‘ବ୍ଲାକ୍‌ ଇଗଲ ବୁକ୍‌ସ ୱେବ୍‌ସାଇଟ୍‌’ ଲୋକାର୍ପିତ

ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାର ଅଣଲାଭଜନକ ସଂସ୍ଥା ବ୍ଲାକ୍‌ ଇଗଲ୍‌ ବୁକ୍‌ସ ୱେବ୍‌ସାଇଟ୍‌ www.blackeaglebooks.orgକୁ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଗତ ୨୮ ତାରିଖରେ ତାଙ୍କ କନଫରେନ୍ସ ହଲ୍‌ରେ ଲୋକାର୍ପଣ କରିଛନ୍ତି। ଓଡ଼ିଆ ତଥା ବିଭିନ୍ନ ଭାରତୀୟ ଭାଷାର ସାହିତ୍ୟକୁ ଆମେରିକା ଏବଂ ଅନ୍ୟାନ୍ୟ ଦେଶମାନଙ୍କରେ ଉପଲବ୍ଧ କରାଇବା ଏହି ପ୍ରକାଶନ ସଂସ୍ଥାର ମୂଳ ଲକ୍ଷ୍ୟ। ସଂସ୍ଥାର ନିର୍ଦେଶକ ସତ୍ୟ ପଟ୍ଟନାୟକ କହିଛନ୍ତି ଯେ ଆମେରିକାରେ ସଂପ୍ରତି ଭାରତୀୟ ମୂଳୋଦ୍ଭବ ପରିବାରର ସଂଖ୍ୟା ପ୍ରାୟ ୫ ମିଲିଅନ୍‌, ଯାହା ଆମେରିକାର ଲୋକସଂଖ୍ୟାର ୧.୪ ପ୍ରତିଶତ। ସେହି ତୁଳନାରେ ଭାରତୀୟ ଲେଖକଙ୍କ ବହି ଆମେରିକୀୟ ଲାଇବ୍ରେରି ତଥା ବହି ଦୋକାନରେ ଉପଲବ୍ଧ ନୁହେଁ। ଦୁଇଟି ମୌଳିକ ଲକ୍ଷ୍ୟ ନେଇ ଏହି ପ୍ରକାଶନ ସଂସ୍ଥାକୁ ଗଢ଼ା ଯାଇଛି। ପ୍ରଥମତଃ ଭାରତୀୟ ଲେଖକଙ୍କ ବହିକୁ ଆମେରିକା ତଥା ବିଶ୍ୱର ସବୁ ଦେଶରେ ଉପଲବ୍ଧ କରାଇବା, ଦ୍ୱିତୀୟରେ ଏହି ପ୍ରକ୍ରିୟାରେ ପ୍ରକାଶିତ ବହି କେବେ ଆଉଟ୍‌ ଅଫ୍‌ ପ୍ରିଣ୍ଟ ହେବ ନାହିଁ ବୋଲି ସେ କହିଥିଲେ।

ଏହି ପରିପ୍ରେକ୍ଷୀରେ ଏପ୍ରିଲ ୧ରୁ ପ୍ରକାଶନ ଆରମ୍ଭ ହୋଇଥିବା ଏହି ସଂସ୍ଥାର ଦଶଟି ପୁସ୍ତକ ଡ. ପ୍ରତିଭା ରାୟଙ୍କ ଗଳ୍ପ ସଂକଳନ ‘କେତକୀ ବନ’, ଫନୀ ମହାନ୍ତିଙ୍କ କବିତା ସଂକଳନ ‘ପ୍ରିୟତମା’, ସୁରେନ୍ଦ୍ର ମିଶ୍ରଙ୍କ ଗଳ୍ପ ସଂକଳନ ‘ପଥ ବହୁଦୂର’, ମନୋଜ କୁମାର ପଣ୍ଡାଙ୍କ ଗଳ୍ପ ସଂକଳନ ‘ମାୟା ବଗିଚା’, ଡ. ଗାୟତ୍ରୀବାଳା ପଣ୍ଡାଙ୍କ କବିତା ସଂକଳନ ‘ନିର୍ବାଚିତ କବିତା’, ମୁକୁଲ ମିଶ୍ରଙ୍କ କବିତା ସଂକଳନ ‘ରୂପସୀ’, ବିଜୟ ମିଶ୍ରଙ୍କ ଭ୍ରମଣ କାହାଣୀ ‘ରିଟର୍ଣ୍ଣିଂ ହୋମ୍‌’ ଭଗବାନ୍‌ ଜୟସିଂହଙ୍କ କବିତା ସଂକଳନ ‘ଦି ଡାପଲସ୍‌ ଅଫ ଡାର୍କନେସ୍‌’, ସ୍ନେହପ୍ରଭା ଦାସଙ୍କ କବିତା ସଂକଳନ ‘ସଙ୍ଗସ୍‌ ଅଫ ସଲିଚ୍ୟୁଡ୍‌’ ନମିତାଲକ୍ଷ୍ମୀ ଜଗଦ୍ଦେବଙ୍କ ଅନୁଦିତ ତପନ ପଟ୍ଟନାୟକଙ୍କ କବିତା ସଂକଳନ ‘ମାଇଁ ଲଭ୍‌, ମାଇଁ ସିଜନ୍‌ସ’ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଡ. ପ୍ରତିଭା ରାୟ, ଫନୀ ମହାନ୍ତି, ଭଗବାନ ଜୟସିଂହ, ଅତୁଲ ବଳ, ରକ୍ଷକ ନାୟକ, ଡ. ଗାୟତ୍ରୀବାଳା ପଣ୍ଡା, ନବଜ୍ୟୋତି ରାୟ, ନିହାରିକା ମଲ୍ଲିକ, ଅଶୋକ ପରିଡ଼ା, ଆମେରିକାର ଯୁବ ଉଦ୍ୟୋଗପତି ଧୀରେନ୍ଦ୍ର କର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର