କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ସଂରକ୍ଷିତ ସିଟ୍‌କୁ ଅଣସଂରକ୍ଷିତ ନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ପଛୁଆ ବର୍ଗ, ଆର୍ଥିକ ଅନଗ୍ରସର, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ଉପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ବାରୋପ କରିଛନ୍ତି। କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ପୂରଣ ହେଉ ନ ଥିବା ସଂରକ୍ଷିତ ସିଟ୍‌ଗୁଡ଼ିକୁ ଅଣସଂରକ୍ଷିତ ନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ କହିଛନ୍ତି। କିଭଳି ଭାବେ ଏହି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉର୍ଦ୍ଦିଷ୍ଟ ସଂରକ୍ଷଣ ସିଟ୍‌ଗୁଡ଼ିକ ପୂରଣ ହେବ ଏବଂ ସେମାନଙ୍କର ଉପସ୍ଥାପନ ବଢ଼ିବ, ସେ ଦିଗରେ ପଦକ୍ଷେପ ନେବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ସଂରକ୍ଷିତ ସିଟ୍‌ଗୁଡ଼ିକୁ ଅଣସଂରକ୍ଷିତ କରି ସିଟ୍ ପୂରଣ କରାଯିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ(ଇଡବ୍ଲୁଏସ) ଓ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ଥିବା ସଂରକ୍ଷଣ ସିଟ୍‌ଗୁଡ଼ିକୁ ଅଣସଂରକ୍ଷିତ କରି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଇଆଇଟି, ଏନ୍‌ଆଇଟି ସମେତ ସମସ୍ତ କେନ୍ଦ୍ରୀୟ ଶିକ୍ଷା ଅନୁଷ୍ଠାନ(ସିଇଆଇ)ଗୁଡ଼ିକ ସଂସଦରେ ସଂରକ୍ଷଣ ସହ ଜଡ଼ିତ ଗୃହୀତ ହୋଇଥିବା ଆଇନକୁ ଅକ୍ଷରେ ଅକ୍ଷରରେ ପାଳନ କରିବାକୁ କହିଛନ୍ତି। ଏଥିସହ ଏନେଇ ଏକ ଅନୁସରଣ(କମ୍ଲିୟାନ୍ସ) ରିପୋର୍ଟ ଦାଖଲ କରିବା ପାଇଁ ସେ କହିଛନ୍ତି। ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ସିଇଆଇ(ରିଜରଭେସନ ଇନ୍ ଆଡ଼ମିସନ) ଆକ୍ଟ-୨୦୦୬ ଏବଂ ସିଇଆଇ ସଂଶୋଧିତ ଆଇନ-୨୦୧୨ ଦ୍ୱାରା ପରିଚାଳିତ ଏବଂ ଏହି ଆଇନଗୁଡ଼ିକରେ ଖାଲିଥିବା ସଂରକ୍ଷିତ ସିଟ୍‌ଗୁଡ଼ିକ ଅଣସଂରକ୍ଷିତ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ।

ଶିକ୍ଷାନୁଷ୍ଠାନରେ ସଂରକ୍ଷିତ ସିଟ୍‌ଗୁଡ଼ିକ ପୂରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆର୍ଥିକ ଭାବେ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ଦେବା ସହ ଆବଶ୍ୟକ ହେଲେ କମ୍ କଟ୍-ଅଫ୍ ଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ନାମଲେଖାରେ ସୁଯୋଗ ଦେବା ଉପରେ ବିଚାରବିମର୍ଶ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର