ଓଡ଼ିଶା ବିଧାନସଭା ନିର୍ବାଚନ: ଅଧିକ ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଓ କଂଗ୍ରେସକୁ ପଛରେ ପକାଇଲା ବିଜେପି

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରକ୍ରିୟା ଜୋର ଧରିଛି। ଓଡ଼ିଶାରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ହେଉଥିବାରୁ ମାହୋଲ ଅଧିକ ତୀବ୍ର ଦେଖାଯାଇଛି। ଦୁଇ ଦିନରେ ପରେ ଦେଶରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଯିବ। ଓଡ଼ିଶାରେ ମତଦାନ ହେବାକୁ ଆଉ ମାସେ ମଧ୍ୟ ସମୟ ନାହିଁ। ଅର୍ଥାତ ମେ’ ୧୩ ତାରିଖରେ ରାଜ୍ୟର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ( କୋରାପୁଟ ଓ କଳାହାଣ୍ଡି, ବ୍ରହ୍ମପୁର ଓ ନବରଂଗପୁର) ସମେତ ଏହାର ଅଧୀନରେ ଆସୁଥିବା ୨୮ଟି ବିଧାନସଭା କ୍ଷେତ୍ରରେ ମତଦାତାମାନେ ଭୋଟ ଦେଇ  ନିଜ ପସନ୍ଦର ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟ୍‌ ଦେଇ ବିଧାନସଭା ପଠାଇବେ। ରାଜ୍ୟର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଉଭୟ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ଆହୁରି ୪ଟି ଆସନରେ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ସେହିପରି ତିନି ଦଳ ବିଧାନସଭାର ସମସ୍ତ ୧୪୭ଟି ଆସନରେ ପ୍ରାର୍ଥୀ ଘୋଷଣା କରିପାରି ନାହାନ୍ତି।

ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ (ବିଜେଡି) ପ୍ରଥମେ ପ୍ରାର୍ଥୀ ତାଲିକା ଜାରି କରିଥିଲା। ଗତ ମାର୍ଚ୍ଚ ୨୭ ତାରିଖରେ ବିଜେଡି ୭୨ଟି ଆସନ ପାଇଁ ପ୍ରାର୍ଥୀ କରିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୨୭ ଜଣଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଅନ୍ୟ ୨ଟି ପର୍ଯ୍ୟାୟରେ ଯଥାକ୍ରମେ ୯-୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଏପର୍ଯ୍ୟନ୍ତ ବିଜେଡି ମୋଟ୍‌ ୧୧୭ ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିସାରିଥିବା ବେଳେ ଆହୁରି ୩୦ଟି ଆସନରେ କାହାକୁ ପ୍ରାର୍ଥୀ କରିବ ସେନେଇ ସ୍ପଷ୍ଟ କରିନାହିଁ।

ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ନେତାମାନେ ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ଆହୁରି ଅନ୍ୟ ନେତାମାନେ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି। କିଛି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇ ନଥିବାରୁ ଆଶାୟୀମାନଙ୍କ ମନରେ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି।

ବିଧାନସଭା ନିର୍ବାଚନ ପାଇଁ ସର୍ବାଧିକ ପ୍ରାର୍ଥୀ ଘୋଷଣା କରିବାରେ ଭାରତୀୟ ଜନତା ପାର୍ଟି (ବିଜେପି) ଆଗରେ ରହିଛି। ବିଜେପି ଗତ ୨ ତାରିଖ ଦିନ ପୂର୍ବାହ୍‌ଣରେ ଏକାଥରରେ ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। କିନ୍ତୁ ଏହି ତାଲିକାରେ ଏବେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଓ ନୟାଗଡ଼ ଜିଲ୍ଲା ରଣପୁରରେ ପ୍ରାର୍ଥୀ ବଦଳାଇଛି। ଦ୍ବିତୀୟ ତାଲିକାରେ ଏହି ଦୁଇ ଆସନରେ ନୂଆ ଚେହେରା ପ୍ରକାଶ କରିଛି। ଦ୍ବିତୀୟ ତାଲିକାରେ ବିଜେପି ୨୧ ଜଣଙ୍କର ନାମ ଘୋଷଣା କରିଛି। ମୋଟ ୧୩୧ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ ଆଉ ୧୬ଟି ଆସନରେ ବିଜେପିକୁ ପ୍ରାର୍ଥୀ ଦେବାର ଅଛି।

ଭାରତୀୟ ଜାତୀୟ କଂଗ୍ରେସ ଏପର୍ଯ୍ୟନ୍ତ ରାଜ୍ୟର ୧୨୧ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ପ୍ରଥମ ଦଫାରେ ଗତ ୨ ତାରିଖ ଦିନ ୪୯ ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଥିଲା। ଏହି ତାଲିକାରୁ ପରେ ୩ ଜଣଙ୍କୁ ବାଦ୍‌ ଦେଇଛି। ସୁନ୍ଦରଗଡ଼ ଜିଲ୍ଲା ତଲସରା, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଓ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ଦ୍ବିତୀୟ ଦଫାରେ ତଲସରା, ବାଲିଗୁଡ଼ା ଓ କବିସୂର୍ଯ୍ୟନଗର ସହିତ ୭୫ ଜଣିଆ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ଚଳିତ ମାସ ୨୦ ତାରିଖ ପୂର୍ବରୁ ବାକି ୨୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର