ଆଜିଠୁ ରାଜଧାନୀରେ ଖୋଲିବ ସପିଂ ମଲ୍‌

ମାସ୍କ ପିନ୍ଧିଥିଲେ ପ୍ରବେଶ ଅନୁମତି, ଫୁଡ୍‌ କୋର୍ଟ, ଖାଦ୍ୟ ଦୋକାନ, ଗେମ୍‌ ଜୋନ୍‌, ଫନ୍‌ ଜୋନ୍‌, ମଲ୍ଟିପ୍ଲେକ୍ସ ଖୋଲିବନି

ଭୁବନେଶ୍ୱର : ପ୍ରାୟ ସାଢ଼େ ୪ମାସ ପରେ ବିଏମ୍‌ସି ଆଜି ରାଜଧାନୀରେ ବିଭିନ୍ନ ସପିଂ ମଲ୍‌ ଖୋଲିବାକୁ ଅନୁମତି ଦେଇଛି। ରାତି ୯ଟା ପର୍ଯ୍ୟନ୍ତ ମଲ୍‌ ଖୋଲିବାର ଅନୁମତି ଥିଲେ ହେଁ ଏଥିପାଇଁ ବହୁ କଟକଣା ଲଗାଯାଇଛି। ମଲ୍‌ ପରିସରରେ କ’ଣ ଖୋଲିବ, କ’ଣ ଖୋଲିବନି ସେନେଇ ଏସ୍‌ଓପି ଜାରି ହୋଇଛି। ଏହାସହ କୁହାଯାଇଛି ଯେ ମାସ୍କ ପିନ୍ଧିଥିଲେ ‌ହିଁ କର୍ମଚାରୀ ଓ ଗ୍ରାହକଙ୍କୁ ମଲ୍‌ ପରିସରକୁ ପ୍ରବେଶ କରିବାର ଅନୁମତି ଦିଆଯିବ।

ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ଏସ୍‌ଓପି ଅନୁଯାୟୀ ମଲ୍‌ ଖୋଲିଲେ ବି ଏଠାରେ ଥିବା ଫୁଡ୍‌ କୋର୍ଟ, ଖାଦ୍ୟ ଦୋକାନ, ଗେମ୍‌ ଜୋନ୍‌, ଗେମିଂ ଆର୍କେଡ୍‌ସ, ପିଲା ଖେଳିବାକୁ ଥିବା ଖୋଲାସ୍ଥାନ, ମଲ୍ଟିପ୍ଲେକ୍ସ (ସିନେମା ହଲ୍‌), ମନୋରଞ୍ଜନ ହଲ୍‌, ଫନ୍‌ ଜୋନ୍‌ ଖୋଲିବନି। ମଲ୍‌ ପରିସରରେ କୌଣସି ପ୍ରଚାରଧର୍ମୀ କାର୍ଯ୍ୟକ୍ରମ ହେବନି କି କୌଣସି ସ୍ଥାନରେ ଲୋକ ଏକାଠି ହେବେନି।

ମଲ୍‌ରେ ଗ୍ରାହକ/କର୍ମଚାରୀ/ଆଗନ୍ତୁକଙ୍କ ମଧ୍ୟରେ ସର୍ବନିମ୍ନ ୬ଫୁଟର ଦୂରତା ରହିବ, ସମସ୍ତେ ମାସ୍କ ପିନ୍ଧିବେ, ସମସ୍ତଙ୍କ ପାଇଁ ହାତ ଧୋଇବାର ବ୍ୟବସ୍ଥା ଓ ସାନିଟାଇଜର୍‌ ରହିବ, ଅସୁସ୍ଥ କର୍ମଚାରୀ ମଲ୍‌କୁ ଆସିବେନି, ମଲ୍‌ର ସମସ୍ତ କର୍ମଚାରୀ ଓ ଆସୁଥିବା ଲୋକଙ୍କୁ ଅରୋଗ୍ୟ ସେତୁ ଆପ୍‌ ଏବଂ ସଚେତକ ଆପ୍‌ ଡାଉନଲୋଡ୍‌ କରିବାକୁ ପ୍ରବର୍ତ୍ତାଯିବ, ମଲ୍‌ରେ ପ୍ରବେଶ କରିବା ସମୟରେ ସମସ୍ତଙ୍କର ଥର୍ମାଲ୍‌ ସ୍କ୍ରିନିଂ କରାଯିବ, ମଲ୍‌ ପରିସରରେ କରୋନା ନେଇ ବ୍ୟାପକ ସଚେତନତା କରାଯିବ, ଅଧିକ ଲୋକ ଯେପରି ସଚେତନ ହେବେ ସେଥିପାଇଁ ଅଡିଓ ଭିଜୁଆଲ୍‌ ମାଧ୍ୟମରେ ପ୍ରଚାର କରିବେ, ‌ଲୋକଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତା ବଜାୟ ରହିବ ଏଥିପାଇଁ ମଲ୍‌ କର୍ତ୍ତୃପକ୍ଷ ଅଧିକ କର୍ମଚାରୀଙ୍କୁ ନିୟୋ‌ଜିତ କରିବେ। ମଲ୍‌‌କୁ ଗ୍ରାହକଙ୍କ ପ୍ରବେଶ ଓ ପ୍ରସ୍ଥାନ ଏବଂ ସାମଗ୍ରୀ ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ବତନ୍ତ୍ର ଗେଟ୍‌ ବ୍ୟବସ୍ଥା କରିବେ, ଏଲିଭେଟର ଓ ଲିଫ୍ଟରେ ଯେପରି ଏକସଙ୍ଗେ ଅଳ୍ପ ଲୋକ ଯାତାୟତ କରିବେ ସେଥିପାଇଁ ମଲ୍‌ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଧ୍ୟାନ ଦେବେ। ସେଣ୍ଟ୍ରାଲ ଏସି ତାପମାତ୍ରା ୨୪ରୁ ୩୦ଡିଗ୍ରି ମଧ୍ୟରେ ରହିବ, ସର୍ବସାଧାରଣ ସ୍ପର୍ଶ କରୁଥିବା ସ୍ଥାନ, ଏଲିଭେଟର ଓ ଲିଫ୍ଟ ସୁଇଚ୍ ଆଦିକୁ ୧% ସୋଡିୟମ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍‌ରେ ନିୟମିତ ବିଶୋଧନ କରାଯିବ, ବ୍ୟବହୃତ ମାସ୍କ, ଗ୍ଲୋବ୍ସ ଆଦି ଯେପରି ଠିକ୍‌ ଭାବେ ନଷ୍ଟ ହେବ ସେଥିପାଇଁ ମଲ୍‌ କର୍ତ୍ତୃପକ୍ଷ ସ୍ବତନ୍ତ୍ର ବ୍ୟବସ୍ଥା କରିବେ।

ଯଦି ମଲ୍‌ ପରିସରରେ କୌଣସି ସନ୍ଦିଗ୍ଧଙ୍କୁ ମଲ୍‌ କର୍ତ୍ତୃପକ୍ଷ ଚିହ୍ନଟ କରିବେ ତେବେ ତାଙ୍କୁ ଏକ ଏକାନ୍ତ ଅଞ୍ଚଳକୁ ନେବେ, ଏନେଇ ସଙ୍ଗେସଙ୍ଗେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ସୂଚନା ଦେବେ, ତାଙ୍କର ତୁରନ୍ତ ଯେପରି ପରୀକ୍ଷା ହେବ ତା’ର ବ୍ୟବସ୍ଥା କରାଯିବ।

ବିଏମ୍‌ସି ପକ୍ଷରୁ ଆଜି ଏହିଭଳି ୩୧ଟି ନିୟମ ମଲ୍‌ ପାଇଁ ଜାରି କରାଯାଇଛି।

ସମ୍ବନ୍ଧିତ ଖବର