ମୋବାଇଲ୍‌ ପାଇଁ ଜୀବନ ଗଲା : ମା’ ବାରଣ କରିବାରୁ ନଦୀକୁ ଡେଇଁପଡ଼ିଲେ ଛାତ୍ର

ବିଂଝାରପୁର : ମାତ୍ର ଦୁଇଦିନ ତ‌ଳେ ମୋବାଇଲ୍‌ରେ ଅନ୍‌ଲାଇନ୍‌ ଗେମ୍‌ ଖେଳି ଟଙ୍କା ହରାଇବା ପରେ ବାପାମା’ ଆକଟ କରିବାରୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ। କେନ୍ଦୁଝର ଜିଲ୍ଲାର ଯୋଡ଼ା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଆଜି ଯାଜପୁରରେ ‌ସେହିଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି। ମୋବାଇଲ୍‌ ପାଇଁ ଘର ଲୋକ ମନା କରିବାରୁ ଜଣେ ଛାତ୍ର ନଦୀକୁ ଡେଇଁ ପ୍ରାଣ ହରାଇଛନ୍ତି। ଚଳିତ ଶିକ୍ଷାବର୍ଷରେ ଏଯାଏ ପାଠପଢ଼ା ଆରମ୍ଭ ହୋଇ ନ ଥିବାବେଳେ କୋମଳମତି ସ୍କୁଲ କଲେଜ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପାଠପଢ଼ୁଛନ୍ତି। ଫଳରେ ସେମାନଙ୍କ ମଧ୍ୟରେ ମୋବାଇଲର ବ୍ୟବହାର ବହୁମାତ୍ରାରେ ବଢ଼ିଯାଇଛି। ଅନ୍ୟପଟେ ମୋବାଇଲ ବ୍ୟବହାରକୁ ନେଇ ଅଭିଭାବକଙ୍କ ଆକଟ ଯୋଗୁ ଲଗାତାର ଏହିଭଳି କରୁଣ ପରିସ୍ଥିତି ସାମ୍‌ନାକୁ ଆସିବାରେ ଲାଗଛି।

ମୃତ ଛାତ୍ର ହେଲେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ଚନ୍ଦ୍ରମୁଁ ପଞ୍ଚାୟତ ଅନ୍ତର୍ଗତ ବାଣପୁର ଗ୍ରାମର କରୁଣାକର ସାମଲଙ୍କ ପୁଅ ବରୁଣ (୧୫)। ବରୁଣ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷ‌ା ପାସ୍‌ କରିବା ପରେ କଲେଜରେ ନାମ ଲେଖାଇଥା’ନ୍ତେ। କଲେଜରୁ ନାମଲେଖା ପାଇଁ ଡକରାକୁ ଅପେକ୍ଷା କରିଥିଲେ। ଗତକାଲି ଅପରାହ୍ନରେ ବରୁଣ ମୋବାଇଲ୍‌ରେ ଖେଳୁଥିଲେ। ଏହାକୁ ନେଇ ମା’ ବିରକ୍ତି ପ୍ରକାଶ କରିବା ସହ ମୋବାଇଲ ଛଡ଼ାଇ ନେଇଥିଲେ। ଏହାପରେ ବରୁଣ ରାଗରେ କେଉଁଆଡ଼େ ଚାଲିଯାଇଥିଲେ। ସନ୍ଧ୍ୟା ପର୍ଯନ୍ତ ଘରକୁ ଫେରି ନଥିଲେ। ପରିବାର ଲୋକେ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା। ତେବେ ନଦୀ କୂଳରେ ବରୁଣଙ୍କ ଜୋତା ଦେଖି ନଦୀରେ ବୁଡ଼ି ଯାଇଥିବା ସନ୍ଦେହ କରିଥିଲେ। ଆଜି ପୂର୍ବାହ୍ନରେ ମଲିଆ ନିକଟରୁ ବରୁଣଙ୍କ ମୃତଦେହ ମିଳିଥିଲା। ସ୍ଥାନୀୟ ଲୋକେ ଶବ ଉଦ୍ଧାର କରିବା ପରେ ଖବରପାଇ ପରିବାର ସଦସ୍ୟ ସେଠାରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲା। ଏଏସ୍‌ଆଇ ସଂଜୀବ କୁମାର ଥାଟୋଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମାମଲାର ତଦନ୍ତ ଜାରି ରଖିଛି। ତେବେ, ମୋବାଇଲ୍‌ ଖେଳିବା ପାଇଁ ଆକଟ ଯୋଗୁ ବରୁଣ ଖରସ୍ରୋତା ନଦୀକୁ ଡେଇଁ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ବରୁଣଙ୍କ ଅକାଳ ମୃତ୍ୟୁରେ ପରିବାର ଲୋକ ‌ମ୍ରିୟମାଣ ହୋଇପଡ଼ିଥିବାବେଳେ ସାହିପଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ, ମୋବାଇଲ୍‌ ଖେଳିବା ଯୋଗୁ ଜଣକ ପ‌ରେ ଜଣେ ଛାତ୍ର ପ୍ରାଣ ହରାଇବା ଏବେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏହା ଏବେ ଚିନ୍ତାଜନକ କାରଣ ହୋଇପଡ଼ିଥିବାବେଳେ ଉଭୟ ଅଭିଭାବକ ଓ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲ‌ରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର