ହକି ବିଶ୍ବକପ ଉଦଘାଟନୀ ଉତ୍ସବ : ୨୪ ଘଣ୍ଟିଆ ସୁରକ୍ଷା ବଳୟରେ ଖେଳାଳି

୭୫ ପ୍ଲାଟୁନ ଫୋର୍ସ ହେବେ ମୁତୟନ, ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ସ୍ବତନ୍ତ୍ର ଦାୟିତ୍ବ, ସପିଂ ଓ ପର୍ଯ୍ୟଟନ ସ୍ଥଳ ବୁଲିବାବେଳେ ବି ସୁରକ୍ଷା ଦେବ ପୁଲିସ

ଭୁବନେଶ୍ବର, : ଆସନ୍ତାକାଲି ବହୁ ପ୍ରତୀକ୍ଷିତ ହକି ବିଶ୍ବକପର ଉଦଘାଟନୀ ସମାରୋହ ଉତ୍ସବ। ଏଥିରେ ଦେଶ ବିଦେଶର ଅନେକ ସେଲିବ୍ରିଟି ଯୋଗ ଦେବେ। ପରଦିନ ଆରମ୍ଭ ହୋଇଯିବ ହକି ମହାକୁମ୍ଭ। ଏଥିପାଇଁ ଆଜିଠାରୁ କଳିଙ୍ଗ ଷ୍ଟାଡିୟମ୍‌ ପୁଲିସ ଛାଉଣିରେ ପରିଣତ ହୋଇ ଗଲାଣି। କେମିତି ଶାନ୍ତିଶୃଙ୍ଖଳାର ସହିତ ଖେଳ ଶେଷ ହେବ ସେ ନେଇ ପୁଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଆଜି ଏ ସମ୍ପର୍କରେ ସବିଶେଷ ତଥ୍ୟ ଦେଇଛନ୍ତି ପୁଲିସ ଡିଜି ରା‌ଜେନ୍ଦ୍ର ପ୍ରସାଦ ଶର୍ମା। କମିସନରେଟ ପୁଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଡିଜି ଶ୍ରୀ ଶର୍ମା କହିଛନ୍ତି ଏକ ସମୟରେ କଟକରେ ବାଲିଯାତ୍ରା ଓ ବିଶ୍ବକପ ହକିର ଆୟୋଜନ ହେଉଥିବାରୁ ଏହା ପୁଲିସ ପାଇଁ ଏକ ଆହ୍ବାନ ହେବ। ଭୁବନେଶ୍ବର ଓ ଓଡ଼ିଶା ପାଇଁ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜନ କରାଯାଉଛି। ଏଥିପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସମୁଦାୟ ୭୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ୫୦ ଜଣ ଡିଏସ୍‌ପି ରୢାଙ୍କର ଅଧିକାରୀ ଓ ଇନ୍ସପେକ୍ଟର, ଏସଆଇ ଓ ଏସଆଇ ପାହ୍ୟାର ୩ଶହ ଅଫିସର, ଆତଙ୍କବାଦ ନିରୋଧୀ ଟିମ, ଡଗ ସ୍କ୍ବାଡ, ମେଟାଲ ଡିଟେକ୍ଟର୍‌ ଦଳ, ସାଦା ପୋଷାକଧାରୀ ପୁଲିସ, ଏସ୍‌ଓଜି, ଓଏସ୍‌ଏଏଫ୍‌ ଭଳି ସ୍ବତନ୍ତ୍ର ତାଲିମଧାରୀ ପୁଲିସ ଫୋର୍ସ ମଧ୍ୟ ସାମିଲ ହେବେ। ପୁଲିସ କମିସନର୍ ସତ୍ୟଜିତ ମିଶ୍ରଙ୍କ ଉପରେ ସୁରକ୍ଷାର ସମସ୍ତ ଦାୟିତ୍ବ ନ୍ୟସ୍ତ ରହିବ। ତାଙ୍କୁ ସହଯୋଗ କରିବେ ସମ୍ବଲପୁର ଡିଆଇଜି ତଥା ପୂର୍ବତନ ଡିସିପି ସତ୍ୟବ୍ରତ ଭୋଇ ଓ ଡିସିପି ଅନୁପ ସାହୁ। ସେହିପରି କମିସନରେଟ୍‌ ପୁଲିସରେ କାମ କରିଥିବା ଅଫିସରମାନଙ୍କୁ ମଧ୍ୟ ହକି ବିଶ୍ବକପ ପାଇଁ ଭୁବନେଶ୍ବର ଅଣାଯାଇଛି ବୋଲି ଡିଜି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

କିଛି ‌ଖେଳାଳିଙ୍କୁ ମିଳିବ ବ୍ୟକ୍ତିଗତ ସୁରକ୍ଷାକର୍ମୀ

ବିଶ୍ବକପରେ ଭାଗ ନେଉଥିବା ୧୬ଟି ଦେଶର ଖେଳାଳି, ପରିଚାଳନା ଅଧିକାରୀମାନଙ୍କୁ ପୁଲିସ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯିବ। ବିମାନବନ୍ଦରଠାରୁ , ହୋଟେଲ ଓ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ସବୁଠି ସେମାନଙ୍କୁ ମିଳିବ ସୁରକ୍ଷା। କିଛି ଖେଳାଳିଙ୍କୁ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମଧ୍ୟ ଯୋଗାଇ ଦିଆଯାଇଛି। ଏହି ବ୍ୟକ୍ତିଗତ ସୁରକ୍ଷାକର୍ମୀମାନେ ଖେଳାଳିମାନଙ୍କୁ କିଭଳି କଥାବାର୍ତା କରିବେ, ବ୍ୟବହାର କରିବେ ସେ ସମ୍ପର୍କରେ ମଧ୍ୟ ତାଲିମ ପ୍ରଦାନ କରାଯାଇଛି।

ପର୍ଯ୍ୟଟନ ସ୍ଥଳ ବୁଲିବା ଓ ସପିଂ କରିବାବେଳେ ମଧ୍ୟ ମିଳିବ ସୁରକ୍ଷା
ବିଦେଶୀ ଖେଳାଳିମାନେ ଖେଳ ନ ଥିବା ସମୟରେ ଯଦି ଚାହିଁବେ ରାଜ୍ୟର କୌଣସି ପର୍ଯ୍ୟଟନ ସ୍ଥଳୀ ବୁଲିବା ସହିତ ସପିଂ କରିବାକୁ ଯିବେ। ଏହି ସମୟରେ ସେମାନଙ୍କୁ ପୁଲିସ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ। ତେବେ ଏଥିପାଇଁ ଟିମ୍ ପକ୍ଷରୁ ପୁଲିସକୁ ଆଗୁଆ ସୂଚନା ଦେବାକୁ ପଡ଼ିବ। ଏ ସମ୍ପର୍କରେ ବିଭିନ୍ନ ଦେଶର ପରିଚାଳନା ଅଧିକାରୀମା‌ନେ ଗତକାଲି ପୁଲିସ କମିସନର ଶ୍ରୀ ମହାନ୍ତିଙ୍କ ସହିତ ଆଲୋଚନା ମଧ୍ୟ କରି ସାରିଛନ୍ତି।

ସମସ୍ତଙ୍କୁ ଯାଞ୍ଚ କରାଯିବ
ଉଦଘାଟନୀ ଉତ୍ସବ ହେଉ ଅବା ଖେଳ ସମୟ। ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରୁଥିବା ସମସ୍ତ ଦର୍ଶକ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ଦେଶର ଦଳୀୟ କର୍ମକର୍ତା, ହକି ଲିଗ୍ କର୍ମଚାରୀ, କଳିଙ୍ଗ ଷ୍ଟାଡିୟମ୍‌ କର୍ମଚାରୀ ସମସ୍ତଙ୍କୁ ଯାଞ୍ଚ କରାଯିବ। ଏଥିପାଇଁ ପ୍ରତ୍ୟେକ ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ରହିବ। ଡଗ ସ୍କ୍ବାଡ୍‌ ମଧ୍ୟ ମୁତୟନ ହେବେ। କାହା ଉପରେ ସନ୍ଦେହ ହେଲେ ସେମାନଙ୍କ ଅଟକ ରଖାଯାଇ ଜେରା କରାଯିବ।

ଅଭିଜ୍ଞତା ଥିବା ଅଫିସରଙ୍କୁ ଡାକରା
ହକି ବିଶ୍ବକପ ପାଇଁ ପୂର୍ବରୁ ଭୁବନେଶ୍ବରରେ କାମ କରିଥିବା ଅଫିସରମାନଙ୍କୁ ବିଭିନ୍ନ ଜିଲ୍ଲାରୁ ଅଫିସରମାନଙ୍କୁ ଭୁବନେଶ୍ବର ଅଣାଯାଇଛି। ଏପରିକି ଭୁବନେଶ୍ବରରେ ହକି ଇଣ୍ଡିଆ ଲିଗ୍ ଓ ଚାମ୍ପିଅନ୍‌ସ ଟ୍ରଫି, ହକି ୱାର୍ଲଡ ଲିଗ୍ ଫାଇନାଲବେଳେ ଯେଉଁମାନେ ସୁରକ୍ଷା ଦାୟିତ୍ବରେ ଥିଲେ ସେମାନଙ୍କୁ ସ୍ବତନ୍ତ୍ର ଭାବେ ଅଣାଯାଇଛି। ଏହି ସମୟରେ ଭୁବନେଶ୍ବରରେ ଡିସିପି ଭାବେ ସତ୍ୟବ୍ରତ ଭୋଇ କାମ କରୁଥିଲେ। ତାଙ୍କର ଏ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ଥିବାରୁ ତାଙ୍କ ସୁରକ୍ଷା ଦାୟିତ୍ବ ନ୍ୟସ୍ତ କରାଯାଇଛି। ତାଙ୍କ ଅଧୀନରେ ଡିସିପି ଅନୁପ ସାହୁ ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ। ଆଜି ସେ କଳିଙ୍ଗ ଷ୍ଟାଡିୟମ୍‌ ଯାଇ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର