ଆତ୍ମସମର୍ପଣ କଲା ଆହତ ମାଓବାଦୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରଶାନ୍ତ

ନୟାଗଡ ଅସ୍ତ୍ରାଗାର ଲୁଟର ଥିଲା ମାଷ୍ଟରମାଇଣ୍ଡ

ଜଗଦଲପୁର: ଛତିଶଗଡ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି ନୟାଗଡ ଅସ୍ତ୍ରାଗାର ଲୁଟର ମାଷ୍ଟରମାଇଣ୍ଡ ସୋନୁ ଓରଫ ଡାକ୍ତର ପ୍ରଶାନ୍ତ । ୨୦୦୯ ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସୋନୁ ପ୍ରମୁଖ ଭୂମିକା ନିଭାଇଥିବାବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ମାଓ ହିଂସାରେ ପ୍ରଶାନ୍ତ ସମ୍ପୃକ୍ତ ଥିଲା । ଉଭୟ ଛତିଶଗଡ ଓ ଓଡିଶାରେ ପ୍ରଶାନ୍ତ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା | ସୋନୁ ପ୍ରାୟ ୧୨ଟି ହତ୍ୟାକାଣ୍ଡରେ ସଂପୃକ୍ତି ଥିବାନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ମାଓ ସଂଗଠନରେ ସେ ଡାକ୍ତର ଭାବେ ଅସୁସ୍ଥ କିମ୍ବା ଆହତ ମାଓବାଦୀଙ୍କୁ ଚିକିତ୍ସା କରୁଥିବାର ଜଣାପଡିଛି । ସୋନୁ ମାଓବାଦୀଙ୍କୁ ଗରିଲା ଯୁଦ୍ଧର ତାଲିମ ମଧ୍ୟ ଦେଉଥିଲା । ଏବେ ମାଓ ସଂଗଠନରୁ ମୁହଁ ଫେରାଇ ଗତକାଲି ଛତିଶଗଡ ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ୨୦୦୭ ମସିହାରେ ମିଲିସିଆ ସଦସ୍ୟ ଭାବେ ମାଓ ସଙ୍ଗଠନରେ ସୋନୁ ଯୋଗ ଦେଇଥିଲା |

ଏହା ପରେ ଟ୍ରେନିଂ ନେଇ ପୁଲିସ ଓ ଯବାନଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିଲା | ପ୍ରଶାନ୍ତଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥିଲେ ବି ସେ ଧରାପଡ଼ିନଥିଲା | କିନ୍ତୁ ମାଓ ସଙ୍ଗଠନରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ସହ ପୁଲିସର ଘନ ଘନ କମ୍ବିଙ୍ଗ ଅପରେସନରେ ଭୟଭୀତ ହୋଇ ଶେଷରେ ସେ ଆତ୍ମସମର୍ପଣ କରିଛି |

ସମ୍ବନ୍ଧିତ ଖବର