ସୁନ୍ଦରଗଡ଼ର ଚାରି ସୁନାଝିଅ

ଏସିୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ରୌପ୍ୟ ପଦକ ଜିତିବା ପରେ ସମସ୍ତଙ୍କ ମୁହଁରେ ସୁନ୍ଦରଗଡ଼ର ଚାରି ସୁନା ଝିଅଙ୍କ କଥା। ଅନ୍ତର୍ଜାତୀୟ ମହିଳା ହକିରେ ଗତ କିଛି ବର୍ଷ ହେଲା ପ୍ରଭାବ ବିସ୍ତାର କରି ଆସିଥିବା ପାନପୋଷ କ୍ରୀଡ଼ା ଛାତ୍ରାବାସର ପୂର୍ବତନ ଛାତ୍ରୀ ସୁନୀତା ଲାକ୍ରା, ନମିତା ଟପ୍ପୋ, ଲିଲିିମା ମିଂଜ ଓ ସାଇ, ସୁନ୍ଦରଗଡ଼ର ଦୀପଗ୍ରେସ ଏକ୍କା ପୁଣି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବାରୁ ସେମାନଙ୍କୁ ସ୍ୱାଗତ ସମ୍ବର୍ଧନା ଦେବା ପାଇଁ ଜୋର୍‌ସୋର୍‌ ପ୍ରସ୍ତୁତି ଚାଲିଛି। ଭାରତୀୟ ମହିଳା ହକି ଦଳରେ ବିଗତ ଦୁଇ ଦଶନ୍ଧିରୁ ଓଡ଼ିଆ ମହିଳା ଖେଳାଳିମାନେ ଉଲ୍ଲେଖନୀୟ ଭାବେ ସ୍ଥାନ ପାଇ ଆସୁଛନ୍ତି। ପ୍ରକୃତରେ ପୁରୁଷ ଖେଳାଳିଙ୍କ ଅପେକ୍ଷା ଜାତୀୟ ଦଳରେ ରାଜ୍ୟରୁ ଅଧିକ ସଂଖ୍ୟାରେ ମହିଳା ଖେଳାଳି ସ୍ଥାନ ପାଇଛନ୍ତି। ଅଲମ୍ପିକ୍‌ ଓ ଏସିୟ କ୍ରୀଡ଼ା ଖେଳି ଚର୍ଚାକୁ ଆସିଥିବା ସୁନ୍ଦରଗଡ଼ର ଚାରି ଝିଅଙ୍କ ମଧ୍ୟରୁ ତିନି ଜଣ- ସୁନୀତା ଲାକ୍ରା, ନମିତା ଟପ୍ପୋ ଏବଂ ଲିଳିମା ମିଂଜ ପାନପୋଷ ହକି ଛାତ୍ରାବାସର ପୂର୍ବତନ ଅନ୍ତେବାସିନୀ ହୋଇଥିବା ବେଳେ ଦୀପଗ୍ରେସ ଏକ୍କା ସୁନ୍ଦରଗଡ଼ ‘ସାଇ’ ଛାତ୍ରାବାସରୁ ବାହାରିଛନ୍ତି। ସୁନୀତା ଲାକ୍ରା, ନମିତା ଟପ୍ପୋ ଏବଂ ଲିଳିମା ମିଂଜ ତିନି ଜଣ ଗୋଟିଏ ଛାତ୍ରାବାସର ହୋଇଥିବା ବେଳେ ଗୋଟିଏ ବ୍ଲକ୍‌ ରାଜଗାଙ୍ଗପୁରର ବାସିନ୍ଦା ମଧ୍ୟ। ଗତ ୨୦୧୬ ୟୁରୋପିଆନ ଚାମ୍ପିଅନସିପ୍‌ର ସେମି ଫାଇନାଲରେ ଇଂଲଣ୍ଡ ଦଳ ସ୍ପେନ୍‌କୁ ପରାସ୍ତ କରି ଭାରତ ପାଇଁ ଅଲମ୍ପିକ ଦ୍ୱାର ଖୋଲିଥିଲା। ଏଥିରେ ସୁନ୍ଦରଗଡ଼ର ଏହି ୪ ଖେଳାଳୀଙ୍କ ଭୂମିକା ଥିଲା ଉଲ୍ଲେଖନୀୟ।

ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାରୁ ଜ୍ୟୋତି ସୁନୀତା କୁଲୁ, ସୁଭଦ୍ରା ପ୍ରଧାନ, ଏଗ୍ନେସିୟା ଲୁଗୁନ, ବିନିତା ଟପ୍ପୋ, ବିନିତା ଖେସ୍‌, ଅନ୍ନାରିତା କେର୍କେଟା ଓ ଲିଲିମା କୁଜୁରଙ୍କ ଭଳି ଉଚ୍ଚକୋଟିର ଖେଳାଳି ବାହାରି ଥିବାବେଳେ ସେମାନେ ବିଶ୍ୱକପ୍‌, ଏସିଆନ ଗେମ୍ସ, ରାଷ୍ଟ୍ର ଗୋଷ୍ଠୀ କ୍ରୀଡ଼ା ଇତ୍ୟାଦିରେ ଅଂଶଗ୍ରହଣ କରି ଦେଶ ପାଇଁ ପଦକ ମଧ୍ୟ ଜିତିଛନ୍ତି। କିନ୍ତୁ ସେମାନଙ୍କ ପଛରେ ‘ଅଲମ୍ପିୟାନ୍‌’ ଛାପ ଲାଗି ପାରି ନ ଥିଲା। – ସତୀଶ ଶର୍ମା

ଲିଲିମା ମିଞ୍ଜ: ୧୯୯୪ ମସିହା ଏପ୍ରିଲ ୧୦ ତାରିଖରେ ରାଜଗାଙ୍ଗପୁରର ଲାଂଜିବେର୍ଣ୍ଣା ତାନାଟୋଲିର ଅଂଜୁଲୁସ୍‌ ମିଞ୍ଜ ଓ ସିଲଭିଆ ମିଞ୍ଜଙ୍କ ଔରସରୁ ଜନ୍ମ ନେଇଥିଲେ। ୨୦୦୫ ମସିହାରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଭର୍ତ୍ତି ହୋଇଥିବା ଲିଲିମା ୨୦୧୧ରେ ୧୮ ବର୍ଷରୁ କମ୍‌ ଏସିଆ କପ୍‌(ବ୍ୟାଙ୍କକ୍‌)ରେ ପ୍ରଥମ ମ୍ୟାଚ ଖେଳିଥିଲେ। ୨୦୧୨ରେ ବରିଷ୍ଠ ଦଳରେ ସ୍ଥାନ ପାଇ ନ୍ୟୁଜିଲାଣ୍ଡ୍‌ରେ ୬ ମ୍ୟାଚ ବିଶିଷ୍ଟ ଟେଷ୍ଟ୍‍ ସିରିଜ୍‌ରେ ଖେଳିଥିଲେ। ଏହାପରେ କମନ୍‌େଓ୍ଵଲ୍‌ଥ ଗେମ୍‌ସ(ଗ୍ଲାସ୍‌ଗୋ), ଏସିଆନ ଗେମ୍‌ସ(କୋରିଆ), ହକି ଓ୍ଵାର୍ଲ୍‌ଡ ଲିଗ୍‌-ତୃତୀୟ ପର୍ଯ୍ୟାୟରେ ଖେଳିଥିଲେ। ଏହାସହ କନିଷ୍ଠ ବର୍ଗରେ ଷଷ୍ଠ ଏସିଆ କପ୍‌, ୨୦୧୩ରେ ସପ୍ତମ କନିଷ୍ଠ ବିଶ୍ୱକପ୍‌(ଜର୍ମାନୀ)ରେ ଖେଳିଥିଲେ। ଏହି ବିଶ୍ୱକପ୍‌ରେ ଭାରତୀୟ ଦଳ କାଂସ୍ୟ ପଦକ ଜିଣିଥିଲା। ୨୦୧୬ରେ ରିଓ ଡି ଜେନିରୋ ଅଲିମ୍ପିକ୍‌ରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ।

ଦୀପଗ୍ରେସ୍‌ ଏକ୍କା: ବାଲିଶଙ୍କରା ବ୍ଲକ ଲୁଲ୍‌କିଡିହି ଗାଁର ମୂଳ ବାସିନ୍ଦା ହେଲେ ଦୀପଗ୍ରେସ୍‌ ଏକ୍କା। ଚାର୍ଲ୍‌ସ ଏକ୍କା ଓ ଜୟମଣି ଏକ୍କାଙ୍କ ୩ ପୁଅ ଓ ୨ ଝିଅଙ୍କ ମଧ୍ୟରୁ ଅନ୍ୟତମ ଦୀପଗ୍ରେସ୍‌ଙ୍କ ଜନ୍ମ ୧୯୯୪ ମସିହା ଜୁନ ୩ ତାରିଖ। ତାଙ୍କ ଗାଁରେ ଜନ୍ମ ହୋଇଥିବା ଏବଂ ହକିରେ ସୁନାମ ଅର୍ଜନ କରିଥିବା ଇଗ୍ନେଶ ତିର୍କୀ, ପ୍ରବୋଧ ତିର୍କୀ, ବିନିତା ଟପ୍ପୋଙ୍କ ଭଳି ଅନ୍ତରାଷ୍ଟ୍ରୀୟ ହକି ଖେଳାଳିଙ୍କଠାରୁ ଅନୁପ୍ରାଣିତ ହୋଇ ଦୀପଗ୍ରେସ୍‌ ସୁନ୍ଦରଗଡ଼ ସାଇ ହଷ୍ଟେଲ୍‌ରେ ଭର୍ତ୍ତି ହୋଇଥିଲେ। ୨୦୧୧ ମସିହାରେ ୧୮ ବର୍ଷରୁ କମ୍‌ ଏସିଆ କପ୍‌ (ବ୍ୟାଙ୍କକ୍‌)ରେ ଖେଳି ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଉକ୍ତ ବର୍ଷ ଡିସେମ୍ବର ମାସରେ ବରିଷ୍ଠ ଦଳରେ ସ୍ଥାନ ପାଇ ଆର୍ଜେଣ୍ଟିନାରେ ଟୁର୍‌ ମ୍ୟାଚ୍‌ରେ ଖେଳିଥିଲେ। ଏହାପରେ ୨୦୧୨ ଅଲିମ୍ପିକ୍‌, କନିଷ୍ଠ ଏସିଆ କପ୍‌(୨୦୧୨), ହକି ଚାମ୍ପିଅନସିପ୍‌, ଆର୍ୟାଲାଣ୍ଡ୍‌(୨୦୧୨), ଓ୍ଵାର୍ଲ୍‌ଡ ହକି ଲିଗ୍‌(୨୦୧୩), ସପ୍ତମ କନିଷ୍ଠ ହକି ବିଶ୍ୱକପ୍‌, କମନେଓ୍ଵଲ୍‌ଥ ଗେମ୍‌ସ, ଏସିଆନ ଗେମ୍‌ସ, ହକି ଓ୍ଵାର୍ଲ୍‌ଡ ଲିଗ୍‌(୨୦୧୫)ରେ ଦଳର ପ୍ରତିନିଧିତ୍ୱ କରିଥିଲେ। ୨୦୧୫ ନଭେମ୍ବରରେ ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ୨୧ ବର୍ଷରୁ କମ୍‌ ଭାରତୀୟ ମହିଳା ହକି ଦଳରେ ପ୍ରଥମ ଥର ପାଇଁ ଅଧିନାୟିକା ପଦ ମଧ୍ୟ ସମ୍ଭାଳିଥିଲେ। ୨୦୧୬ ମସିହାରେ ରିଓ ଡି ଜେନିରୋରେ ଅନୁଷ୍ଠିତ ହୋଇଥିବା ରିଓ ଅଲିମ୍ପିକ୍‌ରେ ସେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ।

ସୁନୀତା ଲାକ୍ରା: ରାଜଗାଙ୍ଗପୁର ବ୍ଲକ କେଶରମାଲ, ଫାର୍ସାଢ଼ିପାରେ ୧୯୯୧ ମସିହା ଜୁନ ୧୧ ତାରିଖରେ ଆଲବିସ୍‌ ଲାକ୍ରା ଓ ଶାନ୍ତିପ୍ରଭା ଲାକ୍ରାଙ୍କ ଚତୁର୍ଥ ସନ୍ତାନ ଭାବେ ଜନ୍ମ ନେଇଥିଲେ ସୁନୀତା। ୨୦୦୨ ମସିହାରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଭର୍ତ୍ତି ହୋଇଥିଲେ। ୨୦୦୩ ମସିହାରେ ଜାତୀୟ ପ୍ରତିଯୋଗିତାକୁ ଓହ୍ଲାଇଥିବା ବେଳେ ଉକ୍ତ ବର୍ଷ ଉପ-କନିଷ୍ଠ ବର୍ଗରେ ଓଡ଼ିଶା ଦଳ ଚାମ୍ପିଅନ ହୋଇଥିଲା। ୨୦୦୮ ମସିହାରେ ୨୧ ବର୍ଷରୁ କମ୍‌ ଏସିଆ କପ୍‌ରେ ଖେଳିଥିଲେ ସୁନୀତା। ବରିଷ୍ଠ ଦଳରେ ୨୦୧୦ ମସିହାରେ ସ୍ଥାନ ପକ୍କା କରିବା ପରେ ୨୦୧୩ରେ ଏସିଆ କପ୍‌ (ମାଲେସିଆ),୨୦୧୪ରେ ୟୁରୋପ୍‌ ଟୁର୍‌, ଏସିଆନ ଗେମ୍‌ସ, ଇଟାଲୀ, ସ୍ପେନ୍‌ ଟୁର, ୨୦୧୫ରେ ବେଲଜିୟମରେ ଅନୁଷ୍ଠିତ ହକି ଓ୍ଵାଲ୍‌ର୍ଡ୍‌ ଲିଗ୍‌ ଏବଂ ୨୦୧୬ ମସିହାରେ ରିଓ ଡି ଜେନିରୋ ଅଲିମ୍ପିକ୍‌ରେ ଭାରତର ପ୍ରତିନିଧିତ୍ୱ କରିବାରେ ସୁଯୋଗ ପାଇଥିଲେ।

ନମିତା ଟପ୍ପୋ: ରାଜଗାଙ୍ଗପୁର ବ୍ଲକର ଜଉର୍‌ମଲ ଗାଁର ଥୋବା ଟପ୍ପୋ ଓ ଚକ୍ରବର୍ତ୍ତୀ ଟପ୍ପୋଙ୍କ ୯ ପୁଅ- ଝିଅଙ୍କ ମଧ୍ୟରେ ନମିତା ଥିଲେ ସପ୍ତମ। ୧୯୯୫ ମସିହା ଜୁନ ୪ରେ ତାଙ୍କ ଜନ୍ମ। ରେଳବାଇରେ କାର୍ଯ୍ୟରତ ନମିତା ୨୦୦୬ ମସିହାରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ସାମିଲ ହୋଇଥିଲେ। ୨୦୦୮ରେ ଜାତୀୟ ଉପ-କନିଷ୍ଠ ଦଳରେ ସେ ସ୍ଥାନ ପାଇଥିଲେ। ୨୦୦୯ରେ ନେହରୁ କପ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ୨୦୧୧ରେ ଅଠର ବର୍ଷରୁ କମ୍‌ ଏସିଆ କପ୍‌ (ବ୍ୟାଙ୍କକ୍‌)ରେ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ବର୍ଷକ ପରେ ୨୦୧୨ରେ ବରିଷ୍ଠ ଦଳରେ ସ୍ଥାନ ପାଇ ଡର୍ବାନରେ ଅନୁଷ୍ଠିତ ଚାମ୍ପିଅନ୍‌ସ ଚାଲେଂଜ ରାଉଣ୍ଡ-୧ରେ ଖେଳିଥିଲେ। ଉନ୍ନତମାନର ପ୍ରଦର୍ଶନ ଯୋଗୁଁ ଉକ୍ତ ବର୍ଷ ଭାରତୀୟ ଦଳ ସହ ନ୍ୟୁଜିଲାଣ୍ଡରେ ଟୁର୍‌ ମ୍ୟାଚ ଖେଳିଥିଲେ। ନମିତା ୨୦୧୩ କନିଷ୍ଠ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ କାଂସ୍ୟ ପଦକ ପାଇଥିବା ଭାରତୀୟ ଦଳର ସଦସ୍ୟା ଥିବା ବେଳେ ୨୦୧୪ ଗ୍ଲାସ୍‌ଗୋ କମନ୍‌େଓ୍ଵଲ୍‌ଥ ଗେମ୍‌ସ, ଏସିଆନ ଗେମ୍‌ସ(ଇଂଚିଅନ), ୨୦୧୫ରେ ହକି ଓ୍ଵାର୍ଲ୍‌ଡ ଲିଗ୍‌ରେ ମଧ୍ୟ ନିଜର ପରାକାଷ୍ଠା ଦେଖାଇଥିଲେ। ସେ ମଧ୍ୟ ଅନ୍ୟ ୩ ଖେଳାଳୀଙ୍କ ଭଳି ୨୦୧୬ ମସିହାରେ ରିଓ ଅଲିମ୍ପିକ୍‌ରେ ଭାରତର ପ୍ରତିନିଧିତ୍ୱ କରିଥିଲେ।

ସମ୍ବନ୍ଧିତ ଖବର