ହରିଦାସପୁର-ପାରାଦୀପ ନୂଆ ରେଳପଥ ସ୍ଲାବ୍‌ ଧସିଲା

ଚଣ୍ଡିଖୋଲ: ହରିଦାସପୁର-ପାରାଦୀପ ନୂତନ ରେଳପଥରେ ଏବେ ମାଲଗାଡ଼ି ଚଳାଚଳ ଆରମ୍ଭ ହୋଇଥିବାବେଳେ ରେଳଲାଇନ୍ ବିଭିନ୍ନ ସ୍ଥାନରୁ ମାଟିବନ୍ଧ ଧସିବା ସହିତ ପଥର ପ୍ୟାକିଂ ଭୁଶୁଡ଼ିବାରେ ଲାଗିଛି। ହରିଦାସପୁର ଠାରୁ ୨୨ କିମି ଦୂର ପଲାଇ ଗ୍ରାମ ନିକଟରେ ଥିବା ଲଳିତଗିରି ରେଳଷ୍ଟେସନ ଗୃହର ସାମ୍ନା କଂକ୍ରିଟ୍ ପଥର ପ୍ୟାକିଂ ସାଇଟ୍‌ରୁ ୫୦ ଫୁଟ୍ ସ୍ଲାବ୍‌ ଭାଙ୍ଗି ପଥର ଭୁଶୁଡ଼ି ପଡ଼ିଛି। ଠିକ୍ ସେହି ସ୍ଥାନରୁ ୨୦୦ ଫୁଟ୍ ଲମ୍ବର ମାଟିବନ୍ଧ ମଧ୍ୟ ଭୁଶୁଡ଼ି ପଡ଼ିଛି। ପାରାଦୀପ ବନ୍ଦର ସହ ଯୋଡ଼ି ହୋଇଥିବା ରାଜ୍ୟର ଏହି ଗୁରୁତ୍ବପୂର୍ଣ୍ଣ ରେଳପଥର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ ୮୨.୫ କିମି ଦୀର୍ଘ ଏହି ରେଳପଥ ନିର୍ମାଣ ପାଇଁ ୨୩ ବର୍ଷ ଲାଗିଲା। ଉପକୂଳ ଓଡ଼ିଶାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏହା ଅତି ଗୁରୁତ୍ବପୂର୍ଣ୍ଣ ରେଳପଥ ବୋଲି କୁହାଯାଉଛି। ଏହାର ଅଧିକାଂଶ ନିର୍ମାଣ କାର୍ଯ୍ୟ ଏବଂ ଷ୍ଟେସନଗୁଡ଼ିକ କାମ ମଧ୍ୟ ଶେ‌ଷ ହୋଇନାହିଁ। ଗତମାସ ଜୁଲାଇ ୨୪ ତାରିଖରେ ପ୍ରଥମଥର ଏହି ରେଳପଥରେ ପରୀକ୍ଷାମୂଳକ ଭାବେ ବିଦ୍ୟୁତଚାଳିତ ରେଳଗାଡ଼ି ଚଳାଚଳ କରିଥିଲା। ପଲାଇ ଗ୍ରାମଠାରେ ଥିବା ଲଳିତଗିରି ରେଳଷ୍ଟେସନଟି ବିଧିବଦ୍ଧ ଭାବେ ଜୁଲାଇ ୩୦ ତାରିଖରୁ କାର୍ଯ୍ୟକ୍ଷମ ହୋଇଥିବା ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଷ୍ଟେସନ୍ ଅଧିକାଂଶ କାମ ବାକି ପଡ଼ିଥିବା ‌ବେଳେ ଠିକ୍ ରେଳଷ୍ଟେସନ୍ ଗୃହର ସମ୍ମୁଖ ଭାଗରୁ ମାଟି ଓ ପଥରବନ୍ଧ ଭୁଶୁଡ଼ି ପଡ଼ିବା ଘଟଣା ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ନୂତନ ରେଳପଥରେ ଏବେ ଦୈନିକ ତିନିଟି କିମ୍ବା ଚାରୋଟି ମାଲବାହୀ ରେଳଗାଡ଼ି ଯାତାୟାତ କରୁଥିବା ଷ୍ଟେସନ୍ ମାଷ୍ଟର ସଂଜୟ କୁମାର ପଣ୍ଡା କହିଛନ୍ତି।

ଅନ୍ୟପକ୍ଷରେ, ଏହି ଗୁରୁତ୍ବପୂର୍ଣ୍ଣ ରେଳପଥର ବାକିଆ କାମ ସାରିବା ସହିତ ନିମ୍ନମାନର କାମ ହୋଇଥିବା ରେଳପଥର କାମଗୁଡ଼ିକୁ ସଂପୂର୍ଣ୍ଣ କରିବାକୁ ଓଳାଶୁଣୀ ଗୁମ୍ଫା ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ଶରତ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ଶୁଭେନ୍ଦୁ କୁମାର ଭୂ୍ୟାଁ, ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ରାଜ୍ୟ ସଂପାଦକ ବିରୂପାକ୍ଷ ତ୍ରିପାଠୀ ଓ ଶ୍ରୀକାନ୍ତ ସାମଲଙ୍କ ସମେତ ପଲାଇ, ବରଦା, ବିକ୍ରମତିରଣ, ବାଲିପଡ଼ିଆ, ଭରତପୁର, ନଳୀପୁର, ଗୋପଳପୁର ଓ ବାଲିଚନ୍ଦ୍ରପୁର ପଞ୍ଚାୟତର ଲୋକପ୍ରତିନିଧି ଏବଂ ସ୍ଥାନୀୟ ଅଞ୍ଚଳବାସୀ ରେଳବାଇ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର