ସମ୍ବଲପୁର: ମହିଳାଙ୍କୁ ବାନ୍ଧି ଘରୁ ଟଙ୍କା,ସୁନା ଓ ମୂଲ୍ୟବାନ ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ସମ୍ବଲପୁର: ସମ୍ବଲପୁର ଭୀମଭୋଈ ନଗରରେ ରହୁଥିବା ଜଣେ ମହିଳାଙ୍କ ଘରୁ ମଙ୍ଗଳବାର ଅପରାହ୍ନରେ ଦୁଇ ଦୁର୍ବୃତ୍ତ ଟଙ୍କା, ସୁନାଗହଣା ଓ ମୂଲ୍ୟବାନ ସାମଗ୍ରୀ ଆଦି ଲୁଟି ନେଇଛନ୍ତି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଭୀମଭୋଈ ନଗରରେ ମହିଳା ଇନ୍ଦୁବାଳା ଘରେ ଏକାକି ରହିଥିବା ସମୟରେ ଦୁଇଜଣ ଅଚିହ୍ନା ଯୁବକ ତାଙ୍କୁ ଆସି ଡାକ ପକାଇଥିଲେ। ଇନ୍ଦୁବାଳା ଯେତେବେଳେ ଦ୍ୱାର ନିକଟକୁ ଆସିଥିଲେ ନିଜକୁ ସେମାନେ  ବିଦ୍ୟୁତ୍‌ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ମିଟର ଯାଞ୍ଚ ପାଇଁ ଆସିଥିବା କହିବାରୁ ଇନ୍ଦୁବାଳା ତାଙ୍କୁ ଘର ଭିତରେ ପଶିବାକୁ ଦେଇଥିଲେ। ଯେମିତି ହିଁ ଦୁର୍ବୃତ୍ତ ଘରେ ପଶିଛନ୍ତି ଇନ୍ଦୁବାଳା କିଛି ବୁଝିବା ପୂର୍ବରୁ ସେମାନେ ତାଙ୍କୁ ଛୁରୀ ଦେଖାଇ ବାନ୍ଧି ପକାଇଥିଲେ। ଏହାପରେ ସେମାନେ ଘରର ଆଲମାରିରେ ଥିବା ସମସ୍ତ ଟଙ୍କା, ସୁନା ଓ ମୂଲ୍ୟବାନ ସମାଗ୍ରୀ ଆଦି ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଦୁର୍ବୃତ୍ତ ଘରୁ ପଳାଇବା ପରେ ଇନ୍ଦୁବାଳା ପାଖପଡୋଶୀଙ୍କୁ ଡାକ ପକାଇଥିଲେ। ଇନ୍ଦୁବାଳାଙ୍କ ଡାକ ଶୁଣି ପାଖପଡୋଶୀ ଘଟଣାସ୍ଥଳରେ ପହଞ୍ଚିବା ପରେ ମହିଳାଙ୍କୁ ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ। ଦୁର୍ବୃତ୍ତଙ୍କ ଛୁରାଘାତରେ ଇନ୍ଦୁବାଳାଙ୍କ ହାତରେ ଆଘାତ ମଧ୍ୟ ଲାଗିଥିଲା। ଏହି ଘଟଣା ନେଇ ଅଇଁଠାପାଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଲୁଟେରାଙ୍କୁ ଧରିବା ପାଇଁ ଅନୁସନ୍ଧାନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର