ବାଙ୍କୀ ଡବଲ ମର୍ଡର : ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ଗିରଫ

ହତ୍ୟାକାଣ୍ଡରେ ପ୍ରାୟ ୧୫ ଦୁର୍ବୃତ୍ତ ସାମିଲ, ମୃତ ଆଦିତ୍ୟଙ୍କ ସଂପର୍କୀୟ ବି ଷଡୟନ୍ତ୍ରରେ ସାମିଲ

କଟକ/ବାଙ୍କୀ : ଚାଞ୍ଚଲ୍ୟକର ବାଙ୍କୀ ଡବଲ ମର୍ଡର ଘଟଣାରେ ପୁଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କରିଥିବା ଦାବି କରିଛି। ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା କାଳିଆ ଓରଫ ସୁଶାନ୍ତ ପ୍ରଧାନ (୪୦) ସହିତ ହିମାଂଶୁ ଭୂଷଣ ରାଉତରାୟ (୩୯)କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଦୁଇ ଅଭିଯୁକ୍ତଙ୍କ ଘର ଖଜୁରିପଦା ଗ୍ରାମରେ। ପୂର୍ବରୁ ସେହି ଗ୍ରାମର ବଳଭଦ୍ର ପ୍ରଧାନ ଓରଫ୍‌ ବଳିଆ ଓ ଜିତୁ ଓରଫ୍‌ କାଳିଆ ଓରଫ୍‌ ଜିତେନ୍ଦ୍ର ସ୍ବାଇଁଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଦୀର୍ଘ ଅଢ଼େଇରୁ ତିନି ବର୍ଷ ଧରି ଚାଲିଥିବା ବିବାଦ ଶେଷରେ ଏଭଳି ବର୍ବର ହତ୍ୟାକାଣ୍ଡର ରୂପ ନେଇଥିଲା। ପ୍ରାୟ ମାସେ ପୂର୍ବରୁ ହତ୍ୟାକାଣ୍ଡ ପାଇଁ ଅଭିଯୁକ୍ତମାନେ ଯୋଜନା ଚଳାଇଥିଲେ ବୋଲି ପୁଲିସ କହୁଛି। କିନ୍ତୁ ଏଯାଏ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଓ ମାରଣାସ୍ତ୍ରକୁ ପୁଲିସ ଜବତ କରିପାରିନି। କେବଳ ଘଟଣାସ୍ଥଳରେ ପଡ଼ିଥିବା ଏକ ଠେଙ୍ଗା ଜବତ୍‌ କରିଥିବା‌ କୁହାଯାଉଛି। ହତ୍ୟାକାରୀଙ୍କୁ ନିର୍ଦ୍ଦିଷ୍ଟ ଭାବେ କେଉଁସ୍ଥ‌ାନରୁ ଗିରଫ କରାଗଲା ସେ ସଂପର୍କରେ ପୁଲିସ କିଛି କହୁନଥିବାବେଳେ ସେମାନଙ୍କୁ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି ବୋଲି କଟକ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ପ୍ରାୟ୧୫ଜଣଙ୍କର ସଂପୃକ୍ତି ରହିଥିବା ସେ ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁଯାୟୀ ମୃତ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କ କିଛି ସଂପର୍କୀୟ ମଧ୍ୟ ଏହି ହତ୍ୟା ଷଡଯନ୍ତ୍ରରେ ସାମିଲ ଅଛନ୍ତି। ମୃତ ଭଗବାନ ସ୍ବାଇଁଙ୍କ ପତ୍ନୀ ନୂଆଗାଁ ସରପଞ୍ଚ ମମତା ମହାପାତ୍ରଙ୍କ ଅଭିଯୋଗ ଅନୁସାରେ ଏହି ହତ୍ୟାକାଣ୍ଡରେ ସମିତିସଭ୍ୟାଙ୍କ ଶ୍ବଶୁର ଭ୍ରମର ପ୍ରଧାନ, ସ୍ବାମୀ, ଦିଅର ଓ ପ୍ରଧାନ ପରିବାର ସମସ୍ତେ ସଂପୃକ୍ତ ଅଛନ୍ତି। ପୁଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀ କହୁଥିବା କାଳିଆ ଓରଫ ସୁଶାନ୍ତ ପ୍ରଧାନ ହେଉଛି ସେହି ପ୍ରଧାନ ପରିବାରର। ଅନ୍ୟପଟେ ମୃତ ଆଦିତ୍ୟଙ୍କ ନାମରେ ବୈଦେଶ୍ବର ଥାନାରେ ୧୦ଟି ମାମଲା ରହିଥିବା ପୁଲିସ ସୂଚନା ଦେଇଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ୫ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟପଟେ ହତ୍ୟାକାଣ୍ଡ ପରଦିନ ବାଙ୍କୀ ଥାନା ଆଇଆଇସି ସମୀର କୁମାର ପଣ୍ଡା ଏକ ସଭାରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେବା ଘଟଣା ସଂପର୍କରେ ଏସ୍‌ପି କୌଣସି ମନ୍ତବ୍ୟ ନଦେଇ ଏସ୍‌ଡିପିଓଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି ବୋଲି କହିଥିଲେ। କିନ୍ତୁ ଏସ୍‌ପିଙ୍କ ନିରବତା ବିବାଦୀୟ ଘଟଣା ପାଇଁ ଥାନା ଅଧିକାରୀଙ୍କୁ ତଦନ୍ତରୁ ଅନ୍ତର କରାଯାଇଥିବା ଏକପ୍ରକାର ସ୍ପଷ୍ଟ କରିଛି।

ସୂଚନାଯୋଗ୍ୟ ଯେ ଗଲା ୧୫ତାରିଖ ଦିନ ବାଙ୍କୀ ବ୍ଲକ୍‌ରୁ କାମ ସାରି ନିଜ ବାଇକ୍‌ରେ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ବାମୀ ଭଗବାନ ସ୍ବାଇଁ, ଆଦିତ୍ୟ ରଣସିଂହ ଓ ବବୁଲୁ ଓରଫ୍‌ ରଞ୍ଜନ ସିଂହ ଗାଁକୁ ‌ଫେରୁଥିଲେ।

ବାଙ୍କୀ-କଳାପଥର ରାସ୍ତାର ଜୋକଲାଞ୍ଜି ଡ୍ୟାମ୍‌ ନିକଟ ନିଛାଟିଆ ରାସ୍ତାରେ ଛକି ରହିଥିବା ପାଖାପାଖି ୧୫ ଜଣ ଦୁର୍ବୃତ୍ତ ଟାଙ୍ଗିଆ, ଖଣ୍ଡାରେ ଭଗବାନ ଓ ଆଦିତ୍ୟଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଜୀବନ ବଂଚାଇବାକୁ ଉଭୟ ରାସ୍ତ‌ାରେ ଦୌଡୁଥିବା ବେଳେ ଦୁର୍ବୃତ୍ତ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏହି ପ୍ରାଣାନ୍ତକ ଆକ୍ରମଣରେ ଭଗବାନ ଓ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ବବଲୁ ଅକ୍ଷତ ଅବସ୍ଥାରେ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧିତ ଖବର