ଧାର୍ଯ୍ୟ ସମୟରେ କମ୍ପ୍ୟୁଟର, ଆପ୍‌ ଯୋଗାଇପାରୁନି ଓକାକ୍

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଅନଲାଇନ୍ ଜରିଆରେ ଜନ୍ମ/ମୃତ୍ୟୁର ପଞ୍ଜୀକରଣ କରାଯିବ। ପୂର୍ବରୁ ନଗର ଉନ୍ନୟନ ବିଭାଗ ଅଧୀନରେ ୩୧୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ଗ୍ରାମାଞ୍ଚଳ)ରେ ଏହି ବ୍ୟବସ୍ଥା ଥିବା ବେଳେ ଅତିରିକ୍ତ ୧୧୬ଟି ସହରାଞ୍ଚଳ ୟୁନିଟ୍‌ରେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆବଶ୍ୟକ କମ୍ପ୍ୟୁଟର ଓ ଅନ୍ୟ ସାମଗ୍ରୀ ଯୋଗାଇବ ଓକାକ୍। ସେହିପରି ରାଜ୍ୟରେ ମେଡିକାଲ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ପାଇଁ ସ୍ବାସ୍ଥ୍ୟ ବିଭାଗ ଏକ ‘ଆପ୍‌’ ଡିଜାଇନ୍ କରିବା ଲାଗି ଓକାକ୍‌କୁ ଅନୁରୋଧ କରିଥିଲା। ଯାହାଫଳରେ ମେଡିକାଲରୁ ବର୍ଜ୍ୟବସ୍ତୁ ବାହାରିବାଠାରୁ ନଷ୍ଟ ହେବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଏହି ଆପ୍‌ ଜରିଆରେ ପରିଚାଳନା ହୋଇପାରିବ। ହେଲେ ଏହି ଦୁଇଟି କ୍ଷେତ୍ରରେ ଓକାକ୍‌ର ବିଫଳତା ସ୍ପଷ୍ଟ ବାରି ହୋଇପଡ଼ୁଛି। ଜନ୍ମ/ମୃତ୍ୟୁ ପଞ୍ଜୀକରଣ ପାଇଁ କମ୍ପ୍ୟୁଟର ଯୋଗାଣ ହୋଇଛି ନା ଆପ୍‌ କାର୍ଯ୍ୟକ୍ଷମ ହୋଇପାରିଛି।

ରାଜ୍ୟରେ ପ୍ରତିବର୍ଷ ସାଢ଼େ ୬ଲକ୍ଷ ଜନ୍ମ ଓ ପ୍ରାୟ ୩ଲକ୍ଷ ମୃତ୍ୟୁ ପଞ୍ଜୀକରଣ ହେଉଛି। ତହିଁରୁ ଅନ୍‌ଲାଇନ୍‌ ଆବେଦନ କମ୍ ଥିବା ବେଳେ ଅଫ୍‌ଲାଇନ୍ ବା କାଗଜପତ୍ରରେ ଅଧିକ ହେଉଛି। ଅନ୍‌ଲାଇନ୍ ବ୍ୟବସ୍ଥା ଫଳରେ ଲୋକମାନେ ଉଭୟ ପଞ୍ଜୀକରଣ ଓ ସାର୍ଟିଫିକେଟ୍‌ ମାଗଣାରେ ପାଇପାରିବେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ରାଜ୍ୟ ସରକାର ଖୁବଶୀଘ୍ର ଏହାର ଗେଜେଟ୍ ନୋଟିଫିକେସନ୍ କରିବେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସା‌ରେ, ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ ପାଇଁ ଆବଶ୍ୟକ କମ୍ପ୍ୟୁଟର, ପ୍ରିଣ୍ଟର, ସ୍କାନର, ଏନ୍‌ଡିଏମ୍‌ଓ(ଜନସ୍ବାସ୍ଥ୍ୟ)ଙ୍କ ପାଇଁ ଲାପଟପ୍‌ ଯୋଗାଇବା ପାଇଁ ଓକାକ୍‌ ୧.୩୬କୋଟି ଟଙ୍କା ଦିଆଯାଇଛି। ହେଲେ ଦିନ ପରେ ଦିନ ଗଡ଼ି ଚାଲିଥିବା ବେଳେ ଓକାକ୍‌ ଏସବୁ ଯୋଗାଇବାରେ ବିଫଳ ହୋଇଛି।

ସେହିପରି ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ରସ୍ତୁତ ହେଉଥିବା ‘ଆପ୍’ର ବର୍ତମାନ ସ୍ଥିତି ଅସ୍ପଷ୍ଟ ରହିଛି। କେବେ ସୁଦ୍ଧା ଏହି ଆପ୍‌ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ଷମ ହେବ ତାହା ସଂପର୍କରେ ଓକାକ୍ ପକ୍ଷରୁ କୌଣସି ସୂଚନା ସ୍ବାସ୍ଥ୍ୟ ବିଭାଗକୁ ଦିଆଯାଇ ନାହିଁ। ସାଧାରଣଭାବେ ଓକାକ୍ କୌଣସି ‘ଆପ୍‌’ ଡିଜାଇନ୍ କରେନାହିଁ। ଟେଣ୍ଡର ଜରିଆରେ କୌଣସି ଏକ ସଂସ୍ଥାକୁ ଆପ୍‌କୁ ବିକଶିତ କରିବା ଲାଗି କହିଥାଏ। ଆପ୍‌ ଡିଜାଇନ୍ ହେବା ପରେ ଏହା ଠିକ୍‌ରେ କାର୍ଯ୍ୟ କରୁଛି କି ନାହିଁ କିମ୍ବା ଏଥିରେ କୌଣସି ପ୍ରକାର ତ୍ରୁଟି/ସୁରକ୍ଷା ବ୍ୟବସ୍ଥାର କେବଳ ଯାଞ୍ଚ କରିଥାଏ। ମାତ୍ର ସ୍ବାସ୍ଥ୍ୟ ବିଭାଗର ଏହି ‘ଆପ୍‌’ର ବାସ୍ତବ ସ୍ଥିତି କ’ଣ ? ଓକାକ୍‌ ଏଥିପାଇଁ ଟେଣ୍ଡର କରିଛି ନା ଏବେସୁଦ୍ଧା ତାହା କରାଯାଇନାହିଁ। ରାଜ୍ୟ ସରକାର ୫-ଟି ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି। ଏଥିରେ ଟାଇମ୍ ଓ ଟେକ୍‌ନୋଲୋଜି ଦୁଇଟି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଥିବା ବେଳେ ଓକାକ୍‌ ଏଥିରେ ବିଫଳ ହୋଇଛି।
ଓକାକ୍‌ର ସିଇଓ ମନୋଜ ପଟ୍ଟନାୟକ କହିଛନ୍ତି, ଜନ୍ମ/ମୃତ୍ୟୁ ପଞ୍ଜୀକରଣ ପାଇଁ ଆବଶ୍ୟକ କମ୍ପ୍ୟୁଟର ଓ ଅନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ଏହାସହ ବିଭିନ୍ନ ବିଭାଗ ପାଇଁ ଓକାକ୍‌ ‘ଆପ୍‌’ ପସ୍ତୁତକାରୀ ସଂସ୍ଥା ଜରିଆରେ ଏହାକୁ ଡିଜାଇନ୍ କରୁଛି। ତେବେ ସ୍ବାସ୍ଥ୍ୟ ବିଭାଗର ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆପ୍‌ର ପ୍ରସ୍ତୁତି କେତେ ଆଗେଇଛି ତାହା ବୁଝିବା ପରେ ସୂଚନା ଦେଇପାରିବି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର