ରବୀନ୍ଦ୍ର ସାମନ୍ତଙ୍କୁ କବି ପ୍ରସାଦ ମିଶ୍ର ସ୍ମୃତି ସମ୍ମାନ

ଭୁବନେଶ୍ୱର: ଲେଖକ ତଥା ଡାକ୍ତର କବି ପ୍ରସାଦ ମିଶ୍ରଙ୍କ ସ୍ମୃତିରେ ଏକ ସ୍ମୃତି ସନ୍ଧ୍ୟା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ସାହିତ୍ୟିକ ସାତକଡ଼ି ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ କବି ପ୍ରସାଦଙ୍କ ଲେଖକୀୟ, ବ୍ୟକ୍ତିଗତ ଓ ଡାକ୍ତରୀ ଜୀବନ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ସେହିପରି ଆୟକର ଆୟୁକ୍ତ ଶରତ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡାକ୍ତର ଅଶୋକ କୁମାର ମହାପାତ୍ର ଏବଂ ସାରସ୍ୱତ ଜଗତର ବ୍ୟକ୍ତିବିଶେଷ ପ୍ରଫେସର ରଜତ କୁମାର କର, ତୁଷାରକାନ୍ତି ପଣ୍ଡା, ପୀତବାସ ରାଉତରାୟ, ପ୍ରଫେସର ଶରତ ଚନ୍ଦ୍ର ରଥ, ରବୀନ୍ଦ୍ର ନାରାୟଣ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ପ୍ରଭାତ କୁମାର ନନ୍ଦ। ଏହି ଅବସରରେ ଡାକ୍ତର ରବୀନ୍ଦ୍ର ନାରାୟଣ ସାମନ୍ତଙ୍କୁ କବି ପ୍ରସାଦ ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହ ମିନତି ଷଡ଼ଙ୍ଗୀଙ୍କ ରଚିତ ପୁସ୍ତକ ‘ବିସ୍ମୟ ପୁରୁଷ କବି ପ୍ରସାଦ’ ଉନ୍ମୋଚିତ ହୋଇଥିଲା। ସ୍ମୃତି ପରିଷଦର ସମ୍ପାଦକ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ତାରେଶ୍ୱର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ଦାମୋଦର ସେନାପତି, ଅମିତାପ୍ରଭା ସ୍ୱାଇଁ ଏବଂ ଅମ୍ରିତ ସାଗର କର ପ୍ରାରମ୍ଭରେ ଭଜନ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର