‘ନମୋ ଏଗେନ୍‌’ ଲେଖାଥିବା ସ୍ୱେଟର ପରିଧାନ କରି ବିଧାନସଭାକୁ ଆସିବା ମହଙ୍ଗା ପଡ଼ିଲା ୨ ବିଜେପି ବିଧାୟକଙ୍କୁ

ସିମ୍‌ଲା (ହିମାଚଳ ପ୍ରଦେଶ): ହିମାଚଳ ପ୍ରଦେଶ ବିଧାନସଭାରେ ବଜେଟ ଅଧିବେସନ ଚାଲିଥିବା କାଳରେ ଘଟିଛି ଏକ ଅଭାବନୀୟ ଘଟଣା। ଭାରତୀୟ ଜନତା ପାର୍ଟି (ବିଜେପି)ର ୨ ଜଣ ବିଧାୟକ ବିଧାନସଭା କକ୍ଷ ମଧ୍ୟକୁ ଛାତିରେ ‘ନମୋ ଏଗେନ୍‌’ ଲେଖାଥିବା ସ୍ୱେଟର ପିନ୍ଧି ଆସିବା ଘଟଣାକୁ କେନ୍ଦ୍ର କରି ବିଧାନସଭା ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ହିମାଚଳ ପ୍ରଦେଶ ବିଧାନସଭାରେ ବଜେଟ ଅଧିବେସନ ଚାଲିଥିବା କାଳରେ ୨ ଜଣ ବିଜେପି ବିଧାୟକ ବିନୋଦ କୁମାର ଏବଂ ସୁରିନ୍ଦର ସୌରୀ ଛାତିରେ ‘ନମୋ ଏଗେନ୍‌’ ଲେଖାଥିବା ସ୍ୱେଟର ପିନ୍ଧି ବିଧାନସଭା କକ୍ଷ ମଧ୍ୟକୁ ପ୍ରବେଶ କରିଥିଲେ। ଏହା ବେଖିବା ପରେ ବିରୋଧୀ କଂଗ୍ରେସ ସଭ୍ୟମାନେ ଏହାର ତୀବ୍ର ବିରୋଧ କରିବା ସହ ପ୍ରବଳ ହଟ୍ଟଗୋଳ କରିଥିଲେ। ବିଧାନସଭାରେ ବିରୋଧୀ ଦଳର ନେତା ଥିବା ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ବିଜେପି ବିଧାୟକମାନଙ୍କର ଏପ୍ରକାର ପ୍ରଚାର ସର୍ବସ୍ୱ ଆଚରଣର ତୀବ୍ର ବିରୋଧ କରି ଏହା ସଂସଦୀୟ ପରମ୍ପରାର ବିରୁଦ୍ଧାଚରଣ କରିବା ସହ ବିଧାନସଭାର ଗାରିମାକୁ କ୍ଷୁଣ୍ଣ କରୁଛି ବୋଲି ଅଭିଯୋଗ କରିଥିଲେ।

ପରେ ବିଧାନସଭାର ବାଚସ୍ପତି ରାଜୀବ ବିନ୍ଦାଲ ଏଥିରେ ହସ୍ତକ୍ଷେପ କରି ଆଉ ଭବିଷ୍ୟତରେ ଏପରି ସ୍ୱେଟର ପରିଧାନ କରି ବିଧାନସଭା କକ୍ଷ ମଧ୍ୟକୁ ପ୍ରବେଶ ନକରିବା ପାଇଁ କଡ଼ା ଚେତାବନୀ ଦେଇଥିଲେ। ଯଦି କୌଣସି ବିଧାୟକ ଏପରି ଘଟଣାର ପୁନରାବୃତ୍ତି କରନ୍ତି ତେବେ ତାଙ୍କୁ ବିଧାନସଭା କକ୍ଷ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି କହିଥିଲେ ବାଚସ୍ପତି।

ସମ୍ବନ୍ଧିତ ଖବର