ପାରଦର୍ଶୀ ପୋର୍ଟାଲରେ ପଞ୍ଜୀକରଣ ଅବଧି ବଢ଼ିଲା

ସ୍କୁଲଗୁଡ଼ିକ ପାଇଁ ଆସନ୍ତା ୨୩ ଯାଏ ସୁଯୋଗ, ୩୦ ଯାଏ ପଞ୍ଜୀକରଣ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର : ଘରୋଇ ତଥା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଗରିବ ଛାତ୍ରଛାତ୍ରୀଙ୍କୁ ପଢ଼ିବାକୁ ସୁଯୋଗ ମିଳିବ। ଶିକ୍ଷା ଅଧିକାର ଆଇନ(ଆରଟିଇ) ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ଆରଟିଇ ପାରଦର୍ଶୀ ଅନ୍‌ଲାଇନ୍‌ ପୋର୍ଟାଲ୍‌ ମାଧ୍ୟମରେ ସ୍କୁଲ ଓ ଛାତ୍ରଛାତ୍ରୀଙ୍କର ପଞ୍ଜୀକରଣ ଚାଲିଛି। ‌ତେବେ କେତେକ ବିଦ୍ୟାଳୟ ଏପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରି ନାହାନ୍ତି। ତାହାକୁ ନଜରରେ ରଖି ଆବେଦନ ସମୟ ସୀମାକୁ ଆସନ୍ତା ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସ୍କୁଲଗୁଡ଼ିକ ଏହି ସମୟ ମଧ୍ୟରେ ଉକ୍ତ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ମନ୍ତ୍ରୀ ଶ୍ରୀ ଦାଶଙ୍କ ସୂଚନା ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ବୀକୃତିପ୍ରାପ୍ତ ପ୍ରାୟ ୪ ହଜାର ଘରୋଇ ସ୍କୁଲ ରାଜ୍ୟରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ୫୦୦ ସ୍କୁଲ ଏପର୍ଯ୍ୟନ୍ତ ପଞ୍ଜୀକରଣ କରିନାହାନ୍ତି। ପଞ୍ଜୀକରଣର ଶେଷ ତାରିଖ ‌ଏପ୍ରିଲ ୧୩ ରଖାଯାଇଥିଲା। ଏବେ ତାହାକୁ ୨୩ ପର୍ଯ୍ୟନ୍ତ ବଢ଼ାଯାଇଛି। ତେଣୁ ସ୍କୁଲ କର୍ତୃପକ୍ଷ ଏଦିଗରେ ପଦକ୍ଷେପ ନେବା ଆବଶ୍ୟକ। ନ ହେଲେ ପରବର୍ତୀ ସମୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସେହିପରି ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ସମୟ ଅବଧି ଏପ୍ରିଲ ୨୦ ରହିଥିଲା। ତାହାକୁ ଏବେ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଯୋଗ୍ୟ ଛାତ୍ରଛାତ୍ରୀ ଏହାର ସୁଯୋଗ ନେବା ଦରକାର। ବିଶେଷକରି ପିଲାଙ୍କ ଅଭିଭାବକମାନେ ଏଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର