ଉଦ୍‌ଘାଟିତ ହେଲା ‘କୃଷି ଓଡ଼ିଶା’ : ମୋ ଚାଷୀ ସମ୍ମାନର ସହ ବଞ୍ଚୁ – ମୁଖ୍ୟମନ୍ତ୍ରୀ

କୃଷି ନୀତି-୨୦୨୦ ‘ସମୃଦ୍ଧି’ ଲୋକାର୍ପିତ, ଭାଗନେଇଛନ୍ତି ୨୨୮ଟି ଷ୍ଟଲ, ୧୧୨ କମ୍ପାନି

ଭୁବନେଶ୍ବର : ଚାଷୀ ହେଉଛନ୍ତି ଦେଶ ଓ ଅର୍ଥନୀତିର ଶକ୍ତି। ସେମାନଙ୍କ ଉନ୍ନତି ଦ୍ବାରା ହିଁ ଦେଶର ଗୌରବ ଓ ସ୍ବାଭିମାନ ବୃଦ୍ଧି ପାଇଥାଏ। ବର୍ତମାନ ସମୟରେ ଓଡ଼ିଶାର ଚାଷୀ ବିକାଶର ସାରଥୀ ସାଜିଛନ୍ତି। ତେଣୁ ମୁଁ ଚାହେଁ ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ। ‘କୃଷି ଓଡ଼ିଶା-୨୦୨୦’କୁ ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫେଡେରସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିକି)ର ସହଯୋଗରେ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଜନତା ମଇଦାନରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଚା‌ଷୀମାନେ ନୂଆ ବୈଷୟିକ କୌଶଳ ପ୍ରୟୋଗ କରି କୃଷି କ୍ଷେତ୍ରରେ ଆଗୁଆ ରୁହନ୍ତୁ। ସେମାନଙ୍କ ପରିବାର ସବୁବେଳେ ଆନନ୍ଦରେ ରହୁ। ଚାଷୀର ନିଷ୍ଠା ଓ ପରିଶ୍ରମ ଯୋଗୁ ଓଡ଼ିଶାର ସମ୍ମାନ ବଢ଼ିଛି। କୃଷିକୁ ଏକ ଲାଭଜନକ ବୃତ୍ତି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଚାଷୀମାନେ କାର୍ଯ୍ୟକ୍ରମ ଓ ଯୋଜନାର ସୁଯୋଗ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ କହିଲେ ଯେ ‘ମାଣ୍ଡିଆ’ ଆମ ରାଜ୍ୟକୁ ଏକ ନୂଆ ଦିଗ ଦେଇଛି। ‌ତେଣୁ ଚଳିତବର୍ଷ ମହୋତ୍ସବରେ ମାଣ୍ଡିଆକୁ ମାସ୍‌କଟ ଭାବେ ରଖାଯାଇଛି। ରାଜ୍ୟର ୧୪ଟି ଜିଲ୍ଲାରେ ମାଣ୍ଡିଆ ଚାଷ ହେଉଛି। ତାହାକୁ ଦୃ୍ଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମାଣ୍ଡିଆ ମିସନ ଅନ୍ୟ ରାଜ୍ୟ ପାଇଁ ପ୍ରେରଣା ପାଲଟିଛି। ମାଣ୍ଡିଆ ସହିତ ଧାନ, କ୍ଷୀର, ମାଛ ଚାଷରେ ମଧ୍ୟ ଉତ୍ପାଦନ ବୃଦ୍ଧି ପାଇଛି। ଚାଷୀ ଓ ଚାଷର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୃଷି ବଜେଟ କରିଛନ୍ତି। ନୂଆ କୃଷି ନୀତି ‘ସମୃଦ୍ଧି’ ଅଣାଯାଇଛି। ରାଜ୍ୟ ସରକାରଙ୍କ ଏହି ସଫଳ ନୀତି ଯୋଗୁଁ ବହୁ ଯୁବକ ଚାଷ କରିବାକୁ ଆଗେଇ ଆସୁଛନ୍ତି। ସେମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଆସନ୍ତା ୨୪ ତାରିଖରେ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ।

କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ ଗତ ୨୦ ବର୍ଷ ହେଲା ଓଡ଼ିଶା କୃଷି କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି କରିଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଲେ ଯେ ପୁଷ୍ଟିକର ଖାଦ୍ୟକୁ ପ୍ରୋତ୍ସାହନ ଯୋଗାଇବା ପାଇଁ ମାଣ୍ଡିଆର ଉତ୍ପାଦନ ବଢିଛି। ଏହାକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରାଯାଇଛି। ୨୦୧୮-୧୯ରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯାଇଥିବାରୁ ୧୮୦୦ କୁଇଣ୍ଟାଲ ମାଣ୍ଡିଆ ଆଦାୟ ହୋଇଛି। ୧୨ଟି ଜିଲ୍ଲାର ୪୦ଟି ବ୍ଲକରେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ କାମ କରୁଛି ବୋଲି ସେ ସୂଚନା ଦେଇଥିଲେ।

‘ଫିକି’ର ମହାସଚିବ ଦିଲ୍ଲୀପ ଚେନୋୟ ରାଜ୍ୟ ସରକାର ଯୋଗାଇ ଦେଉଥିବା ସୁବିଧା ସୁଯୋଗକୁ ପ୍ରଶଂସା କରି କହିଲେ ଯେ ଗତ ୧୬ ବର୍ଷ ଭିତରେ କୃଷି କ୍ଷେତ୍ରରେ ଜିଡିପି ଅଭିବୃଦ୍ଧି ହାର ଦୁଇ ଗୁଣିତ ହୋଇଛି। ମହିଳାଙ୍କୁ କୃଷି କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିବାରୁ ସେମାନେ ସଶକ୍ତ ହୋଇପାରିଛନ୍ତି। କୃଷି ପାଇଁ ଓଡ଼ିଶା ଯେଉଁ ନୀତି ଆପଣାଉଛି ତାହାକୁ ଅନ୍ୟ ରାଜ୍ୟମାନେ ଅନୁକରଣ କରିବା ଦରକାର। କେନ୍ଦ୍ର ସାର ଓ ରସାୟନ ବିଭାଗ ସଚିବ ଛବିଳେନ୍ଦ୍ର ରାଉଳ ଯୋଗଦେଇ ତାଳଚେରରେ ସାର କାରଖାନା ପ୍ରତିଷ୍ଠା ହେବା ନେଇ ମତ ରଖିଥି‌ଲେ। ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ଆର୍ ରଘୁରାଜ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ନୂତନ କୃଷି ନୀତି ‘ସମୃଦ୍ଧି’ ଲୋକାର୍ପିତ ହେବା ସହ ଉଦ୍ୟାନ କୃଷି ବିଭାଗର ସହାକାରୀ ଅଧିକାରୀଙ୍କୁ ନିଯୁକ୍ତପତ୍ର ପ୍ରଦାନ କରିଥିଲେ। ସଫଳ ଚାଷୀଙ୍କୁ ମଧ୍ୟ ଏହି ମହୋତ୍ସବରେ ସମ୍ମାନିତ କରାଯାଇଥିଲା। ୨୪ ତାରିଖ ଯାଏ ଚାଲିବାକୁ ଥିବା ଏହି ମହୋତ୍ସବ ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ମହୋତ୍ସବର ଥିମ୍‌ ‘ଲାଭଜନକ କୃଷି ପାଇଁ ପ୍ରୟାସ’ ରଖାଯାଇଛି।

ସମ୍ବନ୍ଧିତ ଖବର