ନାୟକ-ଅଧିନାୟକ

ମସ୍କୋ: ଚଳିତ ଫିଫା ବିଶ୍ୱକପ୍‌ରେ ବେଶ୍‌ ଚର୍ଚିତ ହୋଇଛି ପାନାମା ଦଳ। ଏହି କେନ୍ଦ୍ରୀୟ ଆମେରିକୀୟ ଦେଶ ପ୍ରଥମ ଥର ଖେଳୁଛି ଫିଫା ବିଶ୍ୱକପ୍‌। ୧୦ ଥର ଯୋଗ୍ୟତା ଅର୍ଜନରେ ବିଫଳ ହେବା ପରେ ନିଜର ୪୦ ବର୍ଷର ଯାତ୍ରା ପରେ ଯୋଗ୍ୟତା ଅର୍ଜନ କରିଛି କାନ୍‌କାକାଫ୍‌ ଅଞ୍ଚଳରୁ। ପାନାମା ହେଉଛି ଏକ ଫୁଟ୍‌ବଲ୍‌ ପାଗଳ ଦେଶ। ବିଳମ୍ବରେ ହେଲେ ବି ବିଶ୍ୱକପ୍‌ ପଦାର୍ପଣ କରିଥିବାରୁ ଦେଶବାସୀ ବେଶ ଗର୍ବିତ। ସେହିଭଳି ଏହି ଦେଶର ସବୁଠୁ ବଡ଼ ତାରକା ହେଉଛନ୍ତି ରୋମାନ ଟୋରେସ୍‌। ଟୋରେସ୍‌ଙ୍କୁ ଜାତୀୟ ନାୟକର ମାନ୍ୟତା ମିଳିଥାଏ ଦେଶରେ। ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀଙ୍କ ଭଳି ତାଙ୍କର ରହିଛି ଲୋକପ୍ରିୟତା। ନିଜର ଟାଟୁ ଚିତ୍ରିତ ଚେହେରା ଏବଂ କେଶବିନ୍ୟାଶ ପାଇଁ ବି ଟୋରେସ୍‌ ବେଶ୍‌ ଆକର୍ଷିତ ହୋଇଥାନ୍ତି। ଟୋରେସ ତାଙ୍କ ଦେଶରେ ନାୟକ। ଏବେ ତାଙ୍କ ଉପରେ ଜାତୀୟ ଦଳର ଅଧିନାୟକ ଦାୟିତ୍ୱ। ପାନାମା ବିଶ୍ୱକପ୍‌ ପଦାର୍ପଣର ପ୍ରଥମ ଦୁଇ ମ୍ୟାଚ୍‌ ହାରି ଯାଇଥିଲେ ମଧ୍ୟ ଟୋରେସଙ୍କ ଲୋକପ୍ରିୟତା ଉପରେ ଏହାର କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ନାହିଁ। ଟ୍ୟୁନିସିଆ ବିପକ୍ଷ ତୃତୀୟ ତଥା ଶେଷ ମ୍ୟାଚ୍‌ରେ ସିଏଟଲ୍‌ ସାଉଣ୍ଡର୍‌ ପାଇଁ ରକ୍ଷଣଭାଗରେ ଖେଳୁଥିବା ଟୋରେସ୍‌ କିଛି କରି ଦେଖାଇବେ ବୋଲି ମଧ୍ୟ ଦେଶବାସୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହି ଐତିହାସିକ ବିଶ୍ୱକପ୍‌କୁ ସ୍ମରଣୀୟ ରଖିବାକୁ ମଧ୍ୟ ସେ ପ୍ରୟାସ କରିବେ ବୋଲି ପ୍ରତିଶ୍ର୍ରୁତି ଦେଇଛନ୍ତି। ଗତବର୍ଷର ଅକ୍ଟୋବର ୧୦ ତାରିଖକୁ ସେ କେବେ ଭୁଲି ନାହାନ୍ତି। ଯେତେବେଳେ ପାନାମା ଯୋଗ୍ୟତା ଅର୍ଜନ କରିଥିଲା। ସେବେଠାରୁ ଟୋରେସ୍‌..ଟୋରେସ୍‌..ଗୋଲ୍‌…ଗୋଲ୍‌ .. ଚିତ୍କାରରେ ବି ବିମୋହିତ ରହିଛି ପାନାମା। ଏସବୁ ମୁହୂର୍ତ ମୋ ପାଇଁ ଏବଂ ମୋ ପରିବାର ପାଇଁ ଅନେକ ମାନେ ରଖିଛି ବୋଲି ଟୋରେସ୍‌ କହିଛନ୍ତି। ମୁଁ ଚଳଚ୍ଚିତ୍ର ତାରକା ଭଳି ଅନୁଭବ କରେ, ସମସ୍ତେ ମୋ ସହିତ ଫଟୋ ଉଠାଇବାକୁ ଚାହାନ୍ତି ବୋଲି ଟୋରେସ୍‌ ପ୍ରକାଶ କରିଛନ୍ତି। ଦେଶ ପାଇଁ ୧୦୦ରୁ ଊର୍ଧ୍ୱ ମ୍ୟାଚ୍‌ ଖେଳି ସାରିଥିବା ଟୋରେସ୍‌ ଏବେ ବିଶ୍ୱକପ୍‌ ଅନୁଭୂତିକୁ କିଭଳି ଶେଷ କରୁଛନ୍ତି ଦେଖିବାର ଅଛି। ତେବେ ବିଶ୍ୱକପ୍‌ରେ ପ୍ରଥମ ଗୋଲ୍‌ ଦେବାର ସୌଭାଗ୍ୟ ଫିଲିପ ବାଲଏଙ୍କ ଭାଗ୍ୟରେ ଜୁଟିଛି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମୁକାବିଲାର ୭୮ ମିନିଟ୍‌ରେ ଗୋଲ୍‌ ଦେଇ ସେ ପାନାମାର ନୁଆ ନାୟକ ଭାବେ ଉଭା ହୋଇଛନ୍ତି।

ସମ୍ବନ୍ଧିତ ଖବର