ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ: କଂଗ୍ରେସ

ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ବର : ବିମୁଦ୍ରୀକରଣର ୨ବର୍ଷ ପରେ ମଧ୍ୟ ଦେଶର ଅର୍ଥନୀତିରେ ସେଭଳି କୌଣସି ଆଖିଦୃଶିଆ ପରିବର୍ତ୍ତନ ଆସିଲା ନାହିଁ। ବରଂ ଏଭଳି ଏକଚାଟିଆ ନିଷ୍ପତ୍ତି ପାଇଁ ଅନେକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବୁଡ଼ିଗଲା। ଲୋକମାନେ ଚାକିରି ହରାଇ ବସିଲେ, ବେକାରୀ ସମସ୍ୟା ବଢ଼ିଗଲା। ପ୍ରଧାନମନ୍ତ୍ରୀଙ୍କ ତ୍ରୁଟିପୂର୍ଣ୍ଣ ବିମୁଦ୍ରୀକରଣର ଦୁଇବର୍ଷ ପୂର୍ତ୍ତି ଅବସରରେ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଦଳ ପକ୍ଷରୁ ଏଭଳି ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ କଂଗ୍ରେସ କର୍ମୀ ଯୋଗଦେଇ ବ୍ୟାଙ୍କ ସମ୍ମୁଖରେ ମୋଦୀ ସରକାର ବିରୋଧରେ ଗର୍ଜନ କରିଥିଲେ।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କଳାଧନ ଓ ଜାଲ୍‌ନୋଟ୍‌ ପ୍ରଚଳନକୁ ରୋକିବା ପାଇଁ ୨୦୧୬ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାତିଅଧିଆ ନିଷ୍ପତ୍ତି ନେଇ ନୋଟ୍‌ବନ୍ଦୀ କଲେ। ମୋଦୀଙ୍କ ଏହି ତୋଗଲକୀ ନିଷ୍ପତ୍ତି ଯୋଗୁଁ ଦେଶର ୧୨୫ କୋଟି ଲୋକ ନଗଦ ମୁଦ୍ରା ପାଇଁ ରାଜରାସ୍ତାରେ ଘଣ୍ଟାଘଣ୍ଟା ଛିଡ଼ା ହୋଇ ରହିଲେ। ଦେଶରେ ଏକପ୍ରକାର ଅଘୋଷିତ ଆର୍ଥିକ ଜରୁରୀ ପରିସ୍ଥିତି ଜାରି କରି ଦିଆଗଲା। ଟଙ୍କା ପାଇଁ ଭୀଷଣ ଖରାରେ ଏଟିଏମ୍‌ ଓ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଲୋକଙ୍କ ଜୀବନ ଗଲା। କିନ୍ତୁ ଅଚଳ ଟଙ୍କାର ୯୯.୩ ପ୍ରତିଶତ ରିଜର୍ଭ ବ୍ୟାଙ୍କକୁ ଫେରି ଆସିଲା। ତେବେ କଳା ଟଙ୍କା କୁଆଡ଼େ ଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି? ସେହିପରି ନୋଟବନ୍ଦୀର ମାସକ ମଧ୍ୟରେ ବଜାରରେ ୨ହଜାର ଓ ୫ଶହ ଟଙ୍କିଆ ନୋଟ୍‌ର ଜାଲନୋଟ୍‌ ଘୂରି ମିଳିଲା। ଛଅମାସ ମଧ୍ୟରେ ବିଦେଶରେ ୭ହଜାର କୋଟି କଳାଧନ ଜମା ହେଲା। ପ୍ରଧାନମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ଦେଶ ବିଦେଶର ବହୁ ବିଶିଷ୍ଟ ଅର୍ଥନୀତିଜ୍ଞମାନେ ନିନ୍ଦା କଲେ। ହେଲେ ମୋଦୀ ସରକାର ତାହା ଠିକ୍‌ ଦର୍ଶାଇ ପ୍ରସଂଶା ଗୋଟାଇବାକୁ ପ୍ରୟାସ କଲେ। ତେଣୁ ଏଭଳି ଏକଚାଟିଆ ଏବଂ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ମୋଦୀ ଦେଶବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ନେତୃବୃନ୍ଦ ଦାବି କରିଥିଲେ। ସେହପରି କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ମୋଦୀଙ୍କ ଏଭଳି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେତେବେଳେ ସମର୍ଥନ ଜଣାଇଥିଲେ। ଏଥିରୁ ସ୍ପଷ୍ଟ ଯେ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଖ।

ବିକ୍ଷୋଭରେ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ବାଳ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଶରତ ରାଉତ, ଶରତ ପଟ୍ଟନାୟକ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ଅନନ୍ତ ସେଠୀଙ୍କ ସମେତ ବହୁ ନେତା କର୍ମକର୍ତ୍ତା ଯୋଗଦେଇ ପ୍ରତିବାଦ କରିଥିଲେ।

ସମ୍ବନ୍ଧିତ ଖବର