ଶ୍ରୀମନ୍ଦିର ପାଇଁ ୨୦୨ କୋଟିର ବଜେଟ୍‌, ବିଭିନ୍ନ ଉତ୍ସରୁ ୧୮୧.୧୩ କୋଟି ଆୟ ଲକ୍ଷ୍ୟ

୨୦୨୩ ସୁଦ୍ଧା ହଜାରେ କୋଟିରେ ପହଞ୍ଚିବ ଶ୍ରୀମନ୍ଦିର ପାଣ୍ଠି, ଦାନ ସଂଗ୍ରହ ଉପରେ ଗୁରୁତ୍ବ, ନିର୍ମାଣ ହେବ ବାଣିଜ୍ୟିକ କୋଠା

ପୁରୀ: ୨୦୨୧-୨୨ ଆର୍ଥିକବର୍ଷରେ ଶ୍ରୀମନ୍ଦିର ପାଇଁ ପ୍ରସ୍ତୁତ ହୋଇଛି ୨୦୧.୭୦ କୋଟି ଟଙ୍କାର ବଜେଟ୍‌। ଯେଉଁଥିରେ ରାଜସ୍ବ ଆୟ ୯୦.୮୭ କୋଟି ଟଙ୍କା ଓ ପୁଞ୍ଜି ଆୟ ୯୦.୨୬ କୋଟି ଟଙ୍କା ଲକ୍ଷ୍ୟ ରଖାଯାଇଥିବାବେଳେ ରାଜସ୍ବ ବ୍ୟୟ ୮୮.୯୪ କୋଟି ଓ ପୁଞ୍ଜି ବ୍ୟୟ ୧୧୨.୭୬ କୋଟି ଟଙ୍କା ରଖାଯାଇଛି। ବଜେଟ୍‌ରେ ୨୦.୫୭ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର (ବିତ୍ତୀୟ ନିଅଣ୍ଟ)କୁ ଦାନ ଓ ଅନ୍ୟାନ୍ୟ କ୍ଷେତ୍ରରୁ ଭରଣା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି।

ବଜେଟ୍‌ର ଏହି ଚିଠା ପ୍ରସ୍ତାବ ଆଜି ଅର୍ଥ ସବ୍‌କମିଟି ବୈଠକରେ ଗୃହୀତ ହୋଇଛି। ଆଗାମୀ ତଥା ଶେଷ ପରିଚାଳନା କମିଟି ବୈଠକରେ ଏଥିରେ ଚୂଡ଼ାନ୍ତ ମୋହର ବାଜିବ। ଅନ୍ୟପଟେ କୋଭିଡ୍‌ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ଶ୍ରୀମନ୍ଦିର ପାଣ୍ଠି ପ୍ରଭାବିତ ହୋଇଥିବାରୁ ଏହାର ଭରଣା ପାଇଁ ବି ବିଭିନ୍ନ ନୂଆ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜମା ରାଶି ବାବଦରୁ ମିଳୁଥିବା ସୁଧ ଦ୍ବାରା ଆୟ ବୃଦ୍ଧି ପାଇଁ ୨୦୨୩ ବର୍ଷ ସୁଦ୍ଧା ଶ୍ରୀମନ୍ଦିର ପାଣ୍ଠି ହଜାରେ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହ ବୈଠକରେ ପରିଚାଳନା କମିଟି ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ବଜେଟ୍‌ରେ ଶ୍ରୀମନ୍ଦିର କର୍ପସ ପାଣ୍ଠିରୁ ସର୍ବାଧିକ ୧୮.୫୦ କୋଟିର ରାଜସ୍ବ ଆୟ ଲକ୍ଷ୍ୟ ରଖାଯାଇଛି। ସରକାରୀ ଅନୁଦାନ ୧୬.୩୭ କୋଟି, ଶ୍ରୀମନ୍ଦିର ପାଣ୍ଠି ଜମା ବାବଦରୁ ମିଳିଥିବା ସୁଧ ପରିମାଣ ୧୪.୨୦ କୋଟି, ଭକ୍ତ ନିବାସ, ହବିଷ୍ୟାଳି ଶିବିର କୋଠା, ବଗଲା ଧର୍ମଶାଳାରୁ ୧୦.୩୮ କୋଟି ଟଙ୍କାର ରାଜସ୍ବ ଆୟ ଲକ୍ଷ୍ୟ ରଖାଯାଇଛି। ସେହି ଭଳି ମହାପ୍ରଭୁଙ୍କ ଜମି ବିକ୍ରିରୁ ସର୍ବାଧକ ୬୦ କୋଟି ଟଙ୍କାର ପୁଞ୍ଜି ଆୟ ଲକ୍ଷ୍ୟ ରଖାଯାଇଛି। ଶ୍ରୀମନ୍ଦିର ଆୟ-ବ୍ୟୟ ସଂପର୍କରେ ସୂଚନା ଦେଇ ଡ. କୁମାର କହିଛନ୍ତି, ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ସର୍ବାଧିକ ୧୦.୯୧ କୋଟି ଟଙ୍କା ଖର୍ଚ୍ଚ ଧାର୍ଯ୍ୟ କରାଯାଇଛି।

ପାଳିଆ ପୁରସ୍କାର ପାଇଁ ୧୩.୬୦ କୋଟି ଟଙ୍କା, ମନ୍ଦିର କର୍ମଚାରୀଙ୍କ ଦରମା ବାବଦକୁ ୧୪.୩୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ସେବକ କଲ୍ୟାଣ ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପରେ ଏହାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରୁ ଦୁରାରୋଗ୍ୟରେ ପଡ଼ୁଥିବା ସେବାୟତଙ୍କ ଚିକିତ୍ସା ପାଇଁ ସିଂହଭାଗ ଅର୍ଥ ଖର୍ଚ୍ଚ କରାଯିବ। ସେବାୟତ କଲ୍ୟାଣ ପାଣ୍ଠିର ପୁନର୍ଗଠନ ହେବ। କର୍ପସ ପାଣ୍ଠି ଭଳି ପ୍ରତିବର୍ଷ ଏହି ପାଣ୍ଠିରେ ୫ କୋଟି ଟଙ୍କାର ସ୍ଥାୟୀ ଜମା ରଖାଯିବ। ଏହା ସେବାୟତ ତଥା ସେବାୟତ ପରିବାରର ଶିକ୍ଷା, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ବିନିଯୋଗ ହେବ। ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପାଇଁ ୧୭ ଏକର ଜାଗା ଚିହ୍ନଟ ସରିଥିବାବେଳେ ଏହାର କୋଠା ନିର୍ମାଣ ପାଇଁ ୫ କୋଟି ଟଙ୍କାର ଏମଓୟୁ ସ୍ବାକ୍ଷର ସରିଛି। ଆସନ୍ତା ଆର୍ଥିକ ବର୍ଷଠାରୁ କୋଠା କାମ ଆରମ୍ଭ ହେବ‌ ବୋଲି ଡ. କୁମାର କହିଛନ୍ତି।

ଡ. କୁମାରଙ୍କ ସୂଚନା ହେଲା, ଆସନ୍ତା ଆର୍ଥିକ ବର୍ଷରେ ଦାନ ସଂଗ୍ରହକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ ହେଉଛି। ମେ’ ୧ ସୁଦ୍ଧା ଏହି ଯୋଜନା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭକ୍ତମାନେ କେବଳ ଶ୍ରୀମନ୍ଦିର ହୁଣ୍ଡିରେ ଦାନ ନ କରି ଅଲଗା ଅଲଗା ଜିନିଷ ଅଲଗା ଅଲଗା ଭାବେ ଦାନ କରିପାରିବେ। ଭକ୍ତ ଧ୍ବଜା, ଭୋଗ, ପାଟ, ଅଳଙ୍କାର ଆଦି ଦାନ କରିବାକୁ ଚାହୁଁଥିଲେ, ଏଥି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ମନ୍ଦିରର ସମସ୍ତ ଖର୍ଚ୍ଚ ଏଥିରୁ ଭରଣା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏୟାରପୋର୍ଟ, ରେଳ ଷ୍ଟେସନ୍ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଦିରେ ଦାନ ବାକ୍ସ ଲଗାଇବାକୁ ଯୋଜନା କରାଯାଇଛି। ହବିଷ୍ୟାଳି କୋଠା ଓ ଜେଲ୍‌ ରୋଡ୍‌ରେ ଚାଲିଥିବା ପାନ୍ଥନିବାସ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ଆର୍ଥିକ ବର୍ଷଠାରୁ ଏହାକୁ ଭକ୍ତଙ୍କୁ ଦେବାକୁ ଯୋଜନା ରଖାଯାଇଛି। ଏହାଛଡ଼ା ଆଉ ଗୋଟିଏ ଭକ୍ତ ନିବାସ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଜାଗା ଚିହ୍ନଟ ପାଇଁ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି ବୋଲି ଡ. କୁମାର କହିଛନ୍ତି।

ଶ୍ରୀମନ୍ଦିର ଆୟର ମୁଖ୍ୟ ଉତ୍ସ ହେଲା ସ୍ଥାୟୀ ଜମା ଉପରେ ସୁଧ। ବିଭିନ୍ନ ବ୍ୟାଙ୍କରେ ଏବେ ପ୍ରାୟ ୪ ଶହ କୋଟି ଟଙ୍କା ଜମା ରଖାଯାଇଛି। ଆୟ ବୃଦ୍ଧି ପାଇଁ ଏବେ ବିଭିନ୍ନ ଯୋଜନା ପ୍ରସ୍ତୁତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ତାପଙ୍ଗରେ ଥିବା ପଥର ଖଣିର ସୁପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଛି। ଏଥିରୁ ୮ରୁ ୧୦ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ମନ୍ଦିର ପ୍ରଶାସନ ଭଲ ଜାଗା ଦେଖି ବାଣିଜ୍ୟିକ କୋଠା ନିର୍ମାଣ କରିବ। ଏହାକୁ ଭଡ଼ା ସୂତ୍ରରେ ଦେଇ ରାଜସ୍ବ ବଢ଼ାଇବାର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଶ୍ରୀମନ୍ଦିର ପାଣ୍ଠି ୬୫୦ କୋଟିରେ ପହଞ୍ଚିଛି। ୨୦୨୧-୨୨ ଆର୍ଥିକ ବର୍ଷ ସରିବା ପୂର୍ବରୁ ୭୫୦ କୋଟି ଓ ୨୦୨୩ ରଥଯାତ୍ରା ପୂର୍ବରୁ ଏହାକୁ ହଜାରେ କୋଟିରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି ଡ. କୁମାର କହିଛନ୍ତି।

ସମ୍ବନ୍ଧିତ ଖବର