ଟ୍ରାକ୍ଟର ଡାଲା ତଳେ ଚାପି ହୋଇଗଲେ ଗର୍ଭବତୀ ମହିଳା, ବର୍ତ୍ତିଗଲା ୫ ବର୍ଷୀୟ ପୁଅ

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଜରକ ଗ୍ରାମପଞ୍ଚାୟତର ମୁଳାପାଳ ଗ୍ରାମରେ ଶନିବାର ଦିନ ଟ୍ରାକ୍ଟର ଓଲଟି ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମହିଳାଙ୍କ ୫ ବର୍ଷ ବୟସର ନାବାଳକ ପୁଅ ବର୍ତ୍ତି ଯାଇଛି। ମୃତ ମହିଳା ହେଲେ ଯମୁନା ସଏ (୨୫)।

ଘଟଣାରୁ ପ୍ରକାଶଯେ, ଆଜି ପଞ୍ଚାୟତ କାର୍ଯ୍ୟାଳୟରୁ ନିଜ ନିଜର ଚାଉଳ ନେଇ ଲୋକମାନେ ଏକ ଟ୍ରାକ୍ଟରରେ ମୁଳାପାଳ ଫେରୁଥିଲେ। ମୁଳାପାଳ ଗ୍ରାମରେ ମା ବାସୁଳିଙ୍କ ମୂଳପୀଠ ଥିବାରୁ ସେଠାରେ ପ୍ରତିବର୍ଷ ଜାଗର ଓ ସଂକ୍ରାନ୍ତିରେ ପୂଜାର ଆୟୋଜନ ହୋଇଥାଏ। କେତେଜଣ ମହିଳା ପୂଜା କରିବାକୁ ସେଠାକୁ ଯିବା ପାଇଁ ଟ୍ରାକ୍ଟରରେ ଉଠିଥିଲେ। ସମସ୍ତେ ଡାଲାରେ ଚାଉଳ ବସ୍ତା ଉପରେ ବସିଥିଲେ। ମାତ୍ର ମୁଳାପାଳ ସ୍କୁଲ ଆଗକୁ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଟ୍ରାକ୍ଟରଟି ହଠାତ ଓଲଟି ପଡ଼ିଥିଲା। ଯମୁନା ସଏ ଟ୍ରାକ୍ଟର ଡାଲାରେ ଚାପି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଯମୁନାଙ୍କର ଗୋଟିଏ ପୁଅ ବାଦଲ ସଏ (୫) ଥିବାବେଳେ ସେ ଗର୍ଭବତୀ ଥିଲେ। ଟ୍ରାକ୍ଟର ଓଲଟିବା ବେଳେ ଅନ୍ୟମାନଙ୍କ ସହିତ ବାଦଲ ଛିଟିକି ସାମାନ୍ୟ ଆହତ ହୋଇଥିଲା।

ମହୁଲଡ଼ିହା ଥାନା ଅଧିକାରୀ ଅଶୋକ କୁମାର ପହି ଓ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ଜବତ କରିଛନ୍ତି। ଶବ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ସହିତ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି। ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟରେ ଟ୍ରାକ୍ଟର ଚାଳକ ଫେରାର ଅଛି। ଯମୁନାଙ୍କ ମୃତ୍ୟୁରେ ଗ୍ରାମରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର