ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା: ଇର୍ଫାନ୍‌ ପ୍ରଥମ ଭାରତୀୟ ଆଥ୍‌ଲେଟ୍‌

ନୂଆଦିଲ୍ଲୀ: ଜାତୀୟ କୀର୍ତିମାନଧାରର ଇର୍ଫାନ୍‌ କେଟି ପ୍ରଥମ ଭାରତୀୟ ଆଥ୍‌ଲେଟିକ୍ସ ଭାବେ ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି। ଜାପାନର ନାଓମିରେ ଆୟୋଜିତ ଏସୀୟ ରେସ୍‌ ଚାଲି ପ୍ରତିଯୋଗିତାର ୨୦ କିମି ବର୍ଗରେ ଇର୍ଫାନ୍‌ ଚତୁର୍ଥ ସ୍ଥାନ ଅକ୍ତିଆର କରିବା ସାଙ୍ଗକୁ ଟୋକିଓ ଟିକେଟ ହାସଲ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ମାନଦଣ୍ଡ ୧ ଘଣ୍ଟା ୨୧ ମିନିଟ୍‌ ଧାର୍ଯ୍ୟ ହୋଇଥିଲା ବେଳେ ୨୯ ବର୍ଷ ବୟସ୍କ କେରଳୀ ତାରକା ଇର୍ଫାନ୍‌ ୧ ଘଣ୍ଟା ୨୦ ମିନିଟ୍‌ ୫୭ ସେକେଣ୍ଡ୍‌ ସମୟରେ ଚାଲି ଶେଷ କରି ଚତୁର୍ଥ ସ୍ଥାନ ପାଇଥିଲେ। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଚାଲି ଓ ମାରାଥନ୍‌ ରେସ୍‌ ଚଳିତ ବର୍ଷ ଜାନୁଆରି ୧ ତାରିଖରୁ ଆରମ୍ଭ ହୋଇଥିଲା ବେଳେ ଏହା ୨୦୨୦ ମେ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଆଥ୍‌ଲେଟିକ୍ସର ଅନ୍ୟାନ୍ୟ ଇଭେଣ୍ଟ୍‌ଗୁଡ଼ିକ ପାଇଁ ଚଳିତ ବର୍ଷ ମେ ୧ରୁ ୨୦୨୦ ଜୁନ୍‌ ୨୯ ତାରିଖ ପର୍ଯ୍ୟନ୍ତ ଯୋଗ୍ୟତା ସମୟ ଧାର୍ଯ୍ୟ କରାଯାଇଛି। ତେବେ ଏପର୍ଯ୍ୟନ୍ତ ଇର୍ଫାନ୍‌ଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଆଥ୍‌‌ଲେଟ୍‌ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିପାରିନାହାନ୍ତି। ଜାପାନରେ ୧:୨୦:୫୭ ସମୟ ପାଇଥିବା ଇର୍ଫାନ୍‌ଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୧:୨୦:୨୧ ରହିଥିଲା। ଯାହାକି ସେ ୨୦୧୨ ଅଲିମ୍ପିକ୍ସରେ ପାଇଥିଲା ବେଳେ ଦଶମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଇର୍ଫାନ୍‌ ମଧ୍ୟ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଦୋହାରେ ଆୟୋଜିତ ହେବାକୁ ଥିବା ଚଳିତ ବର୍ଷର ବିଶ୍ବ ଚାମ୍ପିଅନ୍‌ସିପ୍‌କୁ ଯୋଗ୍ୟତା ହାସଲ କରିସାରିଛନ୍ତି। ଏହା ପୂର୍ବରୁ ଇର୍ଫାନ୍‌ ମଧ୍ୟ ଗତମାସରେ ଚେନ୍ନାଇରେ ଆୟୋଜିତ ହୋଇଯାଇଥିବା ଜାତୀୟ ଓପନ୍‌ ରେସ୍‌ ଚାଲି ଚାମ୍ପିଅନ୍‌ସିପ୍‌ରେ ୨୦ କିମି ଇଭେଣ୍ଟ୍‌ ଜିତିଥିଲେ। ସେଥିରେ ତାଙ୍କର ଟାଇମିଂ ଥିଲା ୧:୨୬:୧୮। ଅନ୍ୟପକ୍ଷରେ ଜାପାନର ନାଓମିରେ ମହିଳା ୨୦ କିମିରେ ସୌମ୍ୟା ବେବି ୧:୩୬:୦୮ ସମୟ ସହ ଚତୁର୍ଥ ସ୍ଥାନ ପାଇଥିଲେ ମଧ୍ୟ ଟୋକିଓ ଅଲିମ୍ପିକ୍‌ ମାନଦଣ୍ଡ ୧:୩୧:୦୦ ଏବଂ ବିଶ୍ବ ଚାମ୍ପିଅନ୍‌ସିପ୍‌ ମାନଦଣ୍ଡ ୧:୩୩:୩୦ ଟାଇମିଂଠୁ ବହୁ ଦୂରରେ ରହିଯାଇଥିଲେ।

ସମ୍ବନ୍ଧିତ ଖବର