ରାଜଧାନୀରେ ଟ୍ରାଫିକ୍ ଜାମ: କାମରେ ଲାଗୁନି ବାଇକ୍ ଓ ଜିପ୍ ପାଟ୍ରୋଲିଂ: ଫାଇନ୍‌ ଆଦାୟରେ ବ୍ୟସ୍ତ ଟ୍ରାଫିକ ପୁଲିସ

ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ ସମସ୍ୟା ଏବେ ଉଗ୍ରରୂପ ଧାରଣ କଲାଣି। ଲୋକେ ଟ୍ରାଫିକ ଜାମ୍‌ ଭିତରେ ଘଣ୍ଟା ଘଣ୍ଟା ଫସି ଯାଉଛନ୍ତି। ଗୋଟିଏ ଛକରୁ ଆଉ ଏକ ଛକ ଯିବାକୁ ଢେର୍‌ ସମୟ ଲାଗୁଛି। ଅଫିସ ସମୟ ଓ ସନ୍ଧ୍ୟାବେଳେ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ୁଛି। କଟକ ରୋଡ୍‌, ଜନପଥ, ଏଜି ଛକ, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଛକ, ଇନ୍ଦ୍ରଧନୁ ମାର୍କେଟ, ସିଆର୍‌ପି ନିକଟ ବିଗ୍‌ ବଜାର ଛକ, ଇସ୍କନ ମନ୍ଦିର ଛକ, କଳ୍ପନା ଛକ, ଶିଶୁଭବନ ଛକ ଭଳି ଏକାଧିକ ଛକରେ ଏଭଳି ଅବସ୍ଥା ସୃଷ୍ଟି ହେଉଛି। କାର ଚାଳକମାନେ ସହର ଭିତରେ କାର ଚଳାଇବା ବେ‌େଳ ଅନେକ ସମସ୍ୟାରେ ପଡ଼ୁଛନ୍ତି। ଟ୍ରାଫିକ ପରିଚାଳନାରେ ସାଂଘାତିକ ତ୍ରୁଟି କାରଣରୁ ଗତ କିଛି ମାସ ହେବ ରାଜଧାନୀରେ ଏଭଳି କୃତ୍ରିମ ଟ୍ରାଫିକ ଜାମ ପରିସ୍ଥିତି ସୃ‌ଷ୍ଟି ହୋଇଛି। ସେପଟେ ରାଜଧାନୀରେ ଟ୍ରାଫିକ ସୁପରିଚାଳନାର ଦାୟିତ୍ବରେ ଥିବା ଟ୍ରାଫିକ ପୁଲିସ କେବଳ ଜରିମାନା ଆଦାୟରେ ବ୍ୟସ୍ତ। ରାଜଧାନୀର କେତେକ ନିର୍ଦିଷ୍ଟ ଛକରେ ସକାଳ ଓ ସନ୍ଧ୍ୟା ସମୟରେ ସଦଳବଳେ ଠିଆ ହୋଇ ବାଇକ ଓ କାର ଚାଳକଙ୍କଠାରୁ ରସିଦ କାଟିବାରେ ଲାଗି ପଡ଼ୁଛନ୍ତି। ରାଜଧାନୀର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମର ଉଲ୍ଲଂଘନ କରୁଥିବା ବାଇକ ଓ କାର ଚାଳକମାନଙ୍କ ଉପରେ ଘଟଣାସ୍ଥଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କିଛି ବର୍ଷ ତଳେ ଜିପ୍ ଓ ବାଇକ୍ ପାଟ୍ରୋଲିଂ ବ୍ୟବସ୍ଥା ଲାଗୁ କରାଯାଇଥିଲା। ଏମାନେ ସହରରେ ଦିନତମାମ ପଇଁତରା ମାରୁଥିଲେ। ଦ୍ରୁତ ବେଗ ଓ ବେପରୁଆ ଗାଡ଼ି ଚଳାଉଥିବା ଚାଳକଙ୍କୁ ଅଟକାଇ ଜରିମାନା ଆଦାୟ କରାଯାଉଥିଲା। ଜିପ୍ ପାଟ୍ରୋଲିଂରେ ମଧ୍ୟ ସମାନ ଢଙ୍ଗରେ ଜାତୀୟ ରାଜପଥରେ ଦ୍ରୁତ ବେଗରେ ଚଳାଉଥିବା ଭାରୀଯାନ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିଲା। ଏତଦ୍‌ବ୍ୟତୀତ ବିଭିନ୍ନ ଛକରେ ଜେବ୍ରା କ୍ରସିଂକୁ ଟପି ଯାଉଥିବା ଚାଳକ, ଗାଡ଼ି ଚଳାଉଥିବା ବେଳେ ମୋବାଇଲ୍ ଫୋନରେ ଗପିବା, ସିଗ୍‌ନାଲ ମାନୁ ନ ଥିବା ଚାଳକ, ୩ଜଣିଆ ଡ୍ରାଇଭିଂ, ହେଲମେଟ ପିନ୍ଧୁ ନ ଥିବା ବାଇକ ଚାଳକଙ୍କୁ ଧରପଗଡ଼ କରାଯାଉଥିଲା। ଏପରିକି ଯେଉଁମାନେ ସିଗନାଲ୍‌ ନ ମାନି ଚାଲି ଯାଉଥିଲେ, ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା କାମ ମଧ୍ୟ ଏହି ପାଟ୍ରୋଲିଂ ଟିମ୍‌ର ଥିଲା। ଏଥିପାଇଁ ସେମାନଙ୍କୁ ଭିଏଚ୍‌ଏଫ୍ ସେଟ, ସ୍ପିଡ୍‌ ବାଇକ ଓ ଜିପ ମଧ୍ୟ ଯୋଗାଇ ଦିଆଯାଇଥିଲା। କିନ୍ତୁ ଏବେ ସବୁ ବନ୍ଦ ହୋଇଯାଇଛି। ଏଭଳି ପାଟ୍ରୋଲିଂ ହେବା ଦ୍ବାରା ବାଇକ୍ ଓ କାର ଚାଳକମାନଙ୍କ ମନରେ ଭୟ ରହୁଥିଲା। କେଉଁ ସମୟରେ ସେମାନେ ଟ୍ରାଫିକ ପୁଲିସ ହାବୁ‌ଡ଼‌‌ରେ ପଡ଼ିଯିବେ, ଏହି ଭୟରେ ସେମାନେ ଟ୍ରାଫିକ ନିୟମର ଉଲ୍ଲଂଘନ କରିବାକୁ ସାହସ କରୁନଥିଲେ। କିଛି ମାସ ତଳେ ପୁଲିସ କମିସନର ସତ୍ୟଜିତ ମହାନ୍ତି କମିସନରେଟ ପୁଲିସକୁ ୧୫ଟି ସ୍ପିଡ୍‌ ବାଇକ ଦେଇଥିଲେ। ଏଥି ମଧ୍ୟରୁ କିଛି ଟ୍ରାଫିକ ଥାନାକୁ ମଧ୍ୟ ଦିଆଯାଇଥିଲା। କିନ୍ତୁ ଏବେ ଏହି ସ୍ପିଡ୍‌ ବାଇକକୁ ଅଧିକାରୀମାନେ ନେଇ ଗୋଟିଏ ଗୋଟିଏ ଛକରେ ଥୋଇ ତାହା ଉପରେ ବସି ଗାଡ଼ି ମୋଟର ଚେକିଂ କରିବା ସହିତ ରସିଦ ବହି ପକାଇ ଫାଇନ୍‌ କାଟୁଛନ୍ତି। ପାଟ୍ରୋଲିଂ ପାଇଁ ଥିବା ଜିପ୍‌ର ଅବସ୍ଥା ମଧ୍ୟ ସମାନ। ଏଣେ କେତେକ ନିର୍ଦିଷ୍ଟ ଛକରେ ପୁଲିସ ଯାଞ୍ଚ କରିବା କାରଣରୁ ଟ୍ରାଫିକ ନିୟମ ଉଲଂଘନକାରୀମାନେ ସେହି ଛକଗୁଡ଼ିକୁ ଚିହ୍ନଟ କରି ସାରିଲେଣି। ଫଳରେ ସେମାନେ ଏବେ ରାସ୍ତା ଭାଙ୍ଗି କିମ୍ବା ଗଳିକନ୍ଦିରେ ପଶି ଖସି ଯାଉଛନ୍ତି।

ଏପଟେ ଟ୍ରାଫିକ ପୁଲିସ ଏଜି ଛକ, ରାଜମହଲ ଛକ, ପାଲ ହାଇଟ ହୋଟେଲ ସମ୍ମୁଖ, ସିଆର୍‌ପି ଛକ, କଳିଙ୍ଗ ହସ୍ପିଟାଲ ଛକ, କଟକ ରୋଡ୍‌ର ବମିଖାଲ ଛକ, ରସୁଲଗଡ଼ ଛକ, ଜୟଦେବ ବିହାର ଛକ, ସତ୍ୟନଗର ବ୍ଲାଇଣ୍ଡ ଆସୋସିଏସନ୍ ସମ୍ମୁଖ, ମ୍ୟୁଜିୟମ ଛକ, ବିମାନବନ୍ଦର ଛକ ଓ ଜାତୀୟ ରାଜପଥରେ ଜୟଦେବ ବିହାର ଓଭରବ୍ରିଜ ଉପର, ଲିଙ୍ଗିପୁର ଛକ ଓ ପିତାପଲ୍ଲୀ ଛକରେ ନିୟମିତ ଭାବେ ଚେକିଂ କରୁଛି। ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି ପୁଣି ଥରେ ଏହି ପାଟ୍ରୋଲିଂ ବ୍ୟବସ୍ଥା ଲାଗୁ କରାଯିବ। ଟ୍ରାଫିକ ପୁଲିସ ବୁଲିବୁଲି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଫାଇନ୍‌ ଆଦାୟ କରିବ।

ସମ୍ବନ୍ଧିତ ଖବର