ମାମଲା ଶୁଣାଣିର ସିଧା ପ୍ରସାରଣକୁ ବିରୋଧ ପ୍ରସଂଗ: ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ ନିଷ୍ପତ୍ତି ସ୍ଥଗିତ

କଟକ : ମାମଲା ଶୁଣାଣିର ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ)କୁ ବିରୋଧ କରି ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ ପାଇଁ ପୂର୍ବରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଆଇନଜୀବୀମାନେ ଦିନ ୨ଟାରୁ ମୁଖ୍ୟ ବିଚାରପତିଙ୍କ କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏ ସଂକ୍ରାନ୍ତରେ ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁ କହିଛନ୍ତି ଯେ ବାର୍ ପ୍ରତିନିଧିମାନେ ମୁଖ୍ୟ ବିଚାରପତିଙ୍କ ସହିତ ଏହି ପ୍ରସଂଗରେ ଆଲୋଚନା କରିବେ। ଲାଇଭ ଷ୍ଟ୍ରିମିଂ ପ୍ରସଂଗରେ ଆଇନଜୀବୀଙ୍କ ମତାମତ ଓ ପ୍ରସ୍ତାବ ପ୍ରସଂଗରେ ମୁଖ୍ୟ ବିଚାରପତିଙ୍କୁ ଅବଗତ କରାଯିବ। ମୁଖ୍ୟ ବିଚାରପତିଙ୍କ କୋର୍ଟ କାର୍ଯ୍ୟରେ ଯୋଗ ନ ଦେବା ପାଇଁ ପୂର୍ବରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଏବେ ସ୍ଥଗିତ ରଖିବାକୁ ସାଧାରଣ ପରିଷଦରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପ୍ରସଂଗରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂକ୍ରାନ୍ତରେ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ହାଇକୋର୍ଟରେ ମାମଲା ଶୁଣାଣିର ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ)କୁ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ବିରୋଧ କରାଯାଇଥିଲା। ‘ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ୍ ରୁଲ୍ସ, ୨୦୨୧’କୁ ତରୁନ୍ତ ପ୍ରତ୍ୟାହାର ପାଇଁ ଆସୋସିଏସନ୍ ସଦସ୍ୟମାନେ ଦାବି କରିବା ସହିତ ଗତ ୨ ତାରିଖ ଦିନ ୨ଟାରୁ ମୁଖ୍ୟ ବିଚାରପତିଙ୍କ କୋର୍ଟ କାର୍ଯ୍ୟରେ ଯୋଗ ନ ଦେବା ପାଇଁ ସାଧାରଣ ପରିଷଦ‌ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହାପରେ ୪ ତାରିଖ ଦିନ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ କୋର୍ଟ କାର୍ଯ୍ୟରେ ଯୋଗ ନ ଦେବାକୁ ସ୍ଥିର କରାଯାଇଥିଲା। ଏଥି ସହିତ ହାଇକୋର୍ଟ ବାର୍‌ର ବରିଷ୍ଠ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ହାଇକୋର୍ଟ ବାର୍ ଆସୋସିଏସନକୁ ଏହି ପ୍ରସଂଗରେ ପୁନର୍ବିଚାର କରିବା ସହିତ ମତାମତ ଦେବାକୁ ହାଇକୋର୍ଟ ‌ଫୁଲ କୋର୍ଟ ପକ୍ଷରୁ ଅନୁରୋଧ କରାଯାଇଥିଲା। ଫୁଲ କୋର୍ଟ ଅନୁରୋଧ ଅନୁସାରେ କମିଟି ସଦସ୍ୟମାନେ ଏହି ପ୍ରସଂଗରେ ପ୍ରସ୍ତାବ ଓ ମତାମତ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କୁ ଦେବା ସହିତ ଆଲୋଚନା କରିବେ ବୋଲି ହାଇକୋର୍ଟ ବାର୍ ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର