୧୨ ଦିନ ପରେ ଖୋଲିଲା ସୂର୍ଯ୍ୟ ମନ୍ଦିର

କୋଣାର୍କ: ‘ଫନି’ ପ୍ରଭାବରେ ସୂର୍ଯ୍ୟ ମନ୍ଦିର ପରିସରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିଲା। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ଦିର ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ପରେ ଏଏସ୍‌ଆଇ ଡିଜି କୋଣାର୍କ ଆସି ସ୍ଥିତି ଅନୁଧ୍ୟାନ କରି ୧୫ଦିନ ମଧ୍ୟରେ ମନ୍ଦିରର ପୂର୍ବାବସ୍ଥା ଫେରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଡିଜିଙ୍କ ପ୍ରତିଶ୍ରୁତି ମୁତାବକ ଆଜି ପୂର୍ବାହ୍ନ ୬ଟାରେ ପର୍ଯ୍ୟଟକମାନଙ୍କ ପାଇଁ ମନ୍ଦିର ଖୋଲା ଯାଇଥିଲା। ବିଦ୍ୟୁତ୍‌ ଓ ଇଣ୍ଟରନେଟ୍‌ ନଥିବା ଯୋଗୁ ପର୍ଯ୍ୟଟକମାନେ ଟୋକନ୍‌ ଟିକେଟ୍‌ ବଦଳରେ ମାନୁଆଲ କାଗଜ ଟିକେଟ୍‌ କରି ମନ୍ଦିର ପରିଦର୍ଶନ କରିଥିଲେ। ଅପରାହ୍ନ ୬ଟା ପର୍ଯ୍ୟନ୍ତ ୧୪୦୦ ଭାରତୀୟ ଓ ଜଣେ ବିଦେଶୀ ପର୍ଯ୍ୟଟକ ଟିକେଟ୍‌ କରି ପରିଦର୍ଶନ କରିଥିବା ଜଣାପଡିଛି। ପର୍ଯ୍ୟଟକମାନେ ଖରାରେ ଆଶ୍ରୟ ନେଉଥିବା ଝଙ୍କାଳିଆ ବରଗଛ ଟି ବାତ୍ୟାରେ ଭାଙ୍ଗି ଯାଇଥିବାରୁ ଖରାରୁ ରକ୍ଷା ପାଇବା ପାଇଁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର