ଯୁବକଙ୍କୁ ପଥରରେ ଛେଚି ହତ୍ୟା

ନୂଆଗାଁ: ନିଶା ଖାଇବାକୁ ଘରୁ ଡାକିନେଇ ଜଣେ ଯୁବକଙ୍କୁୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ସଂଲଗ୍ନ ବଡ଼ପଦା ତ୍ରୀନାଥ ମନ୍ଦିର ପାଖରେ ଏଭଳି ହତ୍ୟାକାଣ୍ତ ଘଟିଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା ବେଳେ ଜଣେ ଫେରାର୍ ହୋଇଯାଇଛି। ଘଟଣାରୁ ପ୍ରକାଶ, ନୂଆଗାଁ ଥାନା କୋରଡ଼ା ଗ୍ରାମର ଲିଙ୍ଗା ନାହାକଙ୍କ ପୁଅ ଜିତୁ ନାହାକ (୩୫) ୩ଦିନ ହେବ ନିଜ ପରିବାରକୁ ଧରି ଶ୍ବଶୂର ଘର ଖାଲମଡା ଆସିଥିଲେ। ଗତକାଲି ରାତି ପ୍ରାୟ ୮ଟାରେ କୋରଡା ଗ୍ରାମର ଗଙ୍ଗାଧର ସେଠୀ ଏବଂ ବାବୁଲି ପ୍ରଧାନ ତାଙ୍କୁ ଫୋନ୍ ଯୋଗେ ନୂଆଗାଁକୁ ଡାକିଥିଲେ। ସାଙ୍ଗମାନଙ୍କ କଥାକୁ ଭାଙ୍ଗି ନ ପାରି ଜିତୁ ନୂଆଗାଁ ଚାଲି ଆସିଥିଲେ। ତେବେ ‌ଜିିତୁ ଆଉ ଘରକୁ ଫେରି ନଥିଲେ। ବହୁ ଖୋଜାଖୋଜି ପରେ ଆଜି ସକାଳୁ ତାଙ୍କର ମୃତଦେହ ମିଳିଥିଲା। ପୁଲିସ ପହଞ୍ଚି ଜିତୁଙ୍କ ସ୍ତ୍ରୀ ଏବଂ ପୁଅ ଝିଅକୁ ଘଟଣାସ୍ଥଳକୁ ଡାକି ଆଣିଥିଲା। ଗତ ରାତିରେ କୋରଡା ଗ୍ରାମର ବାବୁଲା ଏବଂ ଗଙ୍ଗାଧର ମିଶି ସ୍ବାମୀଙ୍କୁ ଫୋନ୍ ଯୋଗେ ଡାକି ଆଣି ହତ୍ୟା କରିଥିବା ସ୍ତ୍ରୀ ତୁଳସୀ ନାୟକ ପୁଲିସକୁ କହିଥିଲେ। ପୁଲିସ ତୁଳସୀଙ୍କ ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରିବା ସହିତ ଗଂଗାଧର ଓ ଅନ୍ୟ ଜଣେ ବ୍ୟକ୍ତିକୁ ଅଟକ ରଖିଛି। ତେବେ ଘଟଣାରେ ସଂପୃକ୍ତ ଥିବା ବାବୁଲି ପ୍ରଧାନ ଗତକାଲି ରାତିରେ ଫେରାର୍ ହୋଇଯାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର