ୱାଲଟିୟର୍ ଡିଭିଜନକୁ ମିଳିଲା ୨୫୫୨ କୋଟି

ରାୟଗଡ଼ା ଡିଭିଜନର ପୁରୁଣା ଓ ନୂଆ ପ୍ରକଳ୍ପକୁ ଗୁରୁତ୍ବ

କୋରାପୁଟ-ସିଙ୍ଗାପୁରକୁ ୩୬୩, ଜଗଦଲପୁର-କୋରାପୁଟକୁ ୨୪୮ କୋଟି
ଟିଟିଲାଗଡ଼-ରାୟଗଡ଼ା-ବିଜୟନଗର ତୃତୀୟ ଲାଇନକୁ ୯୬୧ କୋଟି ମିଳିଲା
କୋରାପୁଟ-କୋଟ୍ଟାଭାଲସାକୁ ୩୪୮ କୋଟି, ନୂଆ ଲାଇନ୍ ପାଇଁ ୧୦୪ କୋଟି

ରାୟଗଡ଼ା : ୨୦୨୨-୨୩ ବଜେଟରେ ରେଳ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ବିଶାଖାପାଟଣାସ୍ଥିତ ୱାଲଟିୟର୍ ଡିଭିଜନକୁ ୨୫୫୨ କୋଟିର ଅନୁଦାନ ମିଳିଛି। ୱାଲଟିୟର୍ ଡିଭିଜନ୍ ପାଇଁ ଅନୁମୋଦିତ ବଜେଟ୍ ମଧ୍ୟରେ ନୂଆ ଲାଇନ୍ ପାଇଁ ୧୧୭.୮ କୋଟି, ରେଳଲାଇନ୍ ଦୋହରୀକରଣ ପାଇଁ ୨୧୬୨.୫ କୋଟି, ଟ୍ରାକ୍ ନବୀକରଣ ପାଇଁ ୧୯୩.୩୪ କୋଟିର ଅନୁଦାନ ଘୋଷଣା ହୋଇଛି। ସେହିପରି ରାୟଗଡ଼ା ଡିଭିଜନ୍ ଅଧୀନରେ ଥିବା ରାୟଗଡ଼ା-ସିଙ୍ଗାପୁର-କୋରାପୁଟ, କୋରାପୁଟ-ଜଗଦଲପୁର, କୋରାପୁଟ-କୋଟ୍ଟାଭାଲସାର ଦୋହରୀକରଣ ପାଇଁ ବ୍ୟାପକ ପରିମାଣର ଅନୁଦାନ ମିଳିଛି।

ସାମ୍ବାଦିକ ସମ୍ମିଳନୀରେ ୱାଲଟିୟର୍ ଡିଆରଏମ୍ ଅନୁପ ଶତପଥୀ ଦେଇଥିବା ସୂଚନାନୁଯାୟୀ, ଡିଭିଜନର ନିରାପତ୍ତା କାର୍ଯ୍ୟ ଓ ଭିତ୍ତିଭୂମି ବିକାଶକୁ ବଜେଟରେ ଗୁରୁତ୍ବ ମିଳିଛି। ଅଗ୍ରାଧିକାର ଭିତ୍ତିରେ ୨୨୦୮ କୋଟି ଟଙ୍କା କେବଳ ଦୋହରୀକରଣ ଏବଂ ନୂଆ ଲାଇନ ପାଇଁ ମିଳିଛି। ଜୟପୁର-ମାଲକାନଗିରି (୧୩୦ କିମି) ନୂଆ ଲାଇନ୍ ପାଇଁ ୧୩.୮୦ କୋଟି. ଜୟପୁର-ନବରଙ୍ଗପୁର (୩୮ କିମି) ନୂଆ ଲାଇନ୍ ପାଇଁ ୮୧ କୋଟି, ନୌପଡା-ଗୁଣପୁର-ଥେରୁବାଲି (୭୯.୧୫ କିମି) ନୂତନ ବ୍ରଡ୍‌ ଗେଜ୍ ଲାଇନ ସଂପ୍ରସାରଣ ପାଇଁ ୧୦ କୋଟି ଅନୁଦାନ ମିଳିଛି। ସେହିପରି କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପାଇଁ ୩୬୩ କୋଟି, ଜଗଦଲପୁର-କୋରାପୁଟ ଦୋହରୀକରଣ ପାଇଁ ୨୪୮ କୋଟି, କୋରାପୁଟ-କୋଟ୍ଟାଭାଲସା ଲାଇନ୍ ପାଇଁ ୩୪୮ କୋଟିର ଅନୁଦାନ ମିଳିଛି। ଟିଟିଲାଗଡ଼-ରାୟଗଡ଼ା-ବିଜୟନଗର ତୃତୀୟ ଲାଇନ ନିର୍ମାଣ ପାଇଁ ରେକର୍ଡ ୯୬୧ କୋଟି ଟଙ୍କାର ଅନୁଦାନ ମିଳିଛି।

ଟ୍ରାଫିକ୍ ସୁବିଧା ପାଇଁ ୧୧କୋଟି ବଜେଟରେ ଆବଣ୍ଟିତ ହୋଇଛି। ଯେଉଁଥିରେ ଗୋପାଳପାଟନମ୍-ବିଜୟନଗର, ସୀମାଞ୍ଚଳମ ବାଇପାସ୍ ଲାଇନ ଅନ୍ତର୍ଭୁକ୍ତ ରହିଛି। ଲେଭଲ୍ କ୍ରସିଂ ପାଇଁ ୧୭.୭୪ କୋଟି ଟଙ୍କା ମିଳିଥିବା ବେଳେ ପାଲାସା-ପୁଣ୍ଡି-ରୋଡ୍ ଓଭରବ୍ରିଜ୍, ପଣ୍ଡୁରୁ-ସିଗଡମ୍ ଓଭରବ୍ରିଜ୍ ଅନ୍ତର୍ଭୁକ୍ତ ରହିଛି। ଟ୍ରାକ୍ ନବୀକରଣ ପାଇଁ ୧୯୩.୩୪ କୋଟି, ବ୍ରିଜ୍, ଟନେଲ୍ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ୨୦.୩ କୋଟି, ସିଗନାଲ୍ ଓ ଟେଲିକମ୍ କାର୍ଯ୍ୟ ପାଇଁ ୨୩.୬୮୫ କୋଟି ଅନୁଦାନ ମିଳିଛି। ଯାହା ପୁରୁଣା ସିଗନାଲ୍ ସିଷ୍ଟମର ଆଧୁନିକୀକରଣ ଏବଂ ମରାମତି ପାଇଁ ବ୍ୟବହୃତ ହେବବୋଲି ସାମ୍ବାଦିକ ସମ୍ମିଳନୀରେ ଡିଆରଏମ୍ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର