ଭିଡ଼ିଓ ଭାଇରାଲ୍‌: ବୃଦ୍ଧରୋଗୀଙ୍କୁ ପିଟୁଛନ୍ତି ୨ ମହିଳା ସହାୟିକା

କିଛିଦିନ ତଳେ ଟିକ୍‌ଟକ୍‌ ଭିଡିଓ ପାଇଁ ତଡ଼ା ଖାଇଥିଲେ, ଆଜି ମାନବାଧିକାର କମିସନ୍‌ ସଦସ୍ୟ ଯିବେ ଏସ୍‌ସିବି

କଟକ: ଚର୍ଚ୍ଚାରେ କଟକ ବଡ଼ ଡାକ୍ତରଖାନା ସର୍ଜରି ଅସହାୟ ୱାର୍ଡ। ଏହି ୱାର୍ଡରେ ଜଣେ ମାନସିକ ବିକାରଗ୍ରସ୍ତ ବୃଦ୍ଧରୋଗୀଙ୍କୁ ଦୁଇଜଣ ମହିଳା ସହାୟିକା ପିଟୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ରୋଗୀଜଣକ ପାଟି କରୁଥିବାରୁ ତାଙ୍କୁ ଏଭଳି ଦଣ୍ଡ ଦିଆଯାଉଥିବା ଭିଡିଓରେ ଦେଖାଯାଇଛି। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଘଟଣା ସାମ୍ନାକୁ ଆସିବା ପରେ ଏସ୍‌ସିବି କର୍ତ୍ତୃପକ୍ଷ ଏହାର ତଦନ୍ତ କରିବେ ବୋଲି କହିଥିବା ବେଳେ ବୁଧବାର ଦିନ ରାଜ୍ୟ ମାନବାଧିକାର କମିସନ୍‌ ସଦସ୍ୟ ଆଇନଜୀବୀ ଅସୀମ ଅମିତାଭ ଦାସ ଏସ୍‌ସିବିକୁ ଯାଇ ଏହାର ତଦନ୍ତ କରିବେ ବୋଲି ଜଣାପଡ଼ିଛି। ଉଲ୍ଲେଖ୍ୟ, ଦୁଇ ମହିଳା ଆଟେଣ୍ଡାଣ୍ଟ୍‌ଙ୍କ ଭିତରେ ଜଣେ ‌କିଛିମାସ ତଳେ ଡ୍ୟୁଟିରେ ଟିକ୍‌ଟକ୍‌ ଭିଡ଼ିଓ କରି କାର୍ଯ୍ୟରୁ ତଡ଼ା ଖାଇଥିଲେ।

ସୂଚନା ଅନୁସାରେ, ବର୍ଷେରୁ ଅଧିକ ସମୟ ହେଲା କଟକ ବଡ଼ ଡାକ୍ତରଖାନାରେ ଖୋଲିଛି ଅସହାୟ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ। ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ ପୃଥକ ୱାର୍ଡ କରାଯାଇଛି। ଏଠାରେ ଅସହାୟ ରୋଗୀଙ୍କ ସେବା ପାଇଁ ଆଉଟ୍‌ସୋର୍ସିଂରେ ଆଟେଣ୍ଡାଣ୍ଟ ନିଯୁକ୍ତି ଦିଆଯାଇଛି। ଅଧିକାଂଶ ରୋଗୀ ନିଜ ସମ୍ପର୍କରେ ଠିକ୍‌ରେ କିଛି ଜାଣି ପାରୁ ନ ଥିବାରୁ ଏହି ୱାର୍ଡରେ ଡାକ୍ତର, ନର୍ସଙ୍କ ବଦଳରେ ଆଟେଣ୍ଡାଣ୍ଟ ହିଁ ରୋଗୀଙ୍କ ଭରସା। ହେଲେ, ଏହି ୱାର୍ଡରେ ଅସହାୟ ରୋଗୀଙ୍କୁ ଠିକ୍‌ ଭାବେ ଚିକିତ୍ସା ମିଳୁ ନଥିବା ନେଇ ଅନେକ ସମୟରେ ଅଭିଯୋଗ ଆସୁଥିବା ବେଳେ ବର୍ତ୍ତମାନର ଭିଡିଓ ଭାଇରାଲ ଘଟଣା ୱାର୍ଡର ସ୍ଥିତିକୁ ଆହୁରି ବିବାଦୀୟ କରି ପକାଇଛି। ୱାର୍ଡରେ ଅସହାୟ ରୋଗୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାଇରାଲ୍ ହୋଇଥିବା ଭିଡ଼ିରେ ବୃଦ୍ଧ ଅସହାୟ ‌ରୋଗୀଙ୍କୁ ଦୁଇଜଣ ମହିଳା ଆଟେଣ୍ଡାଣ୍ଟ ବାଡି ଧରି ପିଟୁଥିବା ଦେଖାଯାଇଛି।

Dailyhunt

ଏ ଖବର ଜଣାପଡ଼ିବା ପରେ ଏବେ ଆଟେଣ୍ଡାଣ୍ଟ୍‌ଦ୍ବୟ ନିଜ ସଫାଇରେ କହୁଛନ୍ତି ଯେ, ଅସହାୟ ରୋଗୀ ୱାର୍ଡରେ ପାଟି କରୁଥିଲେ ବୋଲି ସେମାନେ ବାଡ଼ି ଧରି ମାଡ଼ ମାରିବାକୁ ବାଧ୍ୟ ହୋଇଛନ୍ତି। ଉଲ୍ଲେଖ୍ୟ, ବାଡ଼ି ଧରି ରୋଗୀଙ୍କୁ ମାଡ଼ମାରୁଥିବା ଦୁଇଜଣ ମହିଳା ଆଟେଣ୍ଡାଣ୍ଟଙ୍କ ଭିତରେ ଜଣେ ଆଟେଣ୍ଡାଣ୍ଟ୍‌ କିଛିମାସ ତଳେ ଟିକ୍‌ଟକ୍‌ ଭିଡିଓ କରି କାର୍ଯ୍ୟରୁ ତଡା ଖାଇଥିଲେ। ଏବେ ପୁଣି ଉକ୍ତ ଆଟେଣ୍ଡାଣ୍ଟଙ୍କୁ ଅସହାୟ ରୋଗୀଙ୍କ ୱାର୍ଡ ଦାୟିତ୍ବ କିପରି ମିଳିଲା ତାହା ସମଗ୍ର ଘଟଣାକୁ ଅଧିକ ସନ୍ଦେହାସ୍ପଦ କରି ଦେଇଛି। ସର୍ଜରି ଅସହାୟ ୱାର୍ଡରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଏସ୍‌ସିବିର ପ୍ରାଶାସନିକ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି ଯେ, ଅଭିଯୋଗ ଅତି ସଙ୍ଗୀନ। ଏହାର ସତ୍ୟାସତ୍ୟ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ। ସେପଟେ, ରାଜ୍ୟ ମାନବାଧିକାର କମିସନ୍‌ ସଦସ୍ୟ ଆଇନଜୀବୀ ଅସୀମ ଅମିତାଭ ଦାସ ୧୫ତାରିଖ ଦିନ ଏସ୍‌ସିବିକୁ ଯାଇ ଏହାର ତଦନ୍ତ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର