କଟକ: ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ ଓଡ଼ିଶା ଏବଂ କଟକ ନଗରର ଐତିହ୍ୟ ଓ ଗୌରବର ପ୍ରତୀକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ୪ କିମ୍ବଦନ୍ତିଙ୍କ ନାମରେ ସ୍ମାରକୀ ଡାକଟିକଟ ଉନ୍ମୋଚନ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳିଙ୍ଗ ଯୁଦ୍ଧ ଉପରେ ଗବେଷଣାର ଦାୟିତ୍ୱ ନେବା ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାର ବିଶିଷ୍ଟ ପ୍ରତିଭା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ର, ଚିରସବୁଜ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି, ଚଳଚ୍ଚିତ୍ର ନିର୍ଦ୍ଦେଶିକା ଓ ପ୍ରଯୋଜିକା ପାର୍ବତୀ ଘୋଷଙ୍କ ସ୍ମାରକୀ ଡାକଟିକଟର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଅଶୋକ କଳିଙ୍ଗ ଯୁଦ୍ଧ ପରେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ । ସେତେବେଳେ କଳିଙ୍ଗରେ ରାଜା ନଥିଲେ । ଜନପ୍ରତିନିଧିଙ୍କ ସମୂହ ସବୁ ନିର୍ଣ୍ଣୟ ନେଉଥିଲେ । ଏହି ଯୁଦ୍ଧରେ ଓଡିଆ ଜାତିର ପରାଜୟ ନୁହେଁ, ବରଂ ବିଜୟର ଅଦମ୍ୟ ସାହସକୁ ଦୁନିଆ ଅନୁଭବ କରିଛି । କଳିଙ୍ଗ ଯୁଦ୍ଧ ଓ ପ୍ରଶାସନିକ ଢାଞ୍ଚା ଉପରେ ରେଭେନ୍ସା ଗବେଷଣାର ଦାୟିତ୍ୱ ନେଉ । ରେଭେନ୍ସା ହେଉଛି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁକସାକ୍ଷୀ ।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାର ସ୍ୱତନ୍ତ୍ରତା ଆନ୍ଦୋଳନର ବହ୍ନି ପ୍ରଜ୍ୱଳିତ କରିଥିବା ଏହି ଅନୁଷ୍ଠାନରେ ଆଜି ଆମର ପୂର୍ବଜମାନଙ୍କ ସ୍ମୃତିରେ ଡାକଟିକଟ ପ୍ରଚଳନ ହେବା ଖୁସିର ବିଷୟ । ବିଶେଷ ଭାବରେ ଉତ୍କଳ ଦିବସ ପୂର୍ବରୁ ୪ ପୂର୍ବଜଙ୍କ ସ୍ମୃତିରେ ଡାକଟିକେଟ ଉନ୍ମୋଚନ ଆମ ପାଇଁ ଗର୍ବ । ପୂର୍ବଜଙ୍କ ବିନା ପ୍ରେରଣାରେ କୌଣସି କାମ ଫଳପ୍ରଦ ହୁଏନାହିଁ । ଏହି ଡାକଟିକଟ ଉନ୍ମୋଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା ଓ ଦେଶର ଜନସାଧାରଣଙ୍କ ଭାବାବେଗକୁ ବୁଝିଥିବା ପ୍ରଧାନମନ୍ତ୍ରୀ ଏପରି କରିପାରନ୍ତି ବୋଲି ସେ କହିଛନ୍ତି । ଓଡ଼ିଶାରେ ଏପରି ଜଣେ ଯୁବକ ନ ଥିବେ ଯେ ରେଭେନ୍ସାରେ ପଢିବା ପାଇଁ ଇଚ୍ଛା କରିନଥିବେ । ରେଭେନ୍ସା ଯାହା ଭାବେ ତାହାକୁ ସମଗ୍ର ଭାରତବର୍ଷ ଦଶନ୍ଧି ପରେ ସେହି କଥାର ଉପଯୋଗ କରେ । ଆଜି ଦେଶରେ କ୍ରିୟାନ୍ୱୟନ ହେଉଥିବା ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ରେଭେନ୍ସା ଓଡ଼ିଶାରେ ଅଗ୍ରଣୀ ଦାୟିତ୍ୱ ନେବ ବୋଲି ମୋର ଅପେକ୍ଷା । ଆମର ପ୍ରଦେଶ ତଥା ଉତ୍କଳ ଭୂମି ଗଣତନ୍ତ୍ରର ଭୂମି ଥିଲା । ଏହି କଥାକୁ ବିତର୍କ କରିବା ପାଇଁ ଜାତୀୟ ଶିକ୍ଷା ନୀତି ସୁଯୋଗ ଦେଇଛି । ଅତୀତରେ ଆମର ଐତିହ୍ୟ, ଶୌର୍ଯ୍ୟ, ସାହସ, ସଂସ୍କୃତି ଓ ଜ୍ଞାନର ଗଭୀରତା କେତେ ଥିଲା, ଏହାକୁ ବୁଝାଇବାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ନୂଆପିଢି ଦାୟିତ୍ୱ ନେବା ଆବଶ୍ୟକ ବୋଲି ଧର୍ମେନ୍ଦ୍ର କହିଛନ୍ତି ।