ପୁଅ ପଚାରିଲା ନାହିଁ ,ବିଷ ପିଇ ମୃତ୍ୟୁର ଶୀତଳ ସ୍ପର୍ଶକୁ ଆପଣେଇ ନେଲେ ବୃଦ୍ଧ ଦମ୍ପତି

ରାଜକୋଟ: ବୟସ ଥିବା ବେଳେ ପୁଅ ପାଇଁ ସେମାନେ ସବୁ କିଛି କରିଥିଷଳ। ମାତ୍ର ବୟସ ଗଡ଼ିଗଲା ପରେ ଯେତେବେଳେ ସେମାନେ ଜୀବନର ସାୟାହ୍ନରେ ପହଞ୍ଚିଲେ ପୁଅ ନିଜ ଦାୟିତ୍ୱ ନେବା ପାଇଁ ଚାହିଁଲା ନାହିଁ। ବୋହୁକୁ ଧରି ବାପାମାଆଙ୍କ ଠାରୁ ଦୂରରେ ରହିଲା। ଏହାକୁ ନେଇ ଅବସାଦଗ୍ରସ୍ତ ହୋଇ ପଡ଼ିଲେ ବୟସ୍କ ଦମ୍ପତି ।ଗୋଟିଏ ପଟେ ବାର୍ଦ୍ଧକ୍ୟଜନିତ ରୋଗ ସାଙ୍ଗକୁ ଆଣ୍ଠୁଗଣ୍ଠି ରୋଗ ସେମନଙ୍କୁ ଶାରୀରିକଭାବେ ଦୁର୍ବଳ କରି ଦେଇଥିବା ବେଳେ ଅନ୍ୟ ପଟେ ପୁଅର ଏ ପ୍ରକାର ବ୍ୟବହାର ସେମାନଙ୍କ ହୃଦୟକୁ ଭାଙ୍ଗି ଦେଇଥିଲା। ଶେଷରେ ନିଜର ଏକାକୀତ୍ୱ ଦୂର କରିବା ପାଇଁ ମୃତ୍ୟୁର ଶୀତଳ ସ୍ପର୍ଶକୁ ଆପଣେଇ ନେଇଛନ୍ତିିି ବୟସ୍କ ଦମ୍ପତି। ଏପରି ଏକ ଘଟଣା ଗୁଜୁରାଟର ରାଜକୋଟ ସହରରେ ଘଟିଛି ଓ ଏହାକୁ ନେଇ ସମଗ୍ର ସହରରେ ଆଲୋଚନା ହେଉଛି।


ସରକାର ଆଇନ କରିଛନ୍ତି,ବୃଦ୍ଧ ପିତାମାତାଙ୍କର ଦାୟିତ୍ୱ ନେବା ସନ୍ତାନସନ୍ତତିମାନଙ୍କ ଦାୟିତ୍ୱ। ମାତ୍ର ଏହି ଆଇନକାନୁନ ଗୁଡ଼ିକ ଏ ପର୍ଯ୍ୟନ୍ତ ଯେ ଆମ ଦେଶରେ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ପାରି ନାହିଁ ତାର ନଜିର ଦେଖିବାକୁ ମିଳିଛି ରାଜକୋଟରେ। ଗୁଜୁରାଟର ରାଜକୋଟର କୋଠାରୀ ରୋଡ୍‌ରେ ଥିବା ରାଧାକୃଷ୍ଣ ସୋସାଇଟିରେ ରହୁନ୍ତି ବିହା ପରମାର(୭୨ ବର୍ଷ) ଓ ତାଙ୍କ ପତ୍ନୀ ଜିଭୁ ପରମାର(୭୦ ବର୍ଷ) । ସେମାନଙ୍କ ଏକମାତ୍ର ପୁଅ ନିଜ ବୃଦ୍ଧ ପିତାମାତାଙ୍କୁ ଛାଡ଼ି ଅନ୍ୟତ୍ର ରୁହନ୍ତି। ତେଣୁ ବୟସ ବଢ଼ିବା ସହିତ ଏହି ବୃଦ୍ଧ ଦମ୍ପତି ଧୀରେ ଧୀରେ ଏକାକୀତ୍ୱ ଯୋଗୁଁ ଅବସାଦଗ୍ରସ୍ତ ହୋଇ ପଡ଼ିଥିଲେ। ନିର୍ଜନତା ସେମାନଙ୍କୁ ଏକ ରକମ ରୋଗଗ୍ରସ୍ତ କରି ଦେଇଥିିଲା। ଭୟଙ୍କର ମାନସିକ ଅବସାଦରେ ଥିବା ଏହି ଦମ୍ପତ୍ତିଙ୍କ ପାଇଁ ଆଣ୍ଠୁଗଣ୍ଠିଜନିତ ସମସ୍ୟା ବୋଝ ଉପରେ କୋରଡ଼ ବିଡ଼ା ସଦୃଶ ହୋଇଥିଲା। ଏପରିକି ନିଜ ଖାଇବା ପିଇବା ପ୍ରସ୍ତୁତ କରିବାରେ ମଧ୍ୟ ସେମାନେ ଅସୁବିଧା ଭୋଗ କରିବା ପରେ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ଦମ୍ପତ୍ତି ଗତ ବୁଧବାର ଦିନ ବିଷପାନ କରି ମୃତ୍ୟୁବରଣ କରିବାକୁ ନିଷ୍ପତ୍ତି ନେଇନିଜ ଘରେ ବିଷ ପିଇ ଦେଇଥିଲେ। ପରେ ଗୁରୁବାର ଦିନ ସ୍ୱାମୀ ବିହା ପରମାରଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜକୋର୍ଟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ତାଙ୍କ ପତ୍ନୀ ଜିଭୁ ପରମାର ଚିକିତ୍ସିତ ଅବସ୍ଥାରେ ତା ପରଦିନ ମୃତ୍ୟୁବରଣ କରିଛନ୍ତି ବୋଲି ଅଜିତ ଡ୍ୟାମ ଥାନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର