କୁମାରୀଙ୍କ ପାଇଁ ସମର୍ପିତ ଦିନଟିଏ…

ଚାନ୍ଦ ପୂଜିଲେ, ଚାନ୍ଦ ବସିଲେ

ଭୁବନେଶ୍ବର: ପୁନେଇଁର ଜହ୍ନ ଓ ତା’ର ଶୀତଳ କିରଣ ତଳେ କୁମାରୀଙ୍କ ହୁଳହୁଳି। ପୁଣି ସେମାନଙ୍କ କଣ୍ଠରେ କୁଆଁର ପୁନେଇଁ ଜହ୍ନ ଗୋ… ଫୁଲ ବଉଳବେଣୀ…ଗୀତ ଆଜିର ସ˚ଧୢାକୁ ବେଶ୍‌ ନିଆରା କରି ଦେଇଥିଲା। ଅବସର ଥିଲା କୁମାରୀଙ୍କ ଉତ୍ସବ କୁଆଁର ପୁନେଇଁର। ଏନେଇ କୁମାରୀ ମନରେ ଭରିଯାଇଥିଲା ଉତ୍ସାହ। ଏପଟେ ମଣ୍ତପରେ ବିରାଜମାନ କରିଛନ୍ତି ସମୃଦ୍ଧିର ଦେବୀ ମା’ ଗଜଲକ୍ଷ୍ମୀ। ଅନ୍ୟ ପକ୍ଷେ କୁମାରୀମାନଙ୍କ ସୂର୍ଯ୍ୟ, ଚନ୍ଦ୍ର ପୂଜା ଆଜି ସହରକୁ ପୂରା ଉତ୍ସବମୁଖର କରିଦେଇଥିଲା।

ଆଜି ବେଶ୍‌ ଜାକଜମକରେ ପାଳିତ ହୋଇଯାଇଛି କୁଆଁର ପୁନେଇଁ। ସକାଳ ୫ଟାରୁ ଆରମ୍ଭ ହୋଇଯାଇଥିଲା କୁମାରୀମାନଙ୍କ ସଜବାଜ। ଗାଧୋଇ ସ‌ାରି ନୂଆ ଲୁଗା ପିନ୍ଧିବା ସହ ନୂଆ କୁଲାରେ ଖଇ, ଗୁଆ, କଦଳୀ, ନଡ଼ିଆ, କାକୁଡ଼ି, ଜହ୍ନି ଓ ଆଖୁ ଆଦି ଆଞ୍ଜୁଳି ସାମଗ୍ରୀ ଯୋଗାଡ଼ କରିଥିଲେ। ଚଉଁରା ମୂଳ ଲିପାପୋଛା କରି ମୁରୁଜ ପକାଇ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା। ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟଦେବତାଙ୍କୁ ଆଞ୍ଜୁଳି ଟେକିଥିଲେ। ଅପେକ୍ଷା କରି ରହିଥିଲେ ପୁନେଇଁ ଚାନ୍ଦକୁ। ଦିନ ଯେତିକି ଗଡ଼ୁଥିଲା ସେମାନଙ୍କ ଉତ୍ସାହ ସେତିକି ବଢ଼ୁଥିଲା। ଏହି ଦିନର ସବୁଠାରୁ ଆକର୍ଷଣୀୟ ଥିଲା ସନ୍ଧ୍ୟାର ଚାନ୍ଦ ପୂଜା। କୁମାରୀମାନେ ଚଉଁରା ମୂଳେ ଏକତ୍ର ହୋଇ ଅପେକ୍ଷା କରି ରହିଥିଲେ ଜହ୍ନ ଉଇଁବାକୁ। ଜହ୍ନ ଉଇଁଲେ ଆରମ୍ଭ ହୋଇଯାଇଥିଲା ଏହି ପୂଜା। କୁମାରୀଙ୍କ ହୁଳହୁଳି ଶବ୍ଦରେ କମ୍ପିଉଠିଥିଲା ପରିବେଶ। ଖଇ, ନଡ଼ିଆ, କଦଳୀ, ଛେନା ଓ ଗୁଡ଼ ଆଦିରେ ପ୍ରସ୍ତୁତ ଚାନ୍ଦ ଚକଟା ପୁନେଇଁ ଜହ୍ନକୁ ଭୋଗ ଲଗେଇଥିଲେ। ଅର୍ପଣ ହୋଇଥିବା ଚାନ୍ଦ ଚକଟା ଖାଇବା ବେଳେ କାଳେ କେହି ଦେଖି ଦେଲେ ବୁଢ଼ା ବର ମିଳିବ ବୋଲି ବିଶ୍ବାସ ଥିବାରୁ ଏହାକୁ ସମସ୍ତଙ୍କଠାରୁ ଲୁଚେଇ ଖାଇଥିଲେ କୁମାରୀମାନେ। ପୁଣି ପରସ୍ପରକୁ ଖୁଆଇ ଚାନ୍ଦ ମଧ୍ୟ ବସିଥିଲେ। ଏହା ପରେ ଆରମ୍ଭ ହୋଇଯାଇଥିଲା କୁଆଁର ପୁନେଇଁ ଜହ୍ନ ଗୋ… ଠିଆ ପୁଚି ନାରଙ୍ଗ….. ଆଦି ଗୀତ। ଏହା ସାଙ୍ଗକୁ ବେଶ୍‌ ଜମିଥିଲା ପୁଚି ଖେଳ ଓ ବୋହୂଚୋରି ଖେଳ। ସହରର କିଛି ଆବାସିକ କଲୋନିର ଝିଅମାନେ ମିଶି ପରମ୍ପରା ମୁତାବକ ମିଳିତ ହୋଇ ଏହି ପୂଜା କରିଥିବା ଦେଖାଯାଇଥିଲା। ପୁଣି ସହର ଉପକଣ୍ଠରେ କୁମାରୀ ବିବାହ ଭଳି ଅନନ୍ୟ ପରମ୍ପରା ମଧ୍ୟ ବେଶ୍‌ ଜମିଥିଲା। ସମ୍ପୂର୍ଣ୍ଣ ବିଧି ମୁତାବକ ମିଛି ମିଛିକା ବରକନିଆଁଙ୍କୁ ନେଇ ମିଛିମିଛିକା ବାହାଘର ହୋଇଥିଲା। ବିଳମ୍ବିତ ରାତି ଯାଏ ସାଙ୍ଗସାଥୀ ମେଳରେ ଦିନଟିକୁ କାଟି ଝିଅମାନେ ନିଜ ନିଜ ଘରକୁ ଫେରିଥିଲେ।

ରଙ୍ଗମାଟିଆରେ କୁମାର ପୂର୍ଣ୍ଣମୀ ଓ ଚାନ୍ଦପୂଜା
ଚନ୍ଦ୍ରଶେଖରପୁର : ମଞ୍ଚେଶ୍ବର ରଙ୍ଗମାଟିଆ ଗ୍ରାମରେ କୁମାର ପୂର୍ଣ୍ଣମୀ ଉତ୍ସବ ଓ ଚାନ୍ଦ ପୂଜା ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଯୁବତୀମାନେ ସକାଳେ ନିକଟସ୍ଥ ବାଞ୍ଛାନିଧିଶ୍ବରଙ୍କ ପୀଠରେ ଥିବା ବୃନ୍ଦାବତୀଙ୍କ ପୂଜା କରିଥିଲେ। ସନ୍ଧ୍ୟାରେ ଚାନ୍ଦ ବ୍ରତ ପୂଜା କରିଥିଲେ। ପୂଜା ଶେଷରେ ଯୁବତୀମାନେ ପରସ୍ପର ମଧ୍ୟରେ ଭୋଗ ବଣ୍ଟିବା ସହିତ ଚାନ୍ଦ ଚକଟା ଖୁଆଇ ଚାନ୍ଦ ବସିଥିଲେ। ଏଥିରେ ସ୍ଥାନୀୟ ଯୁବକମାନେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର