କଟକର ଶହେ ବୁଥରେ ରାତି ୧୦ଟା ପର୍ଯ୍ୟନ୍ତ ମତଦାନ, ନିଆଳିରେ ବିଜେପି ବୁଥ୍‌ ଏଜେଣ୍ଟଙ୍କୁ ମାଡ

ମାହାଙ୍ଗାରେ ରାଜନୈତିକ ବିବାଦ ୫ଆହତ

କଟକ: କଟକ ଜିଲ୍ଲାର ମାହାଙ୍ଗା, ସାଲେପୁର ଓ ନିଆଳି ନିର୍ବାଚନମଣ୍ଡଳୀରେ ଆଜି ଭୋଟଗ୍ରହଣ ସରିଛି। ଅନେକ ସ୍ଥାନରେ ଇଭିଏମ୍‌ ତ୍ରୃଟି ଯୋଗୁଁ ଭୋଟଦାନ କେଉଁଠି ଦୁଇଘଣ୍ଟା ତ କେଉଁଠି ୩ଘଣ୍ଟା ପରେ ଆରମ୍ଭ ହୋଇଛି ଭୋଟଗ୍ରହଣ। ଏଥିସହ ରାତି ୧୦ଟା ପର୍ଯ୍ୟନ୍ତ ପାଖାପାଖି ୧୦୦ବୁଥ୍‌ରେ ମତଦାନ ଚାଲିଥିବା ଜଣାପଡିଛି। ୨୫ଟି ସ୍ଥାନରେ ଇଭିଏମ୍‌ ଓ ଭିଭିପାଟ୍‌କୁ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି। ନିଆଳି, ସାଲେପୁର ଓ ମାହାଙ୍ଗା ନିର୍ବାଚନମଣ୍ଡଳୀର ଅନେକ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କର୍ସଦା ପତ୍ରକଣା ବୁଥରେ ଗଣ୍ଡଗୋଳ ଘଟିବା ଫଳରେ ସେଠାରେ ଥିବା ଜଣେ ବିଜେପି ଏଜେଣ୍ଟ୍ ଆହତ ହୋଇଛନ୍ତି। ସେହିପରି ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚାହାପଡା ପଂଚାୟତର ବରଦିଆଠାରେ ଭୋଟ ଦେବାକୁ କେନ୍ଦ୍ରକରି ଦୁଇ ରାଜନୈତିକ ଗୋଷ୍ଠୀର ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହାକୁ ନେଇ ଦୁଇଗୋଷ୍ଠୀ ଉଭୟଙ୍କ ପରେ ଆକ୍ରମଣ ଓ ପ୍ରତିଆକ୍ରମଣ କରିଥିଲେ । ଏଥିରେ ୪ଜଣ ଆହତ ହୋଇଛନ୍ତି।

ସୁକରପଡା ଓ ଜିଗ୍ନିପୁରରେ ୨ଆହତ
ମାହାଙ୍ଗାର ଦୁଇଟି ବୁଥ୍‌ରେ ୩ଘଣ୍ଟା ଧରି ପ୍ରିଜାଇଡ଼ିଂ ଅଫିସର ଓ ସିଆରପିଏଫ ଯବାନଙ୍କୁ ଅଟକ ରଖିଲେ ଗ୍ରାମବାସୀ
ସାଲେପୁରର ଗୁଜରପୁର‌ରେ ଲାଠିଚାଳନା

ମୁଣ୍ଡ ଫାଟିଥିବାରୁ ସମସ୍ତଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଶ୍ରୀକୃଷ୍ଣପୁରଠାରେ ଭୋଟଦେବାକୁ ନେଇ ‌ବଡବାପାର ମାଡରେ ପୁତୁରା ଆହତ ହୋଇଥିବା ଜଣାପଡିଛି। ସେହିପରି ନିଶ୍ଚିନ୍ତକୋଇଲିର ସୁକରପଡାରେ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ନଦେବାରୁ ଗୋବିନ୍ଦ ସେଠୀ(୩୫)ଙ୍କୁ ମାଡ ମାରିଛନ୍ତି ବିପକ୍ଷ ଗୋଷ୍ଠୀ। ଜଗ୍ନିପଡାରେ ମଧ୍ୟ ଭୋଟ ଦେବାକୁ କେନ୍ଦ୍ରକରି ଗଣ୍ଡେଗୋଳରେ ଜଣଙ୍କର ଗୋଡ ଭାଙ୍ଗିଥିବା ଜଣାପଡିଛି। ସେହିପରି ମୌଜା ପଂଚାୟତର ୫୭ ଓ ୫୮ବୁଥ୍‌ର ସଂଧ୍ୟା ୬ପରେ ଭୋଟଦାନ କେନ୍ଦ୍ରରେ ତାଲା ପକାଇ ଦିଆଯାଇଥିଲା। କିନ୍ତୁ ବାହାରେ ଭୋଟ ଦେବାକୁ ଆସିଥିବା କିଛି ଲୋକ ରହିଯାଇଥିଲେ। ସେମାନେ ଭୋଟ ଦେବା ପାଇଁ ଦାବି କରିବାରୁ ସିଆରପିଏଫ୍ ଯବାନମାନେ ସେମାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋ‌କେ ବୁଥ୍‌ର ପ୍ରିଜାଇଡିଂ ଅଫିସର ଓ ସିଆରପିଏଫ ଯବାନଙ୍କୁ ୩ଘଣ୍ଟା ଏକ କୋଠରୀରେ ତାଲା ପକାଇ ଅଟକ ରଖିଥିଲେ। ଖବରପାଇ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ପୁନର୍ବାର ନିର୍ବାଚନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଉତ୍ତେଜନା ଥମି ନଥିବା ଜଣାପଡିଛି। ସେହିପରି ସାଲେପୁର ନିର୍ବାଚନାମଣ୍ଡଳୀର ଗୁଜରପୁର ବୁଥ୍‌ରେ ପୁଲିସ ଅଧିକାରୀଙ୍କ ବ୍ୟବହାରକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ ଲାଠିଚାଳନା କରିଥିବା ସୂଚନା ମିଳିଛି।

ଅନ୍ୟପଟେ କର୍ସଦା ପତ୍ରକଣା ବୁଥ ନମ୍ବର ୧୩୫ରେ ଦୁଇ ପ୍ରତିଦ୍ବନ୍ଦ୍ବୀ ଦଳର କର୍ମୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ଯେଉଁଥିରେ ବିଜେପି ଏଜେଣ୍ଟ ରମେଶ ଚନ୍ଦ୍ର ସାହୁଙ୍କ ଉପରକୁ ଆକ୍ରମଣ କରିଥିଲେ ବିରୋଧୀ ଗୋଷ୍ଠୀ। ଏଥିରେ ରମେଶ ଆହତ ହୋଇଥିବାବେଳେ ତାଙ୍କୁ ଅଡ଼ଶପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଗଣ୍ଡଗୋଳ ଯୋଗୁଁ ସେହି ବୁଥରେ ୩ଘଣ୍ଟା ଧରି ଭୋଟ୍ ଗ୍ରହଣ ବନ୍ଦ ରହିଥିଲା। ପରେ ପୁଲିସ୍ ଡିଏସପି ଘଟଣାସ୍ଥଳରେ ପହଞ୍ଚିବା ପରେ ଦିନ ପ୍ରାୟ ୧ଟା ୪୫ ମିନିଟ ସମୟରେ ପୁଣି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର