ଗୃହରେ ତୃତୀୟ ଦିବସରେ ଚାଷୀ ପ୍ରସଙ୍ଗ: କଂଗ୍ରେସ ଆଣିଲା ମୁଳତବି ପ୍ରସ୍ତାବ, ଆଲୋଚନାରେ ଭାଗ ନେଲେନି ବିଜେପିର ସଦସ୍ୟ

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଶନିବାର ମଧ୍ୟ ଚାଷୀ ପ୍ରସଙ୍ଗ ଉଠିଛି। କଂଗ୍ରେସ ମୁଲତବି ପ୍ରସ୍ତାବ ଆଣିଥିବା ବେଳେ ବିଜେପିର ସଦସ୍ୟମାନେ ଆଲୋଚନାରେ ଭାଗ ନେଇ ନାହାନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଜେପିର ଅସଲ ମୁଖା ଖୋଲିଯାଇଛି। ବିଜେପିର ବିଧାୟକମାନେ ଲଗତାର ଚାଷୀ ଚାଷୀ ହୋଇ ହୋ ହାଲ୍ଲା କରୁଥିଲେ। କିନ୍ତୁ ମୁଲତବି ଦେଉଛନ୍ତି ଆତ୍ମହତ୍ୟା ଘଟଣା ଉପରେ। ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ସର୍ବଦଳୀୟ ବୈଠକ ଡାକନ୍ତୁ। ଆଲୋଚନା କରାଯାଇ ଆଇନ ଅଣାଯାଉ। ଚାଷୀଙ୍କ ଦାବି ମାନିଲେ ସମସ୍ୟାର ସମାଧାନ ହୋଇଯିବ। ଆଜି ଚାଷୀଙ୍କ ପ୍ରସଙ୍ଗ ନେଇ ଆମର ମୁଲତାବି ପ୍ରସ୍ତାବ ଥିଲା। କିନ୍ତୁ ବିଜେପି ସଦସ୍ୟ ଆଲୋଚନାରେ ଅଂଶଗ୍ରହଣ କରି ନ ଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି, ସମବାୟ ବିଭାଗ ମନ୍ତ୍ରୀ ଉତ୍ତର ଦେବା କଥା କିନ୍ତୁ ଉତ୍ତର ରଖିଲେ ଜଙ୍ଗଲ ମନ୍ତ୍ରୀ। ଆଜି ୨୧ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୭ରୁ ୧୮ ଜଣ ମନ୍ତ୍ରୀ ଅନୁପସ୍ଥିତ ଥିଲେ। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହାର ମଧ୍ୟ ଯଥାର୍ଥ ଉତ୍ତର ଦେଇପାରି ନାହାନ୍ତି। ଏହା ଏକ ନିର୍ଲଜ ସରକାର। ରାଜ୍ୟ ସରକାର ପାଇଁ ବିଧାନସଭା ବଡ଼ ନା ପଦ୍ମପୁର ଉପନିର୍ବାଚନ ବଡ଼। ଚାଷୀଙ୍କ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ। ସେଥିପାଇଁ ଆଜି ଆମେ ଧାରଣା ଦେଲୁ।

ଅନ୍ୟପଟରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଏହା ଏକ କଲେକଟିଭ ରେସପନସିବିଲିଟି। ଯଦି ମନ୍ତ୍ରୀ ଅନୁପସ୍ଥିତ ରହିବେ ସେ ଅନ୍ୟ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବେ ଓ ଏହି ପ୍ରସ୍ତାବକୁ ବାଚସ୍ପତି ସମ୍ମତି ଦେଲେ ସେ ଉତ୍ତର ରଖି ପାରିବେ। ଏମିତି କି ଅନ୍ୟ ବିଧାୟକଙ୍କ ପ୍ରଶ୍ନ ଆଉ ଜଣେ ମଧ୍ୟ ପଚାରି ପାରିବେ।

 

ସମ୍ବନ୍ଧିତ ଖବର