ରେଢ଼ାଖୋଲ: ଟିକେଟ୍‌ ପାଇଁ ଛାୟା ଲଢ଼େଇ

ସମ୍ବଲପୁର, (ଜ୍ଞାନ ରଞ୍ଜନ ମିଶ୍ର): ପଶ୍ଚିମ ଓଡ଼ିଶାର ସବୁଠୁ ଅଧିକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଗୁଡ଼ିକ ମଧ୍ୟରେ ଅନ୍ୟତମ ରେଢ଼ାଖୋଲ ଉପରେ ଏବେ ସମସ୍ତଙ୍କ ନଜର। ଏହି ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀର ଟିକଟ ପାଇଁ ବିଜେଡି, ବିଜେପିରେ ଆଶାୟୀଙ୍କ ଲମ୍ବା ତାଲିକା ରହିଛି। ଉଭୟ ଦଳରୁ ପ୍ରାୟ ଡଜନେ ଲେଖାଏଁ ପ୍ରାର୍ଥୀ ରେଢ଼ାଖୋଲ ଟିକଟକୁ ଅନାଇ ବସିଛନ୍ତି। ତେଣୁ ଏଠାରୁ କାହାକୁ ପ୍ରାର୍ଥୀ କରିବେ ତାହା ଦୁଇ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଭୋଟ ଲଢ଼େଇ ପୂର୍ବରୁ ଏଠାରେ ଟିକଟ୍ ପାଇଁ ଆଉ ଏକ ଛାୟା ଲଢ଼େଇ ଚାଲିଛି। ରେଢ଼ାଖୋଲରେ ସବୁବେଳେ ବାହାର ପ୍ରାର୍ଥୀଙ୍କ ଆଧିପତ୍ୟ ରହି ଆସିଛି। ଏହାଛଡ଼ା ଚଷା ବହୁଳ ଏହି ଅଞ୍ଚଳରେ ଚଷା ଓ ଖ୍ରିଷ୍ଟିଆନ ଭୋଟ୍‌ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଥାଏ। ଏସବୁକୁ ବିଚାର କରି ସମ୍ଭାବ୍ୟ ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ଗଣିତ କଷିବା ଆରମ୍ଭ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ସମ୍ଭାବ୍ୟ କଂଗ୍ରେସ ପ୍ରାର୍ଥୀ ଆସଫ ଅଲୀ ଖାନ ପ୍ରଚାର ଅଭିଯାନରେ ଅନ୍ୟମାନଙ୍କଠାରୁ ଆଗରେ ଅଛନ୍ତି। ବିଜେଡିରୁ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ ଟିକଟର ମୁଖ୍ୟ ଦାବିଦାର ଅଛନ୍ତି। ନିଜ କ୍ଷମତାର ଉପଯୋଗ କରି ଶ୍ରୀ ପୂଜାରୀ ନିର୍ବାଚନମଣ୍ଡଳୀ ପାଇଁ ଅନେକ ଗୁଡ଼ିଏ ପ୍ରକଳ୍ପ ମଞ୍ଜୁର କରାଇ ପାରିଛନ୍ତି। ବିକାଶ କାମକୁ ପାଥେୟ କରି ଶ୍ରୀ ପୂଜାରୀ ନିର୍ବାଚନ ଜିଣିବା ଆଶା ବାନ୍ଧିଥିଲା ବେଳେ ତାଙ୍କୁ ନେଇ ଦଳୀୟ କର୍ମୀ ମହଲରେ କିଛିଟା ଅ‌ସନ୍ତୋଷ ରହିଥିବା ଆଲୋଚନା‌ ହେଉଛି।

ନିକଟରେ ସରକାରୀ ଚାକିରିରୁ ଇସ୍ତଫା ଦେଇଥିବା ଡା. ଲଲାଟେନ୍ଦୁ ନାୟକ ଗତ ୧ ବର୍ଷ ହେଲା ନିର୍ବାଚନମଣ୍ଡଳୀର ଗାଁଗାଁରେ ବୁଲି ନିଜ ପାଇଁ ସମର୍ଥନ ଜୁଟାଇବା ସହ ଟିକଟ୍‌ର ଆଉ ଜଣେ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି। ବିଜେଡି ଜିଲ୍ଲା ସଭାପତି ପଦ ହରାଇଥିବା ଡ. ପ୍ରମୋଦ ରଥ ବି ଆଶାୟୀ ଅଛନ୍ତି ଓ ବହୁ ବର୍ଷ ହେଲା ସେହି ଅଞ୍ଚଳରେ ନିଜ ସଂଗଠନ ସୃଷ୍ଟି କରିଛନ୍ତି। ୩ ଥର ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ଓ ବିଜେଡି ଜିଲ୍ଲା ସଭାପତି ଥିଲା ବେଳେ ସୃଷ୍ଟ ଲୋକସଂପର୍କକୁ ଆଧାର କରି ସେ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି।

