତାରକା ହୋଟେଲ ଭିତରେ କରାଯାଉଥିବା ବିବାହରେ ସବୁ ନିୟମ ଭଙ୍ଗ ହୋଇଛି। ନାଚ ଗୀତରେ ହୋଟେଲ ପରିସର କମ୍ପିଥିଲା। ବର ପାଖରେ ବହୁ ଲୋକ ରହିଥିବା ବେଳେ କାହା ମୁହଁରେ ମାସ୍କ ନ ଥିଲା।

ଏହି ଭିଡିଓ ଭାଇରାଲ୍‌ ହେବା ପରେ ଜିଲ୍ଲା ଓ ପୁଲିସ ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଥିଲା। ପୁଲିସ ହୋଟେଲ୍‌ ମେ ଫେୟାର୍‌କୁ ଯାଇ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ତନ୍ନତନ୍ନ କରି ଯାଞ୍ଚ କରି ଫୁଟେଜ ଜବତ କରିଛି। ଉପଜିଲ୍ଲାପାଳଙ୍କଠାରୁ ନିଆ ଯାଇଥିବା ଅନୁମତି ପତ୍ର ଏବଂ ହୋଟେଲ ବୁକିଂ ରେଜିଷ୍ଟ୍ରାର ପୁଲିସ ଯାଞ୍ଚ କରିବା ସହ ଅଧିକ ତଦନ୍ତ ଲାଗି ତାହାକୁ ଆଣିଛି। ଗୋପାଳପୁର ଥାନାରେ ଆଇପିସିର ଧାରା ୧୮୮, ୨୬୯, ୨୭୦, ୩୪ ଓ ୩ ଓଡ଼ିଶା ମାହାମାରୀ ନିୟନ୍ତ୍ରଣ ଆଇନ ଓ ୫୧ ବିପର୍ଯ୍ୟୟ ପରିଚାଳନା ଆଇନ ବଳରେ ୯୪/୨୦୨୦ରେ ଏକ ମାମଲା ରୁଜୁ ହୋଇଛି। ବର ଦୀପକ ରଞ୍ଜନ ସାହୁ, ବରପିତା କୃଷ୍ଣଚନ୍ଦ୍ର ସାହୁ, ଶିବରାମ ସାହୁ, ସନ୍ତୋଷ ସାହୁ ଓ ବିନୋଦ ସାହୁଙ୍କୁ ଗିରଫ କରାଯାଇଛି। କୃଷ୍ଣ, ବିନୋଦ, ଶିବରାମ ଓ ସନ୍ତୋଷ ୪ ଭାଇ ବୋଲି ଜଣାପଡ଼ିଛି। ତାଙ୍କର ଦୁଇଟି ଦାମୀ କାର୍‌କୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ଆହୁରି ଗିରଫ ହେବେ ବୋଲି ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର