‘ଫନି’ ଟଙ୍କା ପାଇଁ ସ୍ବାମୀ-ସ୍ତ୍ରୀ ବିଚ୍ଛେଦ, ଟଙ୍କା-ଘର ପାଇଁ କେଳେଙ୍କାରୀ

ସହାୟତା ପାଇବେ ୧୦ରୁ ଅଧିକ ଦମ୍ପତି, ହିତାଧିକାରୀ ତାଲିକାରେ ବି ମୃତକ

କଟକ: କଟକ ଜିଲ୍ଲା ସାଲେପୁର ବ୍ଳକ୍‌ କଟରପା ପଞ୍ଚାୟତର ନବକିଶୋର ମହାନ୍ତି। ଫନି କ୍ଷତିଗ୍ରସ୍ତ ତାଲିକାରେ ନାଁ ରହିଥିବାରୁ ତାଙ୍କୁ ସରକାରୀ ସହାୟତା ମିଳିବ। ଖାଲି ତାଙ୍କୁ କାହିଁକି, ପତ୍ନୀ ଅଞ୍ଜନାଙ୍କ ଘର ଭାଙ୍ଗି ଯାଇଥିବାରୁ ସେ ମଧ୍ୟ ସହାୟତା ପାଇଁ ହକ୍‌ଦାର୍‌ ହୋଇଛନ୍ତି। ସରକାରୀ ସହାୟତା ପାଇଁ ଏହି ଦମ୍ପତି ଏକାଠି ଥାଇ ବି ବିଚ୍ଛେଦ! ଖାଲି, ନବକିଶୋର କି ଅଞ୍ଜନା ନୁହନ୍ତି, ବିଚ୍ଛେଦ ତାଲିକାରେ ଆହୁରି ଅନେକ ସ୍ବାମୀ-ସ୍ତ୍ରୀ ରହିଛନ୍ତି। ୧୦ରୁ ଅଧିକ ସ୍ବାମୀ-ସ୍ତ୍ରୀ ସରକାରୀ ସହାୟତା ହାତେଇବା ପାଇଁ ଏହିଭଳି ଫନ୍ଦି କରିଥିବା ଜଣାପଡ଼ିଛି। ବିଭିନ୍ନ ସମୟରେ ସହାୟତା ହା‌େତଇବା ପାଇଁ ଚଞ୍ଚକତା କରିବା ନୂଆ ନୁହେଁ, ମାତ୍ର ଏଥିପାଇଁ ‌େଯ ସ୍ବାମୀ-ସ୍ତ୍ରୀଙ୍କୁ ବିଚ୍ଛେଦ ହୋଇଥିବାର ନାଟକ କରିବାକୁ ପଡ଼ିବ- ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ!

‘ଫନି’ମାଡ଼ରେ ମାହାଙ୍ଗା ବ୍ଲକ୍‌ରେ ଦୁଇ ତାଲା କୋଠାଘର ଉଡ଼ି ଯିବାର ସରକାରୀ ଖାତାରେ ରେକର୍ଡ ଥିଲା। କିନ୍ତୁ ସାଲେପୁର ବ୍ଲକ୍‌ରେ ‘ଫନି’ ପାଇଁ ଏକାଧିକ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଚ୍ଛେଦ ହେବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଅର୍ଥାତ ସ୍ବାମୀ-ସ୍ତ୍ରୀ ଅଲଗା ଅଲଗା ଘରେ ରହିଥିଲେ ଏବଂ ସେମାନଙ୍କ ଘର ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତ ତାଲିକାରେ ସେମାନଙ୍କ ନାମ ରହିବା ସହିତ ସହାୟତା ମଂଜୁର ହୋଇଛି। ସାଲେପୁର ବ୍ଲକ୍‌ କଟରପା ପଂଚାୟତରେ ଏଭଳି ଘଟଣା ସରକାରୀ ବ୍ୟବସ୍ଥାର ଚରମ ଦୁର୍ନୀତିକୁ ଧରା ପକାଇ ଦେଇଛି। କେଉଁଠି ସ୍ବାମୀକୁ ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ମିଳିଥିବାବେଳେ ସ୍ତ୍ରୀକୁ ମିଳିଛି ଆଂଶିକ ସହାୟତା। କେଉଁଠି ସ୍ତ୍ରୀକୁ ସଂପୂର୍ଣ୍ଣ ଘର ଭଙ୍ଗା ସହାୟତା ମିଳିଥିବାବେଳେ ସ୍ବାମୀକୁ ମିଳିଛି ଆଂଶିକ କ୍ଷତିପୂରଣ ରାଶି। କେବଳ ସେତିକି ନୁହେଁ ଜଣେ ହିତାଧିକାରୀ ଦୁଇ ଦୁଇ ଥର ସହାୟତା ପାଇଥିବା ବେଳେ ଗୋଟିଏ ପରିବାରର ପୁଅ, ବୋହୂ, ଶାଶୂ, ଶ୍ବଶୁର ଓ କିଛି ମୃତ ବ୍ୟକ୍ତିଙ୍କ ନାମ ମଧ୍ୟ ରହିଛି କ୍ଷତିଗ୍ରସ୍ତ ତାଲିକାରେ। ଏଭଳି ଅନେକ ହିତାଧିକାରୀ କ୍ଷତିପୂରଣ ଟଙ୍କା ହାତେଇ ସାରିଲେଣି।

ତାଲିକାରେ ଗୋଟିଏ ପରିବାରରୁ ୫ ଜଣ

ସୂଚନା ଅନୁସାରେ, କଟକ ଜିଲ୍ଲାରେ ‘ଫନି’ କ୍ଷୟକ୍ଷତି ତାଲିକାରେ ବ୍ୟାପକ ଚଂଚକତା ହୋଇଥିବା ସଂପର୍କରେ ବିଭିନ୍ନ ପଞ୍ଚାୟତରେ ପ୍ରତିବାଦର ସ୍ବର ସାମନାକୁ ଆସୁଛି। ଏହାକୁ ନେଇ ଖୋଳତାଡ ଆରମ୍ଭ ହେବା ସହ କ୍ଷତିପୂରଣ ରାଶି ପ୍ରଦାନ କରାଯାଉଥିବା ଅନେକ ବ୍ଲକ୍‌ରେ ବର୍ତ୍ତମାନ ତଦନ୍ତ ନ ସରିବା ପର୍ଯ୍ୟନ୍ତ କ୍ଷତିପୂରଣ ଆଉ ଦିଆଯିବନି ବୋଲି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ସାଲେପୁର ବ୍ଳକ୍‌ ଅନ୍ତର୍ଗତ କଟରପା ପଂଚାୟତରେ ଫନି କ୍ଷତିଗ୍ରସ୍ତଙ୍କ ତାଲିକାର ୨୦୪ ନମ୍ବରରେ ରହିଛି ନବକିଶୋରଙ୍କ ନାମ। ତାଙ୍କ ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ତାଙ୍କୁ ୯୭ହଜାର ୨ଶହ ଟଙ୍କାର କ୍ଷତିପୂରଣ ମିଳିବ ବୋଲି ତାଲିକାରେ ଦର୍ଶାଯାଇଛି। ସେହିପରି ତାଙ୍କ ସ୍ତ୍ରୀ ଅଞ୍ଜନାଙ୍କର ମଧ୍ୟ ସଂପୂର୍ଣ୍ଣ ଘର ଭାଙ୍ଗିଯାଇଥିବାରୁ ତାଙ୍କୁ ମଧ୍ୟ ୯୫ହଜାର ୧୦୦ଟଙ୍କାର ସହାୟତା ମିଳିବ। ସଂଯୁକ୍ତା ଓଝାଙ୍କର ସଂପୂର୍ଣ୍ଣ ଘର ଭାଙ୍ଗିଥିବା ଦର୍ଶାଯାଇ ତାଙ୍କୁ ୯୫ହଜାର ୧୦୦ଟଙ୍କା ଓ ସ୍ବା‌ମୀ ସୁବାସ ଓଝାଙ୍କ ଆଂଶିକ ଘର ଭାଙ୍ଗି ଯାଇଥିବା ଦର୍ଶାଯାଇ ୩୨ଶହ ଟଙ୍କା ସହାୟତା ମିଳିବ ବୋଲି ଦର୍ଶାଯାଇଛି। ସଂଯୁକ୍ତା ମଲ୍ଲିକଙ୍କ ସଂପୂର୍ଣ୍ଣ ଘର ଭାଙ୍ଗି ଥିବାବେଳେ ତାଙ୍କୁ ୯୫ହଜାର ୧୦୦ଟଙ୍କା ଓ ସ୍ବାମୀ ବିଜୟଙ୍କ ନାଁରେ ୫୩ ଶହ ଟଙ୍କା ମିଳିବାର ସୁପାରିସ ହୋଇଛି।

ସୁଶିଲ ନନ୍ଦ ଓ ସ୍ତ୍ରୀ ଗୀତାଞ୍ଜଳି ନନ୍ଦଙ୍କ ନାଁ କ୍ଷତିଗ୍ରସ୍ତ ତାଲିକାରେ ରହିବା ସହ ଉଭୟେ ୩୨ଶହ ଟଙ୍କା ଲେଖାଏଁ କ୍ଷତିପୂରଣ ପାଇବେ ବୋଲି ରେକର୍ଡ କହୁଛି। ଉକ୍ତ ପରିବାରର ୩ଜଣଙ୍କ ନାମରେ ସହାୟତା ରାଶି ଆସିଥିବାବେଳେ ସେଥିରୁ ପରିବାର ମୁଖ୍ୟଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ସେ ମଧ୍ୟ ଫନି ସହାୟତା ରାଶି ପାଇବା ତାଲିକାରେ ଅଛନ୍ତି। ସେହିପରି ସ୍ବର୍ଣ୍ଣଲତା ସାହୁ ଓ ସ୍ବାମୀ ସୁରେନ୍ଦ୍ର କ୍ଷତିପୂରଣ ପାଇଛନ୍ତି। ଅନେକ କୋଠାଘର ଥିବା ବ୍ୟକ୍ତିଙ୍କ ଘର ଉଡି ଯାଇଥିବା ରେକର୍ଡ କହୁଛି। ସେମାନଙ୍କୁ ମଧ୍ୟ ଏଥିପାଇଁ ମିଳିଛି ଘରଭଙ୍ଗା ସହାୟତା। ପ୍ରାୟ ସବୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଅଧାରୁ ଅଧିକ ସହାୟତା ଟଙ୍କା ଯାଇଥିବା ବେଳେ ଅଳ୍ପ କିଛି ହିତାଧିକାରୀଙ୍କର ଟଙ୍କା ପାଇବା ବାକି ରହିଛି। ସାଲେପୁର ବ୍ଲକ୍‌ର କଟରପା ପଞ୍ଚାୟତ ଭଳି ବିଭିନ୍ନ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଅନିୟମିତତା। ସୂଚନା ଅଧିକାର ଆଇନ ତଥ୍ୟରୁ ମିଳିଥିବା ତଥ୍ୟ ଅନୁସାରେ ଏଭଳି ଚଂଚକତା ପଦାକୁ ଆସିଛି। ଏ ସଂପର୍କରେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଏସଆରସିଙ୍କ ନିକଟରେ ଅଭିଯୋଗ କରିଥିବା‌ ସୂଚନା ମିଳିଛି।

ସମ୍ବନ୍ଧିତ ଖବର