ତେବେ ପଶ୍ଚିମ ଓଡ଼ିଶା ରାଜନୀତିର ଚାଣକ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କର ମଧ୍ୟ ପୁଣିଥରେ ରେଢ଼ାଖୋଲ ନିର୍ବାଚନମଣ୍ଡଳୀ ଉପରେ ଆଖି ରହିଛି। ସେ ନିଜ ପୁରୁଣା କ୍ଷେତ୍ରକୁ ‌ଫେରିବାକୁ ଚାହୁଁଛନ୍ତି। ରାଜ୍ୟସଭା ସାଂସଦ ଥିବା ଶ୍ରୀ ଆଚାର୍ଯ୍ୟ ନିଜ ମୁହଁରେ ନକହିଲେ ବି ତାଙ୍କ ସମର୍ଥକମାନେ ଏଥି ପାଇଁ ଦାବି କରୁଛନ୍ତି। ଏପରିକି ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କୁ ସମ୍ବଲପୁର ଲୋକସଭା ଓ ରୋହିତଙ୍କୁ ସମ୍ବଲପୁର ବିଧାନସଭା ପ୍ରାର୍ଥୀ କରି ଶ୍ରୀ ଆଚାର୍ଯ୍ୟଙ୍କୁ ରେଢ଼ାଖୋଲରୁ ଛିଡ଼ା କର‌ାଯିବା ସଂପର୍କିତ ଖବର ବି ପ୍ରଚାରିତ ହେଉଛି। ତେବେ ଇଂ ନଳିନୀ ପ୍ରଧାନ ଲୋକସଭାରୁ ବିଜେଡି ପ୍ରାର୍ଥୀ ହେବା ପ୍ରାୟତଃ ଚୂଡ଼ାନ୍ତ ହୋଇ ସାରିଥିବାରୁ ଏହି ସମୀକରଣର କାର୍ଯ୍ୟକାରିତା ନେଇ ସଂଦେହ ରହିଛି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ପ୍ରଧାନ, ଦଳର ପୁରୁଣା ନେତା ଜୟଲାଲ ବେହେରା ମଧ୍ୟ ଦୌଡ଼ରେ ଅଛନ୍ତି। ଟିକଟ୍ ଆଶାରେ ସେମାନେ ବି ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଲକ୍ଷ୍ମୀ ଖିଲାରି, ପ୍ରଫୁଲ୍ଲ କୁମାର ବକ୍ସିଙ୍କ ସମେତ ବହୁ ଆଶାୟୀ ଟିକଟ୍ ପାଇଁ ଆବେଦନ କରିଛନ୍ତି।

ବିଜେପିର ପୁରୁଣା ନେତା ଗୋବିନ୍ଦ ଅଗ୍ରୱାଲ ବହୁ ବର୍ଷ ହେଲା ରେଢ଼ାଖୋଲ ନିର୍ବାଚନମଣ୍ଡଳୀରେ ନିଜ ଜନସଂପର୍କ ରଖିବା ସହ ପଦ୍ମ ଟିକଟର ପ୍ରମୁଖ ଦାବିଦାର ଅଛନ୍ତି। ଅନ୍ୟତମ ଆଶାୟୀ ଦେବେନ୍ଦ୍ର ମହାପାତ୍ର ବି ନିର୍ବାଚନମଣ୍ଡଳୀରେ ବୁଲି ନିଜ ସାଂଗଠନିକ କାର୍ଯ୍ୟକ୍ରମ ଚଳାଇଛନ୍ତି। ତାଙ୍କ ପ୍ରତି ବରିଷ୍ଠ ନେତା ସୁରେଶ ପୂଜାରୀଙ୍କ ସମର୍ଥନ ରହିଛି। ରେଢ଼ାଖୋଲର ସ୍ଥାନୀୟ ନିବାସୀ ଓ ଦଳର ପୁରୁଣା କର୍ମୀଭାବେ ସମର ପ୍ରଧାନ (ଆଲ୍‌ଫା)ଙ୍କର ଭଲ ସଂଗଠନ ରହିଛି ଓ ସେ ଟିକଟ୍‌ର ଜଣେ ପ୍ରମୁଖ ଦାବିଦାର ଅଛନ୍ତି। କିନ୍ତୁ ତାଙ୍କୁ ସୁରେଶ ଗୋଷ୍ଠୀ ବିରୋଧ କରୁଥିବା କୁହାଯାଉଛି। ଗତଥର ଦଳୀୟ ପ୍ରାର୍ଥୀ ହୋଇଥିବା ପ୍ରତାପ ପ୍ରଧାନ ବି ଏଥର ଦୌଡ଼ରେ ଅଛନ୍ତି। ଏହାଛଡ଼ା ବିଜେପି ଶେଷ ମୁହୂର୍ତ୍ତରେ ନିଜ ରଣନୀତି ବଦଳାଇ ସୁରେଶ ପୂଜାରୀଙ୍କୁ ବି ଏଠାରୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି।

ଜିଲ୍ଲାର ଅନ୍ୟ ସମସ୍ତ ନିର୍ବଚନମଣ୍ଡଳୀ ତୁଳନାରେ କଂଗ୍ରେସ୍‌ ଏଠାରେ ସବୁଠୁ ମଜଭୁତ ସ୍ଥିତିରେ ରହିଛି। କିନ୍ତୁ ଶେଷ ମୁହୂର୍ତ୍ତରେ ଆସଫଙ୍କୁ ଚାଲେଞ୍ଜ ଦେଇ ଦଳର ରାଜ୍ୟ ସଂପାଦକ ଦୁଲାଲ ପ୍ରଧାନ ଏବଂ ଯୁବ‌ ନେତା ବରୁଣ ଦେହୁରୀ ମଧ୍ୟ ଟିକଟ୍ ପାଇଁ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର