ପୁଣି ଉଠିଲା ବେତନ ବୃଦ୍ଧି ଜାଲିଆତି ପ୍ରସଙ୍ଗ: କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

କେନ୍ଦୁଝର : ମାତ୍ର ମାସକ ପାଇଁ ବେତନ ବୃଦ୍ଧି ‌ହେଲା। ଏଥିପାଇଁ ଜିଲ୍ଲା ଶିକ୍ଷା ବିଭାଗରେ ହାତଗୁଞ୍ଜା କାରବାର କରାଗଲା। ମାସକ ପରେ ପୁଣି ବେତନ କମାଇବା ପାଇଁ ଶିକ୍ଷା ବିଭାଗରୁ ଚାପ ପଡ଼ିଲା। ଏନେଇ ସାହରପଡ଼ା ବ୍ଲକ୍‌ ଗଣ୍ଡବେଡ଼ାସ୍ଥିତ ପଞ୍ଚାନନ ଉଚ୍ଚ ବିଦ୍ୟାଳୟର ଅଧିକ ବେତନ ପାଇଥିବା କର୍ମଚାରୀମାନେ ଲିଖିତଭାବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇ ନ୍ୟାୟ ମାଗିଲେ। ଯେଉଁ ଚିଠି ବଳରେ ବେତନ ବୃଦ୍ଧି ହୋଇଥିଲା ସେଥିରେ ତତ୍କାଳୀନ ଜିଲ୍ଲା ଶିକ୍ଷାଧିକାରୀ କପି‌ଳେନ୍ଦ୍ର ମିଶ୍ରଙ୍କ ସ୍ବାକ୍ଷର ଥିଲେ ବି ତାହା ଏକ ଜାଲ୍‌ ଚିଠି ବୋଲି ସଫେଇ ଦେଇ ମାମଲାକୁ ଶିକ୍ଷା ବିଭାଗ ଚାପି ଦେଇଥିଲା। ଏନେଇ ‘ବେତନ ବୃଦ୍ଧିରେ ଜାଲିଆତି’ ଶୀର୍ଷକ‌ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏବେ ଖୋଦ୍‌ ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ଗତ ୨୮ ତାରିଖରେ ଏହି ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଘଟଣାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି‌ରେ ଉଲ୍ଲେଖ ରହିଛି।

କେନ୍ଦୁଝର ଜିଲ୍ଲା ସାହରପଡ଼ା ବ୍ଲକ୍‌ ଗଣ୍ଡବେଡ଼ାସ୍ଥିତ ପଞ୍ଚାନନ ଉଚ୍ଚ ବିଦ୍ୟାଳୟର କର୍ମଚାରୀଙ୍କ ସମସ୍ୟାକୁ ଉତ୍‌ଥାପନ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ଚିଠି ନଂ-୧୭୨/ଜେଡ୍‌ପି(କେ)ରେ ଉଲ୍ଲେଖ କରିଛନ୍ତି ଯେ, ତତ୍କାଳୀନ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ସ୍ବାକ୍ଷରରେ ଗତ ନଭେମ୍ବର ୧୩ ତାରିଖ ଚିଠି ନଂ-୧୨୦୮୧ରେ ଉକ୍ତ ବିଦ୍ୟାଳୟକୁ ଏକ ଚିଠି ଯାଇଥିଲା। ଯେଉଁଥିରେ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ୬୦ ପ୍ରତିଶତ ବୃଦ୍ଧି ହୋଇଛି ବୋଲି ଦର୍ଶାଯାଇଥିଲା। ଉକ୍ତ ବିଦ୍ୟାଳୟର କର୍ମଚାରୀମାନେ ମଧ୍ୟ ଗୋଟିଏ ମାସ ପାଇଁ ୬୦ ପ୍ରତିଶତ ବର୍ଦ୍ଧିତ ଦରମା ପାଇଥିଲେ।

ମାତ୍ର ଗୋଟିଏ ମାସ ପ‌ରେ ଅର୍ଥାତ ଡିସେମ୍ବର ମାସରେ ଦରମା ୬୦ ପ୍ରତିଶତ ବଦଳରେ ୪୦ ପ୍ରତିଶତ ବୃଦ୍ଧି ହେବ ଏବଂ ପୂର୍ବମାସର ଅଧିକ ଦରମା ବାବଦ ଅର୍ଥ ଫେରସ୍ତ ଦେବାକୁ କୁହାଯାଇ ସାଦା କାଗଜରେ ବିଦ୍ୟାଳୟ କର୍ମଚାରୀଙ୍କଠାରୁ ଲେଖି ନିଆଯାଇଥିଲା। ଏହି ଘଟଣାକୁ ନେଇ କ୍ଷୁବ୍ଧ ହୋଇଥିଲେ ବିଦ୍ୟାଳୟର କର୍ମଚାରୀ। ତେବେ ବେତନ ବଢ଼ିବା ଏବଂ କମିବା ଭିତରେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲାଞ୍ଚ କାରବାର।

ଏ ସମ୍ପର୍କରେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ସେମାନେ ଦର୍ଶାଇଥିଲେ ଯେ, ‌ଚିଠି ନମ୍ବର ୧୨୦୮୧ ଅନୁସାରେ ବିଦ୍ୟାଳୟ କର୍ମଚାରୀଙ୍କ ଦରମା ବିଲ୍‌ କରାଯାଇ ଶିକ୍ଷା ବିଭାଗରେ ଦାଖଲ କରାଯାଇଥିଲା। ସେହି ଅନୁସାରେ ୬୦ ପ୍ରତିଶତ ବର୍ଦ୍ଧିତ ଦରମା ମଧ୍ୟ ମିଳିଥିଲା। ବେତନ ବୃଦ୍ଧି ସମୟରେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ୫୦ ହଜାର ଟଙ୍କା ସଂଗ୍ରହ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଦେଇଥିଲେ। ଏବେ ପୁଣି ବେତନ ବୃଦ୍ଧି ଭୁଲକ୍ରମେ ହୋଇଥିଲା ବୋଲି କହିବା ଦ୍ବାରା ସେମାନେ ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି ବୋଲି ଏକାଧିକ କର୍ମଚାରୀ ଏବଂ ଶିକ୍ଷକ ଲିଖିତଭାବେ ଜଣାଇଥିଲେ। ଇତିମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ବଦଳି ହୋଇସାରିଲାଣି। ସେ ବଦଳିବା ପରେ ମାମଲା ଦୀର୍ଘଦିନ ଧରି ଚପି ଯାଇଥିଲା। ଏବେ ପୁଣି ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାମଲାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିବା ପରେ ଏହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର