କୁଆଖାଇ ନଦୀପଠାରେ ଯୁବକଙ୍କୁ ହତ୍ୟା ଘଟଣା: ହତ୍ୟା ନୁହେଁ, ଆତ୍ମହତ୍ୟା

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ନହରକଣ୍ଟା ନଦୀପଠାରେ ଉନ୍ମୟ ପାଢ଼ୀଙ୍କ ଅର୍ଧଦଗ୍ଧ ଶବ ଜବତ ହେବା ଘଟଣାକୁ ପାଞ୍ଚ ଦିନ ପରେ ଦୁଇ ମାସ ହୋଇ ଯିବ। ଏହି ରହସ୍ୟମୟ ଘଟଣା ଉପରୁ ପୁଲିସ ପରଦା ଉଠାଇ ସାରିଛି। କେବଳ ଗଣମାଧ୍ୟମକୁ ବିଧିବଦ୍ଧ ଭାବେ ସୂଚନା ଦେବା ବାକି ରହିଛି। କିନ୍ତୁ ବିଶ୍ୱସ୍ତସୂତ୍ରରୁ ଯାହା ସୂଚନା ମିଳିଛି, ଉନ୍ମୟଙ୍କୁ କେହି ହତ୍ୟା କରିନାହାନ୍ତି ବରଂ ସେ ନିଜେ ଆତ୍ମହତ୍ୟା କରିଛନ୍ତି। ଚଣ୍ଡୀଗଡ଼ କେନ୍ଦ୍ରୀୟ ଫୋରେନସିକ୍‌ ରିପୋର୍ଟରୁ ଏଭଳି ତଥ୍ୟ କମିସନରେଟ୍‌ ପୁଲିସ ପାଇଛି। ତଥ୍ୟ ପାଇବା ପରେ ପୁଲିସ ଆଶ୍ୱସ୍ତ ହୋଇଛି। କଥାରେ ଅଛି, ଅପରାଧୀ ଯେତେ ଯାହା କଲେ ବି ଯେମତି ଘଟଣାସ୍ଥଳରେ ପ୍ରମାଣ ଛାଡ଼ି ଯାଇଥାଏ। ସେହିଭଳି ଉନ୍ମୟ ପାଢ଼ୀ ନିଜେ ଆତ୍ମହତ୍ୟା କରି ହତ୍ୟାର ରୂପ ଦେବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ତାହା ଶେଷରେ ଭୁଲ ପ୍ରମାଣିତ ହୋଇଛି।

ସନ୍ଦିଗ୍ଧ ଯୁବତୀ ଥିଲେ ଚାନ୍ଦବାଲିରେ
ଉନ୍ମୟ ପୁଲିସ ତଦନ୍ତକୁ ବାଉଳା କରିବାକୁ ଯାଇ ଘଟଣାସ୍ଥଳରେ ଏକ ସ୍ୟାଣ୍ଡାଲ ଛାଡ଼ି ଯିବା ସହିତ ପାଦରେ ଅଳତା ଲଗାଇଥିଲେ। ତେଣୁ ହତ୍ୟାକାଣ୍ଡରେ ଯୁବତୀଙ୍କ ସଂପୃକ୍ତି ନେଇ ପୁଲିସ ସନ୍ଦେହ କରିଥିଲା। କିନ୍ତୁ ପୁଲିସ ଜାଣିବାକୁ ପାଇଥିଲା ଯୁବତୀଙ୍କ ମୋବାଇଲ୍‌ ଫୋନ୍‌ ଟାଓ୍ଵାର ଚାନ୍ଦବାଲିରେ ଦେଖାଉଛି। ସ୍ଥାନୀୟ ଲୋକ ମଧ୍ୟ ଯୁବତୀଙ୍କୁ ଚାନ୍ଦବାଲିରେ ଦେଖିଥିବା ପୁଲିସକୁ ସୂଚନା ଦେଇଥିଲେ। ତାଙ୍କ ପୁରୁଷ ବନ୍ଧୁଙ୍କର ମୋବାଇଲ୍‌ ଲୋକେସନ୍‌ ଖଣ୍ଡଗିରି ଅଞ୍ଚଳରେ ଦେଖାଇଥିଲା। ଏହା ଛଡ଼ା ଉନ୍ମୟଙ୍କ ମୋବାଇଲ୍‌ ଫୋନ୍‌ ଟାଓ୍ଵାର ବିଜେବିନଗରରୁ ବାପୁଜୀନଗର ଓ ପରେ ନହରକଣ୍ଟା ପର୍ଯ୍ୟନ୍ତ ଆସିଥିଲା। ଉନ୍ମୟଙ୍କ ମୋବାଇଲ୍‌ ନମ୍ବର ପାଖାପାଖି ଅନ୍ୟ କୌଣସି ମୋବାଇଲ୍‌ ଫୋନ୍‌ ଦେଖାଇ ନ ଥିଲା। ତେଣୁ ସେ ଏକୁଟିଆ ନଦୀପଠାକୁ ଯାଇଥିବା ପୁଲିସ ସ୍ପଷ୍ଟ ହୋଇଛି।

ଏହା ଆହତ୍ମତ୍ୟା ବୋଲି ପୁଲିସ କେମିତି ଜାଣିଲା
ଉନ୍ମୟଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସ ପ୍ରଥମେ ସେହି ଦିଗରେ ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଘଟଣାସ୍ଥଳରୁ ପୁଲିସ ଉନ୍ମୟଙ୍କ ଏକ ଜ୍ୟାକେଟ୍‌ ଜବତ କରିଥିଲା। ଯେଉଁ ଜ୍ୟାକେଟ୍‌ ଭିତରେ ଥିଲା ଏକ ହାତ ଲେଖା ଚିଠି। ଚିଠିରେ ଲେଖା ଯାଇଥିଲା କି, ଭାଇରାଲ ଭିଡିଓରେ ଥିବା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ତାଙ୍କୁ ବ୍ଲାକମେଲ୍‌ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ତେଣୁ ତାଙ୍କର ଦୁର୍ଘଟଣା ହେଉ କିମ୍ବା ହତ୍ୟା ବା ଆତ୍ମହତ୍ୟା ଏଥିପାଇଁ ଉଭୟ ଦାୟୀ। ଏହା ପୁଲିସ ପାଇଁ ଗୋଟିଏ ସୁରାକ ଥିଲା।

ପେଟରେ ଛୁରି ଭୁସିବା ବି ଦେଲା ସୁରାକ
ସାଧରଣତଃ କେହି ସମ୍ମୁଖ ପଟୁ ଅନ୍ୟ ଜଣକୁ ଛୁରି ଭୁସିଲେ ଛୁରି ଧାର ତଳକୁ ଥାଏ। ଯାହାକୁ ପୁଲିସ ଭାଷାରେ ୯୦ ଡିଗ୍ରି ଆଙ୍ଗେଲ କୁହାଯାଇଥାଏ। କିନ୍ତୁ ଉନ୍ମୟଙ୍କ ପେଟରେ ଭୁସା ଯାଇଥିବା ଛୁରି ୪୫ ଡିଗ୍ରି ଆଙ୍ଗେଲରେ ଥିଲା। ଏଭଳି ଡିଗ୍ରି କେବଳ ନିଜେ ନିଜ ପେଟକୁ ଭୁସିଲେ ଘଟିଥାଏ। ଯାହାକି ଉନ୍ମୟ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ଏହା ଛଡ଼ା ଉନ୍ମୟଙ୍କ ପେଟ ଭିତରକୁ ଯେତିକି ଛୁରି ପଶିଥିଲା ସେଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବ ନାହିଁ ବୋଲି ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ମତ ପୋଷଣ କରିଥିଲେ। ତେଣୁ ପେଟକୁ ଛୁରି ଭୁସିବା ପରେ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇଛନ୍ତି। ଶରୀରରେ ନିଆଁ ଲାଗିଯିବା ପରେ ତାଙ୍କ ଶ୍ୱାସନଳୀରେ ଧୂଆଁ ପଶି ଯାଇଥିଲା, ଯେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତର ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ଏମ୍‌ସ ଡାକ୍ତରଙ୍କ ଦ୍ୱାରା ପୁଣି ଥରେ ତଦନ୍ତ
ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଶବ ବ୍ୟବଚ୍ଛେଦ କରିଥିଲେ। ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ଘଟିଥିବା ରିପୋର୍ଟରେ କୁହାଯାଇଥିଲା। ପୁଲିସ ମନରେ ସନ୍ଦେହ ହେଲା ପୁଣି ଥରେ ସେହି ରିପୋର୍ଟକୁ ଏମ୍‌ସ ଡାକ୍ତରଙ୍କୁ ପ୍ରଦାନ କରାଯାଇଥିଲା। ଏମ୍‌ସର ଡାକ୍ତର ସମାନ ରିପୋର୍ଟ ପ୍ରଦାନ କରିଥିଲେ। ଏସବୁ ସତ୍ତ୍ୱେ ପୁଲିସ ରାଜ୍ୟ ଫୋରେନସିକ୍‌ ରିପୋର୍ଟକୁ ଅପେକ୍ଷା କରିଥିଲା। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା କି, ଏହା ଏକ ହତ୍ୟାକାଣ୍ଡ ନୁହେଁ। ପୁଣି ଥରେ ଏହି ରିପୋର୍ଟକୁ କେନ୍ଦ୍ରୀୟ ଫୋରେସନ୍‌ ଲ୍ୟାବକୁ ପଠା ଯାଇଥିଲା। ସେଠାରୁ ମଧ୍ୟ ସେହି ସମାନ ରିପୋର୍ଟ ଆସିଛି।

ବ୍ୟାଙ୍କ ଆକାଉଣ୍ଟ୍‌ରେ ଟଙ୍କାଟିଏ ବି ନ ଥିଲା
ଚିଠିରେ ଲେଖାଥିଲା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହିତ ତାଙ୍କୁ ବ୍ଲାକମେଲ୍‌ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ପୁଲିସ ଉନ୍ମୟଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲା। ଜାଣିବାକୁ ପାଇଥିଲା ଉନ୍ମୟ ତାଙ୍କ ଆକାଉଣ୍ଟରୁ ବର୍ଷକ ତଳୁ ସବୁ ଟଙ୍କା ଆସ୍ତେ ଆସ୍ତେ ଉଠାଇ ସାରିଛନ୍ତି। ଆକାଉଣ୍ଟରେ ଲକ୍ଷାଧିକ ଟଙ୍କାର କାରବାର କେବେ ବି ହୋଇ ନାହିଁ।

ସମ୍ବନ୍ଧିତ ଖବର