ସୁକ୍‌ମାରେ ପୁଲିସ ଏନ୍‌କାଉଣ୍ଟର : ଓଡ଼ିଶା ପଶିଲେ ଆହତ ମାଓବାଦୀ

ମାଲକାନଗିରି : ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ଏକ ବଡ଼ ଧରଣର ଏନ୍‌କାଉଣ୍ଟର ପରେ ଆହତ ମାଓବାଦୀ ଓଡ଼ିଶା ଭିତରକୁ ପଶି ଆସିଛନ୍ତି! ଏନ୍‌କାଉଣ୍ଟର ସ୍ଥଳ ମାଲକାନଗିରି ସୀମାରେ ହୋଇଥିବାରୁ ସେମାନେ ଚିକିତ୍ସା ପାଇଁ ତୁଳସୀ ପାହାଡ଼କୁ ଚାଲିଆସିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ଗତକାଲି ରାତିରେ ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଏନ୍‌କାଉଣ୍ଟର ହୋଇଥିଲା। ଗୋଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ପୁଲିସ ପୁସପାଲ ଥାନା ଅନ୍ତର୍ଗତ ଚନ୍ଦାମେଟା ଜଙ୍ଗଲରେ ପଶିଥିଲା। ଚାରିପଟୁ ଘେରି ଯାଇ ହମ୍‌ଲା କରିଥିବା ବେଳେ ୩ଜଣ ମାଓବାଦୀ ଘଟଣାସ୍ଥଳରେ ନିହତ ହୋଇଥିଲେ। ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ତେବେ, ଏନ୍‌କାଉଣ୍ଟରେ ବହୁ ମାଓବାଦୀ ଆହତ ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଜଣେ ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ, ଜଙ୍ଗଲର ବିଭିନ୍ନ ସ୍ଥାନରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଛି। ଛତ୍ରଭଙ୍ଗ ଦେବା ପୂର୍ବରୁ ମାଓବାଦୀ ମୃତାହତ ସାଥିଙ୍କୁ ନେବାକୁ ଚେଷ୍ଟା କରିଥିବା ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ ପରେ ଜଣାପଡ଼ିଛି।

ସୁକମା ଏସପି ଅଭିଷେକ ମୀନା କହିଛନ୍ତି ଯେ, ପ୍ରାୟ ଅଧ ଘଣ୍ଟା ଧରି ଉଭୟ ପଟୁ ଗୁଳି ବିନିମୟ ହୋଇଥିଲା। ଏଥିର, ବହୁ ସଂଖ୍ୟାରେ ମାଓବାଦୀ ନିହତ ହୋଇଛନ୍ତି। ତେବେ ଶେଷ ଖବର ସୁଦ୍ଧା ପୁଲିସକୁ ମାତ୍ର ୩ଟି ଶବ ମିଳିଥିଲା। ତେବେ କେତେ ସଂଖ୍ୟାରେ ମାଓବାଦୀ ଥିଲେ ଏବଂ ସେମାନଙ୍କ ଯୋଜନା କ’ଣ ଥିଲା ତାହା ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଏନ୍‌କାଉଣ୍ଟର ଘଟଣା ପରେ ମାଓବାଦୀମାନେ ସେମାନଙ୍କ ଆହତ ସାଥୀମାନଙ୍କୁ ନେଇ ମାଲକାନଗିରି ଭିତରକୁ ପ୍ରବେଶ କରିଛନ୍ତି। ସେମାନେ ସୀମାବର୍ତ୍ତୀ ତୁଳସୀ ପାହାଡ଼ରେ ରହିଥିବା ଅନୁମାନ କରାଯାଉଛି। ଏପରିକି ନିକଟସ୍ଥ ଗ୍ରାମରେ ଆଶ୍ରୟ ନେବା ପାଇଁ ସୁରକ୍ଷିତ ଠିକଣା ଖୋଜୁଥିବା ଜଣାପଡ଼ିଛି।

ଏହା ଜାଣିବାପରେ ଓଡିଶା ପୁଲିସ ତତ୍ପରତା ପ୍ରକାଶ କରିଛି। ଦୁଇ ରାଜ୍ୟର ସୀମାକୁ ସିଲ୍‌ କରିଦେଇ ଅସ୍ୱାଭାବିକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି।

ସମ୍ବନ୍ଧିତ ଖବର