ସାମ୍ବାଦିକତା, ସାହିତ୍ୟ, ରାଜନୀତିର ତ୍ରିବେଣୀ ସଂଗମ ଥିଲେ ଜାନକୀବଲ୍ଲଭ

କଟକ : ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ଜଣେ ଶ୍ରେଷ୍ଠ ରାଜନୈତିକ ବ୍ୟକ୍ତିତ୍ୱ। ସେ ନିଜକୁ ଯୋଗ୍ୟ କରିବା ସହିତ ଦେଶପାଇଁ ଅନେକ ସୁଯୋଗ୍ୟ ରାଜନେତା ସୃଷ୍ଟି କରି ପାରିଥିଲେ। ଆଜିର ଯୁବପିଢ଼ିଙ୍କ ପାଇଁ ସେ ହେଉଛନ୍ତି ଏକ ସଫଳ ଉଦାହରଣ। କଟକ ସାରଳା ଭବନରେ ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ସମାରୋହରେ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଏଭଳି ମତବ୍ୟକ୍ତ କରିଛନ୍ତି ବିଜିନେସ୍‌ ଓ୍ଵାର୍ଲଡ୍‌ର ସଂପାଦକ ଅନୁରାଗ ବାତ୍ରା। ଶ୍ରୀ ବାତ୍ରା କହିଛନ୍ତି ଯେ ଜାନକୀବଲ୍କଭଙ୍କ ରାଜନୈତିକ ଜୀବନ, ସାରସ୍ୱତ ସାଧନା, ଧର୍ମ ଓ ସଂସ୍କୃତି ତଥା ରାଜ୍ୟର ସାମଗ୍ରିକ ବିକାଶରେ ଉଲ୍ଲେଖନୀୟ ଅବଦାନ ତାଙ୍କୁ ଉତ୍ତରପିଢ଼ିଙ୍କ ପାଖରେ ଚିରସ୍ମରଣୀୟ କରି ରଖିବ।

ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନର ସଭାପତି ବରିଷ୍ଠ ଆଇନଜୀବୀ ଡକ୍ଟର ବିପିନ ବିହାରୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଖ୍ୟାତ କବି ପଦ୍ମଭୂଷଣ ରମାକାନ୍ତ ରଥ କହିଥିଲେ ଯେ ଜାନକୀବଲ୍ଲଭ ପଟ୍ଟନାୟକ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତିକୁ ଭଲ ପାଇବା ସହିତ ଓଡ଼ିଶାର ସଂସ୍କୃତିକୁ ଭାରତର ସଂସ୍କୃତି ସହିତ ଯୋଡ଼ିବା ପାଇଁ ଆନ୍ତରିକ ଉଦ୍ୟମ କରିଥିଲେ। ତାଙ୍କ ରଚିତ ରାମାୟଣ, ମହାଭାରତ, ଅନୁଦିତ ଭର୍ତ୍ତୃହରିଙ୍କ ଶତକ ଆଦି ଏହାର ପ୍ରମାଣ। ରାଜନୀତିରେ ଥାଇ ମଧ୍ୟ ସେ ପ୍ରତିପକ୍ଷଙ୍କ ପ୍ରତି ସର୍ବଦା ଶାଳୀନ, ଶିଷ୍ଟ ଭାଷା ବ୍ୟବହାର କରୁଥିଲେ। ତାଙ୍କ ଭଳି ରାଜନେତା ବିରଳ ବୋଲି ଶ୍ରୀ ରଥ କହିିଥିଲେ।

ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ସଂପାଦକ, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଜାନକୀବଲ୍ଲଭ ଥିଲେ ସାମ୍ବାଦିକତା, ସାହିତ୍ୟ ଓ ରାଜନୀତିର ତ୍ରିବେଣୀ ସଂଗମ। ତାଙ୍କ ସଫଳ ଜୀବନ ଉତ୍ତରପିଢ଼ି ପାଇଁ ଅନୁକରଣୀୟ। ସାଧାରଣ ପରିବାରରୁ ଆସିଥିବା ଜଣେ ବ୍ୟକ୍ତି ଦୃଢ଼ ଇଚ୍ଛାଶକ୍ତି, ସାଧନା ବଳରେ କିଭଳି ସଫଳତାର ଶୀର୍ଷକୁ ଛୁଇଁ ପାରେ, ଜାନକୀବଲ୍ଲଭ ତାହା ପ୍ରମାଣ କରିଛନ୍ତି। ଓଡ଼ିଶାର ମୌଳିକ ସମସ୍ୟା ସହିତ ସେ ଗଭୀର ଭାବେ ଜଡ଼ିତ ରହୁଥିଲେ ଏବଂ ଏହାର ସମାଧାନ ପାଇଁ ଆନ୍ତିରକ ଉଦ୍ୟମ କରୁଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିିଥିଲେ।

ସମାରୋହରେ ଅଧ୍ୟକ୍ଷତା କରି ବରିଷ୍ଠ ଆଇନଜୀବୀ ଡକ୍ଟର ବିପିନ ବିହାରୀ ରଥ ରାଜ୍ୟର ଆଇନଜୀବୀଙ୍କ ପ୍ରତି ଜାନକୀବଲ୍ଲଭଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ। ପ୍ରଫେସର ବିଜୟ କୁମାର ନନ୍ଦ, ପ୍ରତିଷ୍ଠାନର ଉପସଭାପତି ପ୍ରଫେସର ବୈଷ୍ଣବ ଚରଣ ସାମଲ, ସାହିତ୍ୟିକ ଇଞ୍ଜିନିୟର ପ୍ରଭାକର ସ୍ୱାଇଁ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରତିଷ୍ଠାନର ସାଧାରଣ ସଂପାଦକ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି କହିଥିଲେ। ଜାନକୀବଲ୍ଲଭ ପଟ୍ଟନାୟକ ସ୍ୱାଭିମାନ, ପ୍ରଜ୍ଞା, ନମ୍ରତା, ଆଧ୍ୟାତ୍ମିକତାର ପ୍ରତୀକ ବୋଲି ଡକ୍ଟର ଭୂୟାଁ କହିଥିଲେ।

ଏହି ଅବସରରେ ‘ସମାଜ’ର ସଂପାଦକ ବାମାପଦ ତ୍ରିପାଠୀଙ୍କୁ ଜାକକୀବଲ୍ଳଭ ସାମ୍ବାଦିକତା ସମ୍ମାନ, ବିଶିଷ୍ଟ ଗବେଷକ ତଥା ‘ପୌରୁଷ’ର ସଂପାଦକ ଅସିତ ମହାନ୍ତିଙ୍କୁ ଜାନକୀବଲ୍ଲଭ ସାରସ୍ୱତ ସମ୍ମାନ, ପ୍ରଫେସର ଡାକ୍ତର ବିଦ୍ୟୁତ ଦାସଙ୍କୁ ଜାନକୀବଲ୍ଲଭ ସମାଜସେବା ସମ୍ମାନ ପ୍ରଦାନ କରାଯାଇଥିଲା। ସମାରୋହରେ ଡକ୍ଟର ଗୋବିନ୍ଦ ଭୂୟାଁଙ୍କ ରଚିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜୀବନୀପୁସ୍ତକ ‘ସାର୍ଥକ ସାରଥି ଜାନକୀବଲ୍ଲଭ’ର ଇଂରାଜୀ ଅନୁଦିତ ପୁସ୍ତକ ‘ଜେ.ବି. ପଟ୍ଟନାୟକ: ଦି ଲିଡର ଏକ୍ସଟ୍ରାଅର୍ଡିନାୟାର୍‌’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ପୁସ୍ତକଟିକୁ ପ୍ରଫେସର ଡକ୍ଟର ବିଜୟ କୁମାର ନନ୍ଦ ଇଂରାଜୀରେ ଅନୁଦାଦ କରିଥିବା ବେଳେ ‘ଆମ ଓଡ଼ିଶା’ ପକ୍ଷରୁ ଏହା ପ୍ରକାଶିତ ହୋଇଛି।

ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ବିଶ୍ୱାଳ, ଆଇନଜୀବୀ ଇଞ୍ଜିନିୟର ଆକାଶ ଭୂୟାଁ ଓ ବିଶ୍ୱମିତ୍ରା ମିଶ୍ର ମାନପତ୍ର ପାଠ କରିଥିଲେ। ସାରସ୍ୱତ ସାଧିକା ଡକ୍ଟର ଭାଗ୍ୟଲିପି ମଲ୍ଲ ପ୍ରାରମ୍ଭିକ ସୂଚନା ଦେବା ସହିତ ସଭା ସଂଯୋଜନା କରିିଥିଲେ।

ସମାରୋହରେ ଜାନକୀଭଲ୍ଲଭ ପଟ୍ଟନାୟକଙ୍କ ସୁପୁତ୍ର ପୃଥ୍ଵୀବଲ୍ଲଭ ପଟ୍ଟନାୟକ, ନାତୁଣି ତଥା ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ‘ଆମ ଓଡ଼ିଆ’ର ସଂପାଦକ ସ୍ୱରାଜ ମିଶ୍ର, ଓଡ଼ିଆ ହାଇକୋର୍ଟ ବାର୍‌ ଆସୋସିଏସନ ସଭାପତି ଶ୍ରୀକାନ୍ତ ନାୟକ, ଆଇନଜୀବୀ ଶକ୍ତିଧର ଦାସ, ଦେବସ୍ନାନ ଦାସ, ସୌରଚନ୍ଦ୍ର ମହାପାତ୍ର, ଇଞ୍ଜିନିୟର ଗୋପାଳକୃଷ୍ଣ ବେହେରା, ନଟବର ଖୁଣ୍ଟିଆ, ଡକ୍ଟର ପ୍ରଭାତ କୁମାର ମିଶ୍ର, ପ୍ରଫେସର ସତ୍ୟକାମ ମିଶ୍ର, ସୁରେଶ ଚନ୍ଦ୍ର ମନ୍ତ୍ରୀ, ଡକ୍ଟର ପାବକ କାନୁନ୍‌ଗୋ, ଡକ୍ଟର ହେମେନ୍ଦ୍ର ନାରାୟଣ ଦାସ, ସାହିତ୍ୟିକା ଡକ୍ଟର ଅର୍ଚ୍ଚନା ନାୟକ, ପ୍ରଫେସର ନଟବର ଶତପଥୀ, ବୈଜ୍ଞାନିକ ସଂଗ୍ରାମ କେଶରୀ ନାୟକ, ନାରାୟଣ ଦ୍ୱିବେଦୀ, ମହମ୍ମଦ ସକିଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ସଭାପତି ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥ ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର