ଜାଲିଆତି କରି ବ୍ୟାଙ୍କ୍‌ରୁ ୧.୦୮କୋଟି ଟଙ୍କା ଠକେଇ

ଭୁବନେଶ୍ୱର: ଜାଲିଆତି କରି ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ଏକ କୋଟି ୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଆଇଓବିର ଡିଜିଏମ୍‌ ବିମ୍ବାଧର ସ୍ୱାଇଁଙ୍କୁ ଗିରଫ କରିଛି। ସେ ବର୍ତ୍ତମାନ ବାଙ୍ଗାଲୋର ସ୍ଥିତ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କର ଡିଜିଏମ୍‌ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଘର ଟଙ୍କପାଣି ରୋଡ୍‌ରେ।

କ୍ରାଇମ୍‌ବ୍ରାଞ୍ଚରୁ ମିଳିଥିବା ସୂଚନା ମୁତାବକ, ୨୦୧୦ରେ ଶ୍ରୀ ସ୍ୱାଇଁ ରସୁଲଗଡ଼ ସ୍ଥିତ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜ୍‌ର ଥିବା ସମୟରେ ଆଶୁତୋଷ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଏକ କୋଟି ୮ଲକ୍ଷ ଟଙ୍କାର ଋଣ ଦେଇଥିଲେ। ତେବେ ଆଶୁତୋଷ ଜାଲ୍‌ କାଗଜପତ୍ର ଦେଇ ଶ୍ରୀ ସ୍ୱାଇଁଙ୍କଠାରୁ ଋଣ ନେଇଥିବା ପରେ ଜଣା ପଡ଼ିଥିଲା। ୨୦୧୪ରେ ମୁଖ୍ୟ ଆଞ୍ଚଳିକ ମହାପ୍ରବନ୍ଧକ ଏସ୍‌ ଉମାପାଠୀ ଘଟଣା ବିଷୟରେ ଜାଣିବା ପରେ କ୍ରାଇମବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ରେ ଅଭିଯୋଗ କରିଥିଲେ। ଏନେଇ ଇଓଡବ୍ଲ୍ୟୁ ପକ୍ଷରୁ କେସ ନଂ-୧୩/୨୦୧୪ରେ ଏକ ମାମଲା ରୁଜୁ କରାଯାଇଥିଲା। ଗତ ୨୧ ତାରିଖରେ ଇଓଡବ୍ଲ୍ୟୁର ଏକ ଟିମ୍‌ ବାଙ୍ଗାଲୋରରୁ ଶ୍ରୀ ସ୍ୱାଇଁଙ୍କୁ ଗିରଫ କରିବା ପରେ ବାଙ୍ଗାଲୋର ଏସିଏମ୍‌ଏମ୍‌ କୋର୍ଟରେ ହାଜର କରିଥିଲା। ସେଠାରୁ ତାଙ୍କୁ ଭୁବନେଶ୍ୱର ଆଣିବା ପରେ ଆଜି ତାଙ୍କୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଏହା ପୂର୍ବରୁ ୨୦୧୪ ମସିହାରେ ଅର୍ଥନୈତିକ ଅପରାଧ ଶାଖା ଜାଲିଆତି କରିଥିବା ଆଶୁତୋଷ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର