୬ରେ ଓଡ଼ିଶା ଫେରିବେ ଜଗା-ବଳିଆ

ଖୁସି ହେଲେ ବାପା-ମା’

ଭୁବନେଶ୍ବର : ଯୋଡ଼ା ମୁଣ୍ଡରୁ ଅଲଗା ହୋଇ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା-ବଳିଆ ଆସନ୍ତା ୬ତାରିଖରେ ଓଡ଼ିଶା ଫେରିବେ। ୭ତାରିଖରେ ସେମାନେ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପହଞ୍ଚିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।

ଶ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ, ଜଗା-ବଳିଆ ୬ତାରିଖରେ ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସରେ ଆସିବେ। ସେମାନଙ୍କ ସହ ଦିଲ୍ଲୀ ଏମ୍‌ସର ଡା. ଦୀପକ ଗୁପ୍ତା, ଡା. ଜି.ରଥ, ଡା. କେ.କୁମାର ଓ ଏ. ଡାନିଏଲ ଆସୁଥିବାବେଳେ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ସହକାରୀ ପ୍ରଫେସର ଡା. ଏସ୍‌.ଏସ୍‌ ବରିହା, ଡା. ବି.ପି ନାୟକ ଓ ଓଡ଼ିଶା ନିବାସର ଅଧିକାରୀ ଡି. କେ. ସାମଲ ଆସୁଛନ୍ତି। ଏସ୍‌ସିବି ମେଡିକାଲରେ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ନ୍ୟୁରୋସର୍ଜରି ବିଭାଗର ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଡାକ୍ତରୀଦଳ ଗଠନ କରାଯାଇଛି। ଏହି ଦଳ ଜଗା-ବଳିଆଙ୍କ ଚିକିତ୍ସା ଦାୟିତ୍ବରେ ରହିବେ। ସେମାନଙ୍କୁ ନ୍ୟୁରୋସର୍ଜରି ବିଭାଗରେ ଏକ ସ୍ବତନ୍ତ୍ର କ୍ୟାବିନ୍‌ରେ ରଖାଯିବ। ଏସ୍‌ସିବିରେ ଜଗା-ବଳିଆଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏସ୍‌ସିବି ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ଡା. ସି.ବି.କେ ମହାନ୍ତିଙ୍କୁ ନିର୍ଦେଶ ଦିଆଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଖୁସି ହେଲେ ବାପା-ମା’

ନୂଆଦିଲ୍ଲୀ : ଆସନ୍ତା ମାସ ୬ରେ ଜଗା-ବଳିଆଙ୍କୁ କଟକର ଏସ୍‌ସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବା ଖବର ଶୁଣି ଜଗା ବଳିଆଙ୍କ ବାପା ମା’ ଭୂୟାଁ କହଁର ଓ ପୁଷ୍ପାଞ୍ଜଳୀ କହଁର ଖୁସି ବ୍ୟକ୍ତ କରିଛନ୍ତି। ସେମାନେ ଆଶା ବ୍ୟକ୍ତ କରିଛନ୍ତି ଯେ ଓଡ଼ିଶାରେ ଦୁଇ ଶିଶୁ ଜଗା-ବଳିଆ ଉପଯୁକ୍ତ ଚିକିତ୍ସା ସୁବିଧା ପାଇ ପାରିବେ। ପୂର୍ବରୁ ଘରକୁ ଫେରିଯିବା ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ଅପିଲ୍‌ କରିଥିଲେ। ଶେଷରେ ରାଜ୍ୟ ସରକାର ସେମାନଙ୍କ ଅନୁରୋଧକୁ ରକ୍ଷା କରି ଦୁଇ ଶିଶୁଙ୍କୁ କଟକକୁ ସ୍ତାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ସେମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ୨୫ ମାସରୁ ଜଗା-ବଳିଆଙ୍କ ଚିକିତ୍ସା ଏମ୍ସରେ ଜାରି ରହିଛି। ଆଗକୁ ଓଡ଼ିଶାରେ ଜଗା-ବଳିଆଙ୍କର ଚିକିତ୍ସାରେ ଡାକ୍ତର ମାନେ ପୂର୍ଣ୍ଣ ସହଯୋଗ କରିବେ ବୋଲି ସେମାନଙ୍କ ବାପା ମା’ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର